www.samajalive.in
Sunday, December 7, 2025
16.1 C
Bhubaneswar

ବଜ୍ରପାତରେ ୬ ମୃତ, ୧୩ ଆହତ

ବାଲେଶ୍ବର: କାଳ ବୈଶାଖୀ ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଆହତ ହୋଇଛନ୍ତି। ବାଲେଶ୍ବର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସଦର ବ୍ଲକ କଷାଫଳ ପଞ୍ଚାୟତ ସାହୁଚକ ଗାଁର ଅମୂଲ୍ୟ କୁମାର ପୁଣ୍ଟିଙ୍କ ସ୍ତ୍ରୀ ବିନତି ପୁଣ୍ଟି ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଏହି ସମୟରେ ବିନତି ବିଲକୁ ଗୋରୁ ଆଣିବାକୁ ଯାଇଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ବିନତିଙ୍କୁ ବସ୍ତା ଡାକ୍ତରଖାନାକୁ ନେଇ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଜ୍ରପାତରେ ନିଆଁ ଲାଗି ସାର୍ଥା ଗାଁରେ ଗୋଟିଏ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ୧୦ କୁକୁଡ଼ା ଦଗ୍ଧ ହୋଇଥିଲାବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ପ୍ରବଳ ଝଡ଼ ତୋଫାନ ସହ ଅପରାହ୍ଣରେ ବଜ୍ରପାତ ଯୋଗୁଁ ଚାନ୍ଦିପୁର ଶ୍ରୀକୋଣା ପଞ୍ଚାୟତରେ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଘର ସମ୍ମୁଖରେ ଥିବା ଗଛ ମୂଳେ ଖେଳୁଥିବା ଦୁଇ ଶିଶୁଙ୍କଠାରୁ କିଛି ଦୂରରେ ବଜ୍ରପାତ ହେବା ଯୋଗୁଁ ସେମାନଙ୍କ ଶରୀର ସାମାନ୍ୟ ପୋଡ଼ିଯାଇଥିଲା। ଦୁଇ ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଶିଶୁ ହେଲେ ବୈଶାଖୀ ସାହୁ ଓ ପ୍ରୀତି ମାଝୀ । ସେହିପରି ଭୀମପୁରା ଅଞ୍ଚଳର ଚମ୍ପା ସୋରେନ କାନ୍ଥ ପଡ଼ିବା ଯୋଗୁଁ ଗୁରୁତର ହୋଇଛନ୍ତି। ଢ଼ଳେଇ କାମ କରୁଥିବାବେଳେ ପ୍ରବଳ ତୋଫାନରେ ନିର୍ମାଣ ଚାଲିଥିବା କାନ୍ଥ ଧସି ଯାଇଥିଲା। ହାତରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେହିପରି ଖୋର୍ଦ୍ଧା ଜିଲା ବେଗୁନିଆରେ ଜଣଙ୍କର ମୃତ୍ୟୁ ହୋଇଛି।  କାଳବୈଶାଖୀରେ ଆମ୍ବ ଗୋଟାଇବାବେଳେ ବଜ୍ରପାତ ଘଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ କାନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା । ଶନିବାର ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ହେବା ସହ ବିଜୁଳି ମାରିଥିଲା। ସେହି ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ସମେତ ଗ୍ରାମର କିଛି ବ୍ୟକ୍ତି ନିକଟସ୍ଥ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଅନ୍ୟମାନେ ଘରକୁ ଫେରିଥିବାବେଳେ ପୂର୍ଣ୍ଣଚନ୍ଦ୍ର ଆମ୍ବ ତୋଟାରେ ରହିଯାଇଥିଲେ। ବଜ୍ରପାତ ଘଟିବାରୁ ତାଙ୍କ ମୃତ୍ୟୁ ଘଟିଥିଲା।
ଆନନ୍ଦପୁର ଅଞ୍ଚଳରେ ଅପରାହ୍ଣରେ ଭୀଷଣ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିବା‌େ‌ବଳେ ବଜ୍ରପାତରେ ୩ ଜଣଙ୍କର ପ୍ରାଣହାନି ଘଟିଛି। ଆନନ୍ଦପୁର ପୌର ପରିଷଦର ୧୩ ନଂ ୱାର୍ଡ ଜନାର୍ଦ୍ଦନପୁର ଶାସନନିବାସୀ ଅକ୍ଷୟ କୁମାର ମିଶ୍ର ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଅକ୍ଷୟ ନିକଟସ୍ଥ ତାରିଣୀ ମନ୍ଦିରରେ ଶୋଇଥିବା ସମୟରେ ବଜ୍ରପାତ ହୋଇଥିଲା। ସେହିପରି ଘଷିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ପୌର ପରିଷଦର ଖପରଖାଇ ଗ୍ରାମନିବାସୀ ବାବୁଲି ମିଶ୍ର ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ ଘର ନିକଟରେ ବସିଥିବା ସମୟରେ ଖୁବ୍ ଜୋରରେ ବର୍ଷା ସହ ବଜ୍ରପାତ ହୋଇଥିଲା। ବାବୁଲି ଘର ଭିତରକୁ ଯିବା ସମୟରେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାଟଡିହି ବ୍ଲକ୍‌ ଅନ୍ତର୍ଗତ ବାଲିବରେଇ ପଞ୍ଚାୟତର ସାରକୁଣାଶାସନ ଦେହୁରୀ ସାହିର ୭୦ ବର୍ଷୀୟ ବୃଦ୍ଧ ପଦୁ ପ୍ରଧାନ ବଜ୍ରପାତରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ସେ ଅପରାହ୍ଣରେ ବିଲକୁ ଛେଳି ଆଣିବାକୁ ଯାଇଥିବା ସମୟରେ କାଳବୈଶାଖୀଜନିତ ବର୍ଷା ହୋଇଥିଲା। ବଜ୍ରପାତ ହେବାରୁ ଗାଁ ଖେଳପଡ଼ିଆ ନିକଟରେ ସେ ଟଳିପଡ଼ିଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ଅପରାହ୍ଣ ପ୍ରାୟ ୨ଟା ବେଳେ ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳରେ ଘନଘନ ବଜ୍ରପାତ ହେବାରୁ ୧୦ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ସଦର ଥାନା ଅନ୍ତର୍ଗତ ବଲାସିଂହା ବାଲିସାହିଠାରେ ଏହି ଘଟଣା ଘଟିଛି। ଶନିଦେବଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ ବଜ୍ରପାତ ହୋଇଥିଲା। ବଲାସିଂହା ଗ୍ରାମର ବାଲି ସାହିରେ ଏକ ଓସ୍ତ ଗଛ ମୂଳେ ଶନିଦେବଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ମହିଳାଙ୍କ ଭିଡ଼ ଜମିଥିଲା। ପୂଜାସ୍ଥଳରେ ୩୦ରୁ ଅଧିକ ମହିଳା ଉପସ୍ଥିତ ଥିଲେ। କାଳବୈଶାଖୀ ସହ ବର୍ଷା ଏବଂ ବଜ୍ରପାତ ହୋଇଥିଲା। ଆମ୍ବୁଲାନ୍ସ ଓ କାର ଯୋଗେ ଆହତ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଝରଣା ବାରିକ ,  ସାଗରିକା ସାହୁ , ଡଲି ସାହୁ , ସସ୍ମିତା ବାରିକ , ଚିଲି ସାହୁ , ସୁମିତ୍ରା ଦାସ, ଅହଲ୍ୟା ବାରିକ, ପୁଷ୍ପଲତା ବାରିକ, ରେଣୁ ସାହୁ ଓ ଅନସୂୟା ବାରିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories