ଝାରସୁଗୁଡ଼ା : ଝାରସୁଗଡାରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ରାୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍ ସଫଳ ହେବା ପରେ ଉଡାନ-୩ ଯୋଜନାରେ ବୁଧବାର ଠାରୁ ଏଲାୟନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଯାଇଛି। ପୂର୍ବରୁ ଚଳିତ ମାସ ୧ରୁ ଏହି ସେବା ଆରମ୍ଭ ହେବାର ଥିଲା। କିନ୍ତୁ ଏଲାୟନ୍ସ ଏୟାରର କିଛି କାମ ବାକିଥିବାରୁ ବୁଧବାର ଠାରୁ ଏହି ସେବା ଆରମ୍ଭ ହୋଇଛି। ବୁଧବାର ସକାଳ ୧୦ଟା ୩୦ରେ ବିମାନ ଭୁବନେଶ୍ୱରରୁ ଝାରସୁଗୁଡାକୁ ପହଁଚି ଥିବା ବେଳେ ୧୧:୫୫ରେ ଝାରସୁଗୁଡାରୁ ଭୁବନେଶ୍ୱର ବାହାରିଥିଲା। ପ୍ରଥମ ଦିନରେ ଭୁବନେଶ୍ୱରରୁ ୩୫ଜଣ ଯାତ୍ରୀ ଝାରସୁଗୁଡ଼ା ଆସିଥିବା ବେଳେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ୫୫ଜଣ ଯାତ୍ରୀ ଯାଇଛନ୍ତି। ଆଗାମୀ ଦିନରେ ଝାରସୁଗୁଡା ରାଜ୍ୟର ଗୋଟିଏ ଅଗ୍ରଣୀ ବିମାନ ବନ୍ଦର ରୂପରେ ଗଢି ଉଠିବ ବୋଲି ବରଗଡ଼ ସାଂସଦ ଆଶା ରଖିଛନ୍ତି। ଝାରସୁଗୁଡ଼ା ଏୟାରପୋର୍ଟର ଭବିଷ୍ୟତ ଖୁବ ଉଜ୍ବଳ ଥିବା କଥା ସିଭିଲ ଏଭିଏସନ ସେକ୍ରେଟାରୀ ଉଷା ପାଢ଼ୀ କହିଛନ୍ତି । ବିମାନ
ଭୁବନେଶ୍ୱରରୁ ଝାରସୁଗୁଡା ଏବଂ ଝାରସୁଗୁଡାରୁ ଭୁବନେଶ୍ୱର ଚଳାଚଳ କରିବା ପରେ ଯାତ୍ରୀମାନେ ବେଶ୍ ଖୁସି ଅଛନ୍ତି । ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗାଲୁରୁ ଭଳି ପ୍ରମୁଖ ସହରକୁ ମଧ୍ୟ ବିମାନ ସେବା ଯୋଗାଇ ଦେବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଝାରସୁଗୁଡା ବିମାନ ବନ୍ଦରରେ ବୁଧବାର ଦିନ ୧୧ଟା ରୁ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି। ଉଦଘାଟନୀ ସମାରୋହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ ସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଛନ୍ତି। ଆଗାମୀ ଦିନରେ ବେଙ୍ଗାଲୁରୁ ଏବଂ ମୁମ୍ବାଇକୁ ମଧ୍ୟ ବିମାନ ଚାଲିବା ନେଇ ପ୍ରଚେଷ୍ଟା କରାଯିବ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି।



