କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ୬ ରେ

0
କଂଗ୍ରେସର ୨୨ ଓ ଜେଡି(ଏସ୍‍)ର ୧୨ ମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ରାସ୍ତା ପରିଷ୍କାର ହୋଇଛି । ବେଙ୍ଗାଲୁରୁଠାରେ ଦୁଇ ମେଣ୍ଟ ଦଳ କଂଗ୍ରେସ ଓ ଜେଡି(ଏସ୍‍) ନେତାଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ପରେ ବିଭାଗ ବଣ୍ଟନ ସଂକ୍ରାନ୍ତ କଠିତ ଅଙ୍କର ସମାଧାନ ହୋଇଛି। ଶୁକ୍ରବାର ବିଭାଗ ବଣ୍ଟନ ଚୂଡ଼ାନ୍ତ ହୋଇଛି ଓ ଆସନ୍ତା ୬ତାରିଖରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ସୂଚନା ଦେଇଛନ୍ତି । ବିଭାଗ ବଣ୍ଟନ ନେଇ ଉଭୟ ପକ୍ଷ ବୁଝାମଣାରେ ଉପନୀତ ହେବା ସହିତ ବସ୍ତୁତଃ କଂଗ୍ରେସ ହାତରେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ରହିଥିବା ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଓ ଜେଡି(ଏସ୍‍)ର ୧୨ ମନ୍ତ୍ରୀ ରହିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଏକାଠି ଲଢ଼ିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ଉଭୟ ଦଳର ନେତାଙ୍କ ମଧ୍ୟରେ ୫ ପର୍ଯ୍ୟାୟ ଆଲୋଚନା ପରେ କଂଗ୍ରେସ ପାଖରେ ଗୃହ ମନ୍ତ୍ରଣାଳୟ ଓ ଜେଡି(ଏସ୍‍) ହାତରେ ଅର୍ଥ ମନ୍ତ୍ରଣାଳୟ ରହିବା ନିଷ୍ପତ୍ତି ହୋଇଥିଲା।
ଏ ସମ୍ପର୍କରେ ସୂଚନା ଦେଇ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ କେ.ସି ବେଣୁଗୋପାଳ କହିଛନ୍ତି ଯେ ମନ୍ତ୍ରିମଣ୍ଡଳରେ କଂଗ୍ରେସ ହାତରେ ସ୍ୱାସ୍ଥ୍ୟ, ଜଳସେଚନ, ନଗର ଓ ଗ୍ରାମ୍ୟ ଉନ୍ନୟନ, ବେଙ୍ଗାଲୁରୁ ନଗର ବିକାଶ, ଶିଳ୍ପ, ଗୃହ ନିର୍ମାଣ,ଭେଷଜ ଶିକ୍ଷା, ସମାଜ କଲ୍ୟାଣ, ଜଙ୍ଗଲ ଓ ପରିବେଶ, ଶ୍ରମ, ଖଣି, ମହିଳା ଓ ଶିଶୁ କଲ୍ୟାଣ, ଖାଦ୍ୟ ଓ ଯୋଗାଣ, ଆଇନ, ସଂସଦୀୟ ବ୍ୟାପାର, ଏସ୍‍ସି/ଏସ୍‍ଟି, ଯୁବ ବ୍ୟାପାର ଓ କ୍ରୀଡ଼ା, ଅନ୍ତର୍ଦେଶୀଳୟ ପରିବହନ ଏବଂ କୃଷି ଭଳି ବିଭାଗ ରହିବ। ସେହିଭଳି ଜେଡି(ଏସ୍‍) ପାଖରେ ଶକ୍ତି, ପୂର୍ତ୍ତ, ଶିକ୍ଷା, ସୂଚନା, ଗୁଇନ୍ଦା, ଯୋଜନା, ଅବକାରୀ, ସମବାୟ, ପଶୁ ସମ୍ପଦ ଓ ମତ୍ସ୍ୟ ପରିବହନ, କ୍ଷୁଦ୍ର ଶିଳ୍ପ, ପର୍ଯ୍ୟଟନ ଭଳି ବିଭାଗ ରହିବ। ବିଭାଗ ବଣ୍ଟନ ଚୂଡ଼ାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ରାଜଭବନଠାରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ନୂଆ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ଦୁଇ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି ଦେବେଗୌଡ଼ାଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ସେମାନଙ୍କ ସହିତ ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ମେ ୨୩ରେ କୁମାରସ୍ୱାମୀଙ୍କ ସରକାର ଶପଥ ଗ୍ରହଣ କରିଥିଲେ ମଧ୍ୟ ମେଣ୍ଟ ବାଧ୍ୟ ବାଧକତାରେ ବିଭାଗ ବଣ୍ଟନ ପାଲା ଛିଣ୍ଡୁ ନଥିବାରୁ ଅଦ୍ୟାବଧି ମନ୍ତ୍ରିମଣ୍ଡଳ ଗଠନ ହୋଇପାରି ନାହିଁ।

Leave A Reply