କୁଟୁରା ଶିକାର ଘଟଣା; ୨ ଅଭିଯୁକ୍ତ କୋର୍ଟ ଚାଲାଣ

କଲମପୁର: କୁଟୁରା ଶିକାର ଅଭିଯୋଗରେ ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନରେ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଜୟପାଟଣା କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

prayash

ସୂଚନା ଅନୁସାରେ, ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ହାରାମାଲ ପଂଚାୟତର ହାରାମାଲ ଏବଂ ବ୍ରାହ୍ମଣ କେନ୍ଦୁଗୁଡା ଅଂଚଳରେ ଏକ ବନ୍ୟ କୁଟୁରାକୁ କିଛି ଲୋକ ଶିକାର କରିଥିଲେ। ଏନେଇ ବନ ବିଭାଗ ସୂଚନା ପାଇବା ପରେ ତୁରନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁଟୁରା ମାଂସ ଧରିଥିବା ପରୁଆଗୁଡାର ରାମ ପଟେଲ ଏବଂ ହାରାମାଲ ଗ୍ରାମର ଗୌରାଙ୍ଗ ରାଉତ ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଏହାସହ ସେମାନଙ୍କ ନିକଟରୁ କୁଟୁରା ମାଂସ ଜବତ କରିଥିଲେ। ଉଭୟଙ୍କୁ ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଟକ ରଖି ଘଟଣାର ତଦନ୍ତ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ବନ୍ୟ ଜନ୍ତୁ ଶିକାର ଭଳି ଅଭିଯୋଗରେ ଗିରଫ କରାଯାଇଥିଲା। ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ସେମାନେ ଫେରାର ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ଗିରଫ ଉଭୟ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଘଟଣାର ତଦନ୍ତ କରିବା ପରେ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀ ଜୟଦେବ ମାଝୀ ଏବଂ କଲମପୁର ବନପାଳ ସୀମା ଧଙ୍ଗଡା ମାଝୀଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ଦୀର୍ଘ ୪୮ ଘଣ୍ଟା ଧରି ତଦନ୍ତ ଜାରି ରଖିଥିଲେ। ଜିଲ୍ଲା ସହକାରୀ ବନ୍ୟ ଜନ୍ତୁ ସଂରକ୍ଷକ ବିମଳ ଟପ୍ନୋ ଏହି ଘଟଣାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।

Comments are closed.