ଗଣମାଧ୍ୟମକୁ ଆତଙ୍କବାଦ ସହ ତୁଳନା କଲେ କର୍ଣ୍ଣାଟକ ମନ୍ତ୍ରୀ
ବେଙ୍ଗାଲୁରୁ : କର୍ଣ୍ଣାଟକ ସାମାଜିକ କଲ୍ୟାଣ ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଗଣମାଧ୍ୟମକୁ ଆତଙ୍କବାଦ ସହ ତୁଳନା କରିଛନ୍ତି। ପ୍ରିୟଙ୍କଙ୍କ ଏପରି ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଥିବାବେଳେ ସେ ଏଥିରେ ଅଟଳ ରହିଛନ୍ତି। ଗୁରୁବାର ଖଡଗେ ଗଣଯୋଗାଯୋଗ ଛାତ୍ରଙ୍କ ସହିତ କଥାବାର୍ତ୍ତା କାଳରେ କହିଥିଲେ ଯେ ଆତଙ୍କବାଦୀ ଗୋଟିଏ ଗୁଳିରେ ଜଣଙ୍କୁ ହତ୍ୟା କରିଥାଏ; ମାତ୍ର ସାମ୍ବାଦିକ ଏକ ଅଧା ମିଛ ଖବର ପରିବେଷଣ କରି ଅନେକ ଲୋକଙ୍କୁ ହତ୍ୟା କରିଥାଏ। ସେ କହିଛନ୍ତି ଯେ ଗଣମାଧ୍ୟମ ଘଟଣାକୁ ସମ୍ପୂର୍ଣ୍ଣ ନ ଶୁଣି ଓ ନ ବୁଝି ଅଧା ମିଛ ଖବର ପରିବେଷଣ କରିଥାଏ। ହଟଚମଟ ଖବର ପରିବେଷଣ କରିବା ଓ ଟିଆରପି ବଢାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମ ଅଧା ମିଛ ଖବର ପରିବେଷଣ କରିଥାନ୍ତି। ଏହା ସତ କି ମିଛ ତାକୁ ଯାଞ୍ଚ କରିବାକୁ କେହି ଚିନ୍ତିତ ନୁହନ୍ତି। ସେ କହିଛନ୍ତି ଯେ ଆଇନ ପ୍ରଣେତାଙ୍କ ଭଳି ଗଣମାଧ୍ୟମର ମଧ୍ୟ ଦେଶ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘଟଣାକୁ ନେଇ ବିବାଦ ଦେଖାଯିବା ପରେ ଖଡଗେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ସତ ଘଟଣା ଉପରେ ଆଧାରିତ ତଥ୍ୟ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେବାକୁ ଏହା କହିଛି। କୌଣସି ଗଣମାଧ୍ୟମକୁ ଆତଙ୍କବାଦ ସହ ତୁଳନା କରି ନାହିଁ।