ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ମାନସିକ ନିର୍ଯ୍ୟାତନା ଯୋଗୁ ଶିକ୍ଷୟତ୍ରୀଙ୍କ ଗର୍ଭପାତ 

କେଶଦୁରାପାଳ : ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜୈନିକ ଶିକ୍ଷୟତ୍ରୀଙ୍କ ଗର୍ଭପାତ କୁ ନେଇ ବିବାଦିଅ ପରିସ୍ଥିତି ଉପୁଜିଛି । ସ୍କୁଲ ଅଧ୍ୟକ୍ଷଙ୍କ ମାନସିକ ନିର୍ଯ୍ୟାତନା ଯୋଗୁ ଏଭଳି ଘଟିଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ଶିକ୍ଷୟତ୍ରୀ । ଏହି ଘଟଣା ସଂପର୍କରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିଛନ୍ତି।

ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜୈନିକ ଶିକ୍ଷୟତ୍ରୀ ଗତ କିଛି ମାସ ହେବ ଅଧ୍ୟକ୍ଷଙ୍କ ଦ୍ବାରା ମାନସିକ ନିର୍ଯ୍ୟାତନା ପାଇ ଆସୁଥିବା ଅଭିଯୋଗ ହୋଇଛି । ଏପରି କି ଗତ ମାର୍ଚ୍ଚ ମାସରେ ସଂପୃକ୍ତ ଶିକ୍ଷୟତ୍ରୀ ଜଣକ ୨ ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ସି. ବି. ଏସ. ସି ପରିକ୍ଷା ଖାତା ଦେଖିବାକୁ ଚାପ ପକାଇଥିଲେ । ସ୍ୱାସ୍ଥ୍ୟ ସମସ୍ୟା ଗର୍ଭବତୀ ଥିବାରୁ ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ମାନସିକ ଓ ଶାରିରୀକ ସ୍ତରରେ ଯନ୍ତ୍ରଣା ମୁକ୍ତ ରହି ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିବାରୁ ଖାତା ଦେଖା କାର୍ଯ୍ୟ ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ମାତ୍ର ଅଧ୍ୟକ୍ଷ କୌଣସି କଥା ନ ଶୁଣି ବଚାସା କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଏହାକୁ ନେଇ ଶିକ୍ଷୟତ୍ରୀ ଜଣକ ପ୍ରାୟ ଏକ ସପ୍ତାହ ଧରୀ ମାନସିକ ଯନ୍ତ୍ରଣାରେ ରହିଥିଲେ । ଏହି ସମୟରେ ଶିକ୍ଷୟତ୍ରୀଙ୍କ ସ୍ଵାସ୍ଥାବସ୍ଥା ବିଗିଡିବାରୁ ଡାକ୍ତରି ପରୀକ୍ଷା କରିବା ପରେ ତାଙ୍କର ଗର୍ଭପାତ ହୋଇଯାଇଥିବା ଜଣାପଡିଥିଲା । ଏଥିପାଇଁ ସ୍କୁଲ ଅଧ୍ୟକ୍ଷ ସଂପୁର୍ଣ୍ଣ ରୂପେ ଦାୟୀ ବୋଲି ଦର୍ଶାଇ ପିଡ଼ିତା  ଶିକ୍ଷୟତ୍ରୀ ଜଣକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଷରେ ଜିଲା ପ୍ରଶାସନର ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ଏନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ କୁ କୌଣସି ସୂଚନା ଦେଇ ନଥିବା ଜଣାପଡ଼ିଛି । ଅପର ପକ୍ଷେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ କର୍ମଚାରୀ ମାନେ ଦାବି କରିଛନ୍ତି।

Comments are closed.