ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ; ଦହଗଞ୍ଜ କରୁଛି ଟାଟା ପାୱାର

କଲମପୁର: ଦହଗଞ୍ଜ କରୁଛି ଟାଟା ପାୱାର। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌‌ ସଂଯୋଗ ବିଚ୍ଛିନ୍ନ ଯୋଗୁଁ ଅନ୍ଧାରରେ ରାତିରେ ଅସହାୟ ହେଉଛନ୍ତି ବିଦ୍ୟୁତ ଉପଭୋକ୍ତା। ଦିନେ କିମ୍ବା ଦୁଇ ଦିନ ନୁହେଁ ରିତିମତ କଲମପୁର ଏବଂ ଥୁଆମୁଳ ରାମପୁର ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ସେବା ପାଇବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବାରମ୍ବାର ଉପଭୋକ୍ତାଙ୍କ ପକ୍ଷରୁ ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି। ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ନିଜ ନିଜ ପଦବୀ ବଞ୍ଚାଇବା ପାଇଁ ଏ ଦିଗରେ ନିରବ ଦର୍ଶକ ସାଜିଛନ୍ତି। ବିଗତ ଦିନରେ ବାନେର ଗ୍ରୀଡରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ବିଦ୍ୟୁତ ସେବା ଯୋଗାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଉକ୍ତ ପ୍ରସ୍ତାବ ସରକାରଙ୍କ ନାଲି ଫିତା ବନ୍ଧା ଫାଇଲ ତଳେ ଚାପି ହୋଇ ରହିଯାଇଛି। ଅନ୍ୟପଟେ ରାୟଗଡ଼ା ଜିଲ୍ଲା ଚନ୍ଦରଗିରୀ ବିଦ୍ୟୁତ ଷ୍ଟ୍ରକ୍‌ଚରରୁ ଥୁଆମୁଳ ରାମପୁରକୁ ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗୀୟ ଅବହେଳା ପାଇଁ ଅଧାରେ ଅଟକି ରହିଛି କାର୍ଯ୍ୟ, ଯେଉଁଥିପାଇଁ ଜୁନାଗଡ଼ ଦୟାରେ ଉଭୟ ବ୍ଲକକୁ ବିଦ୍ୟୁତ ସେବା ମିଳୁଛି।

prayash

ଗତ ଶନିବାର ରାତି ପ୍ରାୟ ୮ଟାରୁ ରବିବାର ସକାଳ ୯ଟା ଯାଏଁ ୩୩ କେଭିରେ ତୃଟି ଦର୍ଶାଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରହିଥିଲା। ଲୋକେ ଅନ୍ଧାରରେ ସାପ, ବିଚ୍ଛା ଏବଂ ଅନ୍ୟ ବିଷାକ୍ତ କୀଟ ସମେତ ମଶାର ଉପଦ୍ରବ ସହି ରାତି ବିତାଇବାକୁ ବାଧ୍ୟ ହୋଇଥିଲେ। ଟାଟା ପାୱାର ଦ୍ୱାରା ବିଦ୍ୟୁତ ସେବା ଯୋଗାଇଲେ ଲୋକେ ସୁବିଧା ପାଇବାର ଯେଉଁ ଆଶା କରାଯାଉଥିଲା ତାହା ଏବେ ସ୍ୱପ୍ନ ପାଲଟୁଛି। ଯେଉଁ ଉତ୍ସାହରେ ବିଦ୍ୟୁତ ଦେୟ ଆଦାୟ କରାଯାଉଛି ସେହି ଉତ୍ସାହରେ ବିଦ୍ୟୁତ ସେବା ମିଳୁ ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Comments are closed.