କେଜ୍ରିୱାଲ୍ ଅଭ୍ୟାସଗତ ମିଥ୍ୟାବାଦୀ: କୁମାର ବିଶ୍ୱାସ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍୍ ଜଣେ ଅଭ୍ୟାସଗତ ମିଥ୍ୟାବାଦୀ ବୋଲି କୁମାର ବିଶ୍ୱାସ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବିରୋଧରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଗଠନରେ ହୋଇଥିବା ଦୁର୍ନୀତି ଅଭିଯୋଗର ସମସ୍ତ ତଥ୍ୟ ଓ ପ୍ରମାଣ ସେ ସଂଗ୍ରହ କରି କେଜ୍ରିୱାଲ୍ଙ୍କୁ ଦେଇଥିଲେ। ସେହି ତଥ୍ୟ ଆଧାରରେ କେଜ୍ରିୱାଲ୍ ଜେଟ୍ଲୀଙ୍କ ବିରୋଧରେ ଆରୋପ ଲଗାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ତଥ୍ୟ ମିଥ୍ୟା ବୋଲି ଦର୍ଶାଇ କେଜ୍ରିୱାଲ୍ ଜେଟ୍ଲିଙ୍କୁ କ୍ଷମାପ୍ରାର୍ଥନା କରିଥିଲେ। ଏବେ ସେହି କାଗଜପତ୍ର ମାଗିବାରୁ ତାଙ୍କ ପାଖରେ ତାହା ନାହିଁ ବୋଲି କେଜ୍ରିୱାଲ୍ କହୁଥିବା ବିଶ୍ୱାସ ଅଭିଯୋଗ କରିଛନ୍ତି। ଏହା କେବଳ ଜଣେ ଅଭ୍ୟାସଗତ ମିଥ୍ୟାବାଦୀର ଆଚରଣ ହୋଇପାରେ ଏବଂ କେଜ୍ରିୱାଲ୍ଙ୍କ ଏହି ଅଭ୍ୟାସ ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁମାର ବିଶ୍ୱାସ କହିଛନ୍ତି।