ବୋମା ଖଞ୍ଜି କାଶୀ ବିଶ୍ୱନାଥ ମନ୍ଦିର ଉଡ଼ାଇ ଦେବାକୁ ଧମକ

0

ବାରାଣାସୀ : କାଶୀ ବିଶ୍ୱନାଥ ମନ୍ଦିର ସମେତ ଅନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକୁ ବୋମା ଖଞ୍ଜି ଉଡ଼ାଇ ଦେବାକୁ ରବିବାର ଧମକପୂର୍ଣ୍ଣ ପତ୍ର ମିଳିଛି । ଫଳରେ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସୂଚନା ଅନୁସାରେ ମଥୁରାର ମାଲଗୋଦାମ ରୋଡ଼ସ୍ଥିତ ଜିଆରପି ବ୍ୟାରାକରେ ୪ଟି ଧମକପୂର୍ଣ୍ଣ ପତ୍ର ଲଗାଯାଇଥିଲା । ଏହି ପତ୍ରରେ ମଇ ୧୨ରେ କାଶୀ ବିଶ୍ୱନାଥ ମନ୍ଦିର ଏବଂ ମଇ ୧୩ରେ ମଥୁରା, ବୃନ୍ଦାବନ, ଗୋରଖପୁର ଏବଂ ଅଯୋଧ୍ୟାର ପ୍ରମୁଖ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଲେଖାଯାଇଛି । ଧମକପୂର୍ଣ୍ଣ ପତ୍ର ସମ୍ପର୍କରେ ସୂଚନା ମିଳିବା ପରେ କାଶୀ ବିଶ୍ୱାନଥ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସେଠାରେ ମୁତୟନ ପୁଲିସ୍‌ ଏବଂ ସିଆରପିଏଫ ଯବାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଗୁଇନ୍ଦା ବିଭାଗ ଅସାମାଜିକ ତତ୍ତ୍ୱ ଏବଂ ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛି । ଲଳିତାଘାଟସ୍ଥିତ ପଶୁପତିନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରିଦିଆଯାଇଛି । ଉଲ୍ଲେଖ ଯେ କାଶୀ ବିଶ୍ୱନାଥ ମନ୍ଦିର ବିବାଦକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ମଇ ୧୦ରେ ଶୁଣାଣି ହେବ । ହାଇକୋର୍ଟ ବିଚାରପତି ସଂଗୀତା ଚନ୍ଦ୍ରାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ । କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ଏବଂ ଅଞ୍ଜୁମାନ ଇସଲାମିୟା ବାରାଣାସୀ ବିବାଦକୁ ନେଇ ହାଇକୋର୍ଟରେ ଆବେଦନ ହୋଇଛି । କାଶୀ ବିଶ୍ୱନାଥ ମନ୍ଦିରସ୍ଥିତ ଶେଷ ମନ୍ଦିରର ଗୋଟିଏ ଅଂଶରେ ମସଜିଦ୍‌ ରଖିବାକୁ ୧୯୯୭ ଅକ୍ଟୋବର ୧୦ ଏବଂ ୧୧୯୮ ସେପ୍ଟେମ୍ବର ୨୩ରେ ନିମ୍ନଅଦାଲତ ରାୟ ଦେଇଥିଲେ । ଏହି ରାୟକୁ ସୁନ୍ନି ସେଣ୍ଟ୍ରାଲ ବୋର୍ଡ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।

Leave A Reply