କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା
ଫୁଲବାଣୀ : ଶେଷରେ କନ୍ଧମାଳର ଜୈବିକ ହଳଦୀକୁ ମିଳିଛି ଜିଆଇ ମାନ୍ୟତା। ଆନ୍ତର୍ଜାତୀୟ ପରିଚୟ ପାଇଛି କନ୍ଧମାଳ ହଳଦୀ। କସମ୍ (କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ୍ ଫର୍ ମାର୍କେଟିଙ୍ଗ)ମାଧ୍ୟମରେ ଜିଲା ପ୍ରଶାସନ ଏହି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ବିଭିିନ୍ନ ପ୍ରକ୍ରିୟା ପରେ ଚେନ୍ନଇସ୍ଥିତ ଜିଆଇ କର୍ତ୍ତର୍ୃପକ୍ଷ ଆଜି ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଜିଆଇ ମାନ୍ୟତା ପାଇବା ପରେ କନ୍ଧମାଳ ହଳଦୀର ଆନ୍ତର୍ଜାତୀୟ ବଜାରରେ ଚାହିଦା ସାଙ୍ଗକୁ ମୂଲ୍ୟ ବୃଦ୍ଧି ପାଇବ। କସମ ସଂସ୍ଥା ଦ୍ୱାରା ଅନୁବନ୍ଧିତ ହଜାର ହଜାର ଚାଷୀ ଏହି ଖୁସି ଖବର ପାଇବା ପରେ ଆନନ୍ଦ ବ୍ୟକ୍ତ କରିଛନ୍ତି। ଆସନ୍ତା ଦଶବର୍ଷ ପାଇଁ ଏହି ପ୍ରମାଣପତ୍ର ବୈଧ ରହିଛି। ଜିଆଇ ପ୍ରମାଣପତ୍ର ନମ୍ବର ୩୪୪ରେ ଏହା ଉଲ୍ଲେଖ ରହିଛି। ଜିଆଇ ମାନ୍ୟତା ଓ ହଳଦୀ ଚାଷ ଉନ୍ନତିକରଣ ଦିଗରେ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ଉଦ୍ୟମ କରିଥିଲେ। କିନ୍ତୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏ ଦିଗରେ କୌଣସି ମତାମତ ଦେଇନଥିଲେ। ଜିଲାର ପ୍ରାୟ ପଚାଶ ହଜାରରୁ ଅଧିକ ଚାଷୀ ଏହାଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି କସମ ସମ୍ପାଦକ ସଞ୍ଜିତ ପଟ୍ଟନାୟକ।
କେଉଁ ଅନାଦି କାଳରୁ ପାରମ୍ପରିକ ରୀତିରେ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦା ଜିଲାର ହଜାର ହଜାର ହେକ୍ଟର ଜମିରେ ହଳଦୀ ଚାଷ କରି ଆସୁଛନ୍ତି। ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଚାଷ କରାଯାଉଛି। ଜିଲାର ହଜାର ହଜାର ଚାଷୀ ହଳଦୀ ଚାଷକୁ ଏକ ପରମ୍ପରା ଭାବେ ଗ୍ରହଣ କରିନେଇଛନ୍ତି। ରାଜ୍ୟ ସରକାର କସମ ସଂସ୍ଥା ମାଧ୍ୟମରେ କନ୍ଧମାଳ ବ୍ରାଣ୍ଡ ହଳଦୀର ବଜାର ମଧ୍ୟ ସୃଷ୍ଟି କରିଛନ୍ତି। ଓଡିଶାର କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଉଦ୍ୟମ କରିଥିଲେ। ଗତ ପ୍ରାୟ ବର୍ଷେ ଧରି ଜିଲା ପ୍ରଶାସନ ଏ ଦିଗରେ ଉଦ୍ୟମ କରିଥିଲେ। ୨୦୧୮ ଅଗଷ୍ଟ ୩୦ ତାରିଖରେ ନୂଆଦିଲ୍ଲୀଠାରେ ଜିଆଇ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଶେଷ ଉପସ୍ଥାପନ କରିଥିଲା ଜିଲା ପ୍ରଶାସନର ସ୍ୱତନ୍ତ୍ର ଅଧିକାରୀ ଦଳ। ଜିଆଇ ମାନ୍ୟତା ପାଇବା ପାଇଁ ଦାବି କରାଯାଇଥିବା ପଏଣ୍ଟଣ୍ଟ (ବିନ୍ଦୁ) ଉପରେ ବିସ୍ତୃତ ବିବରଣୀ, ବ୍ୟାଖ୍ୟା ପ୍ରମାଣ ସହିତ ଉପସ୍ଥାପନ କରିଥିଲେି ଏହି ଟିମ୍। ଜିଲାର ପ୍ରତି ପରିବାର ଅଳ୍ପ ବହୁତେ ହଳଦୀ ଚାଷ କରିଥାନ୍ତି। ପାରମ୍ପରିକ ରୀତିରେ ସାଇତା ଯାଇଥିବା ହଳଦୀ ବିହନକୁ ପୂର୍ବରୁ ପ୍ରସ୍ତୁତ ନିଜ ବାଡି ବଗିଚା, ବିଲରେ ଲଗାଇଥାନ୍ତି। କୌଣସି ରାସାୟନିକ ସାର ଦିଅନ୍ତି ନାହିଁ। ଜୈବିକ ଉପାୟରେ ଚାଷ କରାଯାଉଥିବାରୁ ରାଜ୍ୟ କାହିଁକି, ସାରା ଦେଶରେ ଏବଂ ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ,ସାଉଦୀ ଆରବ ପ୍ରଭୃତି ଦେଶକୁ କନ୍ଧମାଳ ହଳଦୀ ରପ୍ତାନୀ କରାଯାଏ। ହଳଦୀର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ କୁର୍କୁମିନ ପ୍ରତିଶତ ମଧ୍ୟ କନ୍ଧମାଳ ହଳଦୀରେ ଯଥେଷ୍ଟ ରହିଛି। ଉପରୋକ୍ତ ସ୍ୱତନ୍ତ୍ରତା ପାଇଁ କନ୍ଧମାଳ ହଳଦୀର ଚାହିଦା ରହିଛି। ଜିଲାର ପଚାଶ ହଜାରରୁ ଅଧିକ ଚାଷୀ ଅଳ୍ପ ବହୁତେ ହଲଦୀ ଚାଷ କରିଥାନ୍ତି। କୋଟି କୋଟି ଟଙ୍କାର ହଳଦୀ ବ୍ୟବସାୟ ହୋଇଥାଏ। ୧୯୯୮ ମସିହାରେ ଜିଲା ପ୍ରଶାସନ କସମ୍ ସଂସ୍ଥା ଗଠନ କରିଥିଲେ। ବର୍ତ୍ତମାନ ସୁଦ୍ଧା ୬୧ଟି ସୋସାଇଟିର ୧୧୨୩୪ ଜଣ ଚାଷୀ ସଭ୍ୟ ହୋଇଛନ୍ତି। ପ୍ରତି ସୋସାଇଟିରେ ୧୫୦ରୁ ଦୁଇ ଶହ ଚାଷୀ ଅଛନ୍ତି। ଏହା ଭିନ୍ନ ରାଇକିଆ ଓ ଦାରିଙ୍ଗବାଡି ବ୍ଲକରେ ଜିଲା ପ୍ରଶାସନ ଚାଷୀଙ୍କ ପଞ୍ଜିକରଣ କରିଛି। କସମ ସଂସ୍ଥା ଚାଷୀଙ୍କ ଠାରୁ ସଂଗୃହୀତ ହଳଦୀକୁ ପ୍ରୋସେସିଂ କରିବା ପରେ ହଳଦୀ ଗୁଣ୍ଡ କନ୍ଧମାଳ ହଳଦୀ ବ୍ରାଣ୍ଡରେ କସମ ଦ୍ୱାରା ବିକ୍ରି କରାଯାଉଛି। ଜିଲାରେ ସରକାରୀ ହିସାବରେ ପ୍ରାୟ ଛବିଶ ହଜାର ମେଟ୍ରିକ ଟନରୁ ଅଧିକ ହଳଦୀ ଉତ୍ପାଦନ ହେଉଥିବା ବେଳେ କେବଳ ରାଇକିଆ, ଦାରିଙ୍ଗବାଡି, ଘୁ.ଉଦୟଗିରି, କ.ନୁଆଗାଁ, ଫିରିଙ୍ଗିଆ ବ୍ଲକରେ ହିଁ ଦଶ ହଜାର ମେଟ୍ରିକ ଟନରୁ ଅଧିକ ହଳଦୀ ଉତ୍ପାଦନ ହୋଇଥାଏ। ୧୨୭୧୦ ହେକ୍ଟରରୁ ଅଧିକ ଚାଷ ଜମିରେ ହଳଦୀ ଚାଷ ହେଉଥିବା ଆକଳନ କରାଯାଉଛି।
Comments are closed.