ଜେଡିଏସ୍ ପ୍ରଭାବ, ସିଦ୍ଧରମୈୟା କହିଲେ ଦଳିତ ପାଇଁ ଛାଡ଼ିଦେବି ମୁଖ୍ୟମନ୍ତ୍ରୀ ପଦ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆସିବାକୁ ଆଉ ଦୁଇ ଦିନ ବାକି ଅଛି । କିନ୍ତୁ ଫଳକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ନ୍ୟୁଜ୍ ଏଜେନ୍ସି ଏବଂ ଅନ୍ୟ ସଂସ୍ଥା ଦ୍ୱାରା ହୋଇଥିବା ଏକ୍ସିଟ ପୋଲରେ କଂଗ୍ରେସ ଓ ବିଜେପି କାହାକୁ ବି ବହୁମତ ମିଳିନଥିବା ଦେଖାଯାଇଛି । ଫଳରେ ଜେଡିଏସ୍ କିଙ୍ଗମେକର ହେବା ସୁନିଶ୍ଚିତ ହୋଇଯାଇଛି । ଏ କ୍ରମରେ କଂଗ୍ରେସ ସୁଚିନ୍ତିତ ଉପାୟରେ ଗୋଟି ଚାଳନା ଆରମ୍ଭ କରିଛି । ଜେଡିଏସ୍କୁ ନିଜ ପଟକୁ ନେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ କୌଣସି ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଚାହିଁଲେ ସେ ଏହି ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି । କୁହାଯାଉଛି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିଲେ ଜେଡିଏସ୍ ସମର୍ଥନ ଦେବ ନାହିଁ । ‘ଟିଭି-୯’ କନ୍ନଡ଼ ରିପୋର୍ଟ ଅନୁସାରେ ସିଦ୍ଧରମୈୟା କହିଛନ୍ତି ଯେ କୌଣସି ଦଳିତ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସେ ପ୍ରସ୍ତୁତ ଅଛନ୍ତି । ଏପର୍ଯ୍ୟନ୍ତ କଂଗ୍ରେସ ଜିତିବ ବୋଲି ଦାବି କରିଆସୁଥିବା ସିଦ୍ଧରମୈୟାଙ୍କ ଏଭଳି ଟିପ୍ପଣୀ ଦଳର ଦୁର୍ବଳ ପ୍ରଦର୍ଶନକୁ ପ୍ରତିପାଦିତ କରୁଛି ବୋଲି କୁହାଯାଉଛି । ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ମେଣ୍ଟର ସ୍ଥିତି ଉପୁଜିଲେ କଂଗ୍ରେସ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ଜେଡିଏସ୍ର ସମର୍ଥନ ପାଇବା ପାଇଁ ଚେଷ୍ଟା କରିପାରେ । ମେଣ୍ଟର ପରିବେଶକୁ ସହଜ କରିବା ପାଇଁ କଂଗ୍ରେସର ଋଣନୀତି ଅନୁସାରେ ସିଦ୍ଧରମୈୟା ଏଭଳି ମନ୍ତବ୍ୟ ଦେଉଛନ୍ତି । ଅପରପକ୍ଷରେ ଜେଡିଏସ୍ ପକ୍ଷରୁ କୁହାଯାଇଛି ଯେ ମେଣ୍ଟ ପାଇଁ ଆମେ ନୁହେଁ ପ୍ରଥମେ କଂଗ୍ରେସ କଥାବାର୍ତ୍ତା ଆରମ୍ଭ କରୁ। ଜେଡିଏସ୍ ଓ ବିଜେପି ମେଣ୍ଟ୨୦୦୮ରେ ମତଭେଦରୁ ଭାଙ୍ଗିଥିଲା । ତେଣୁ ଜେଡିଏସ୍ ପୁଣି ବିଜେପିକୁ ସମର୍ଥନ ଦେବ ନାହିଁ ବୋଲି ଆଲୋଚନା ହେଉଛି । ଏଚ୍ଡି ଦେବଗୌଡ଼ାଙ୍କ ଜେଡିଏସ୍ ଓ କଂଗ୍ରେସ ମେଣ୍ଟ ମଧ୍ୟରେ ସିଦ୍ଧରମୈୟା କଣ୍ଟା ସାଜିଛନ୍ତି । କାରଣ ୨୦୦୫ରେ ଦେବଗୌଡ଼ା ଜେଡିଏସ୍ରୁ ସିଦ୍ଧରମୈୟାଙ୍କୁ ବହିଷ୍କାର କରିଥିଲେ । ଏହାପରେ ସିଦ୍ଧରମୈୟା କଂଗ୍ରେସରେ ମିଶିଥିଲେ । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ଜେଡିଏସ୍ ସମର୍ଥନ ଦେବ ନାହିଁ। ଜେଡିଏସ୍ର ସମର୍ଥନ ପାଇବାକୁ ହେଲେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଧରମୈୟାଙ୍କୁ ହଟାଇବାକୁ ପଡ଼ିବ।