କଟକ : ସୂଚନା ଅଧିକାର ଆଇନ ବଳରେ ମାଗିଥିବା ତଥ୍ୟ ଆବେଦନକାରୀଙ୍କୁ ପ୍ରଦାନ ନ କରିବା ଏବଂ ସୂଚନା ଆୟୁକ୍ତଙ୍କ ନିର୍ଦ୍ଦେଶ ପାଳନ କରି ନ ଥିବା କପ୍ତିପଦା ପଞ୍ଚାୟତ ସମିତି ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା ହୋଇଛି। ନିଜ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା କପ୍ତିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପ୍ରଥମ ଆପିଲେଟ ଅଧିକାରୀଙ୍କୁ ସୂଚନା ଆୟୁକ୍ତ ବାଳକୃଷ୍ଣ ମହାପାତ୍ର ତାଗିଦ୍ କରିବା ସହ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ ୨୦୨୦ରେ ରାଜକିଶୋର ନାୟକ କପ୍ତିପଦା ପଞ୍ଚାୟତ ସମିତି ଦ୍ବାରା ହୋଇଥିବା କିଛି କାର୍ଯ୍ୟର ବିବରଣୀ ସୂଚନା ଅଧିକାର ଆଇନ (ଆରଟିଆଇ)ରେ ମାଗିଥିଲେ। ମାତ୍ର ଦାୟିତ୍ବରେ ଥିବା ସୂଚନା ଅଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ତଥ୍ୟ ପ୍ରଦାନ କରି ନ ଥିଲେ। ଏହା ପରେ ଆବେଦନକାରୀ ପ୍ରଥମ ଆପିଲେଟ ଅଧିକାରୀଙ୍କ ନିକଟରେ ଆେବଦନ କରିଥିଲେ। ସେଠାରୁ ନିରାଶ ହେବା ପରେ ସେ ସୂଚନା ଆୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଆୟୁକ୍ତ ଉଭୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ମାତ୍ର ଉଭୟ ଅଧିକାରୀ ଏହାର କୌଣସି ଉତ୍ତର ଦେଇ ନ ଥିଲେ କି ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ। ଏପରି କି ସ୍ପିଡ ପୋଷ୍ଟ ଜରିଆରେ ଯାଇଥିବା ନୋଟିସର ଜବାବ ରଖି ନ ଥିଲେ। ବାରମ୍ବାର ନୋଟିସ ସତ୍ତ୍ବେ ଆେୟାଗରେ ହାଜର ନ ହେବା ଓ ତଥ୍ୟ ପ୍ରଦାନ ନ କରିବାରୁ ଆୟୁକ୍ତ ପଞ୍ଚାୟତ ସମିତି ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ବାବଦ ଅର୍ଥ ଯଦି ସରକାରୀ ତହବିଲରେ ଜମା ନ କରନ୍ତିତେବେ ସମ୍ପୃକ୍ତ ଅଧିକାରୀଙ୍କ ଦରମାରୁ ୫ଟି କିସ୍ତିରେ ଭରଣା କରିବାକୁ କପ୍ତିପଦା ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



