କପିଲଙ୍କ ଲେଉଟାଣି
ଦୀର୍ଘଦିନ ହେବ କମେଡି କିଙ୍ଗ୍ କପିଲ ଶର୍ମା ଯେମିତି ନିଖୋଜ ହୋଇଯାଇଥିଲେ। ଏପରିକି ସୋସିଆଲ ମିଡିଆରେ ବି ତାଙ୍କର କିଛି ଖୋଜଖବର ମିଳୁନଥିଲା। ଗତ ମଙ୍ଗଳବାର କିନ୍ତୁ କପିଲଙ୍କୁ ମୁମ୍ବଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ତାଙ୍କର ଓଜନ ବଢିଯାଇଛି ଏବଂ ମୁଡ୍ ବି ବଦଳିବା ପରି ଲାଗୁଛି। କିଛିବର୍ଷ ହେବ କପିଲ ଶର୍ମା ଏବଂ ବିବାଦ ଯେପରି ପରସ୍ପରର ପରିପୂରକ ହୋଇଯାଇଥିଲେ। ‘ଦ କପିଲ ଶର୍ମା ଶୋ’ ବେଶ୍ ଲୋକପ୍ରିୟ ହୋଇଥିବା ବେଳେ କପିଲ ବି ଏଥିରୁ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ। ହେଲେ ସବୁ ଠିକ୍ ଚାଲିଥିବା ବେଳେ ଶୋ’ର ଅନ୍ୟତମ ଆକର୍ଷଣ ଗୁଥି- ସୁନିଲ ଗ୍ରୋଭରଙ୍କ ସହ ବିମାନରେ ତାଙ୍କର ପାଟିତୁଣ୍ଡ ହେବା ଏବଂ ଜୋତା ମରାମରି ହେବା ଘଟଣା ପରେ ସୁନିଲ ଶୋ’ ଛାଡିଦେଲେ। ବଲିଉଡ୍ର କେତେଜଣ ବଡବଡ ଷ୍ଟାରଙ୍କୁ ମଧ୍ୟ କପିଲ ଏପରି ଅଣଦେଖା କଲେ ଯେ ସେମାନେ ଶୁଟିଂ ନକରି କପିଲଙ୍କ ଶୋ’ରୁ ଫେରିଆସିବାକୁ ପଡିଥିଲା। ଏହି ଶୋ’ ବନ୍ଦ ହେବା ସହିତ କପିଲଙ୍କ ଅଭିନୀତ ଫିଲ୍ମ ‘ଫିରଙ୍ଗି’ ବି ବକ୍ସ ଅଫିସ୍ରେ ବିଫଳ ହେଲା। କିଛି ସମୟ ପରେ ସେ ପୁଣି ଆରମ୍ଭ କରିଥିବା ଏକ ଶୋ’ ‘ଫ୍ୟାମିଲି ଟାଇମ୍ ୱିଥ୍ କପିଲ’ ବି ମାତ୍ର କେତୋଟି ଏପିସୋଡ୍ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଅନ୍ୟାନ୍ୟ କାରଣ ଯୋଗୁ ବନ୍ଦ ହୋଇଗଲା। ଏବେ ଦୀର୍ଘଦିନ ବ୍ୟବଧାନରେ କପିଲଙ୍କ ଦର୍ଶନ ମିଳିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇପଡିଛନ୍ତି। ଖୁବ୍ ଶୀଘ୍ର ସେ ପରଦାକୁ ଫେରନ୍ତୁ ବୋଲି ସେମାନେ ଆଶା କରିଛନ୍ତି। କପିଲ ସମସ୍ତ ସମସ୍ୟାର ସମାଧାନ କରି ପରଦାକୁ ଫେରିବେ ବୋଲି କୁହାଯାଉଛି। କପିଲ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ଯାହା ସବୁ କୁହାଯାଉଛି, ସେ ସେସବୁକୁ ଛାଡି ନିଜ କାମରେ ଧ୍ୟାନ ଦେବେ। କାମ ହିଁ ତାଙ୍କର ମୂଳ ପ୍ରେରଣା।