କଠୁଆ : ନିଜକୁ ନିର୍ଦୋଷ କହିଲେ ଅଭିଯୁକ୍ତ, ସିବିଆଇ ତଦନ୍ତ ଦାବି

0

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ ଏବଂ ତାର ପୁଅ ବିଶାଲ ଜଙ୍ଗୋତ୍ରା ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜକୁ ନିର୍ଦୋଷ ବୋଲି ଦାବି କରିଛନ୍ତି । ଜାମ୍ମୁ କାଶ୍ମୀର କ୍ରାଇମବ୍ରାଞ୍ଚ ସେମାନଙ୍କୁ ଫସାଇବାକୁ ଚେଷ୍ଟା କରୁଛି । ତେଣୁ ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦେବା ସହ ପୀଡ଼ିତାକୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି । ସେହିପରି କେବଳ ଆଶଙ୍କାର ଅଧାରରେ ମାମଲାକୁ ଜାମ୍ମୁ କାଶ୍ମୀର ବାହାରକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତରେ ଆଇନର ରାଜୁତି ଚାଲିଥିବାବେଳେ ଅଭିଯୁକ୍ତଙ୍କୁ ବି ନିରପେକ୍ଷ ଓ ଅବାଧ ଶୁଣାଣିର ଅଧିକାର ରହିଛି । କଠୁଆ ମାମଲାରେ ୨୨୧ ଜଣ ସାକ୍ଷ୍ୟ ଥିବାବେଳେ ୨୬୫ କିଲୋମିଟର ଦୂର ଚଣ୍ଡିଗଡ଼ ଯାଇ ସେମାନେ ସାକ୍ଷ୍ୟ ଦେଇପାରିବେ ନାହିଁ । ପୀଡ଼ିତା ପରିବାରକୁ କୌଣସି ଧମକ ଦିଆଯାଉନାହିଁ ବରଂ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଧମକ ଦିଆଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ଏସ୍‌ପିଓ (ସ୍ୱତନ୍ତ୍ର ପୁଲିସ୍‌ ଅଧିକାରୀ) ଦୀପକ ଖଜୁରିଆ ଓ ସୁରେନ୍ଦ୍ର ବର୍ମା, ସେମାନଙ୍କ ସାଙ୍ଗ ପର୍ବେଶ କୁମାର, ସାଞ୍ଜି ରାମର ପୁତୁରା (ନାବାଳକ) ଏବଂ ପୁଅ ବିଶାଲ ଜଙ୍ଗୋତ୍ରାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ଘୋଡ଼ା ଚରାଉଥିବାବେଳେ ନାବାଳିକାକୁ ଅପହରଣ କରାଯାଇଥିଲା ଓ ପ୍ରାୟ ସପ୍ତାହେ ପରେ ହତ୍ୟା କରାଯାଇଥିଲା । ରାସନା ଜଙ୍ଗଲରୁ ତାର ମୃତଦେହ ଠାବ କରାଯାଇଥିଲା । ପରେ ଏହା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ।

Leave A Reply