କଂଗ୍ରେସର ପରାଜୟକୁ ନେଇ ମମତା, ଅବ୍‍ଦୁଲ୍ଲା ଓ ଉଦ୍ଧବଙ୍କ କ୍ଷୋଭ

0

କଲକାତା : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଶାସକ କଂଗ୍ରେସ ବହୁମତରୁ ବହୁ ପଛରେ ରହିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ଅଧ୍ୟକ୍ଷା ମମତା ବାନାର୍ଜୀ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଏବଂ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କ୍ଷୋଭ ପ୍ରକାଶ କରିଛନ୍ତି। ମମତା ଟ୍ୱିଟ୍‍ କରି ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ କଂଗ୍ରେସ ଜେଡିଏସ୍‍ ସହ ମେଣ୍ଟ କରିଥିଲେ ଫଳାଫଳ ଅଲଗା ହୋଇଥାନ୍ତା ବୋଲି ମମତା କହିଛନ୍ତି। ସେହିପରି ଉମର ଅବଦୁଲ୍ଲା କର୍ଣ୍ଣାଟକରେ କଂଗ୍ରେସର ପରାଜୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ ଟ୍ୱିଟ୍‍ କରି ଲାଟିନ୍‍ ଭାଷାରେ କର୍ଣ୍ଣାଟକ ତୁମେ ବି ? ବୋଲି ଲେଖିଛନ୍ତି। ଲାଟିନ୍‍ ଭାଷାରେ ତୁମେ ବି ?କୁ ବିଶ୍ୱାସଘାତର ସଂକେତ ଭାବେ ବ୍ୟବହାର କରାଯାଇଥାଏ। ମଙ୍ଗଳବାର ଫଳ ପ୍ରକାଶ ପରେ ରାଜ୍ୟ ଶକ୍ତି ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବହୁ ପରିଶ୍ରମ କରିଥିଲେ। ହେଲେ ସ୍ଥାନୀୟ ନେତା ନିର୍ବାଚନ ଜିତିପାରିଲେ ନାହିଁ। ଆମେ ରାହୁଲଙ୍କ ରାଲିର ସମ୍ପୂର୍ଣ୍ଣ ଭାବେ ଲାଭ ଉଠାଇପାରିଲୁ ନାହିଁ। ଉଦ୍ଧବ ଠାକରେ ଟ୍ୱିଟ୍‍ କରି ଇଭିଏମ୍‍କୁ ଦୋଷ ଦେଇଛନ୍ତି। ଇଭିଏମ୍‍ ବଦଳରେ ବାଲଟ ପେପରରେ ନିର୍ବାଚନ କରିଲେ ସଠିକ୍‍ ଫଳାଫଳ ଜଣାପଡିବ ବୋଲି ସେ ଲେଖିଛନ୍ତି। ଉଲ୍ଲେଖ ଯେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନରୁ ୨୨୨ ଆସନ ପାଇଁ ମେ’ ୧୨ରେ ନିର୍ବାଚନ ହୋଇଥିଲା। ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ଅନୁସାରେ ବିଜେପି ସର୍ବାଧିକ ଭୋଟ ପାଇ ଏକ ନମ୍ବର ସ୍ଥାନରେ ରହିଥିବାବେଳେ କଂଗ୍ରେସ ଓ ଜେଡିଏସ୍‍ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

Leave A Reply