ଏସ୍ଓଜି ଜବାନଙ୍କ ମାନବିକତା : ଗୁରୁତର ରୋଗୀଙ୍କୁ ଭାରରେ ଡାକ୍ତରଖାନା ନେଲେ
ଫୁଲବାଣୀ : : କନ୍ଧମାଳ ଜିଲାର ବିିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ଏସ୍.ଓ.ଜି ଜବାନ । ବିଭିନ୍ନ ସମୟରେ ମାଓବାଦୀଙ୍କୁ ଦମନ କରିବା ହେଉ କିମ୍ବା ମାଓବାଦୀଙ୍କ କ୍ୟାମ୍ପ ଓ ମାଓ ସାମଗ୍ରୀ ଜବତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଆଜି କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅଞ୍ଚଳରେ ନିୟୋଜିତ ହୋଇଥିବା ଜବାନ ମାନେ ମାନବିକତା ଦେଖାଇଛନ୍ତି । ବିଶେଷ କରି କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଳକ ଦ୍ୱିତୀୟ ବୃହତ୍ତମ ବ୍ଳକ ହୋଇଥିବା ବେଳେ ଏହି ବ୍ଳକରେ ୨୦୦ରୁ ଅଧିକ ଗ୍ରାମକୁ ନାହିଁ ସବୁ ଦିନିଆ ରାସ୍ତା । ଏଭଳି ସ୍ଥଳରେ ଜବାନ ମାନେ ବିଭିନ୍ନ ସମୟରେ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ କମ୍ବିଂ ଅପରେସନ କରିଥାନ୍ତି । ଆଜି ଏସ୍ଓଜି ଜବାନ ମାନେ ଗୋଛାପଡ଼ା ଥାନା ଅନ୍ତର୍ଗତ ବାରାହାଲା ଗ୍ରାମର ଲବେରିକେଟା ଅଞ୍ଚଳରେ କମ୍ବିଂ ଅପରେସନରେ ଯାଇଥିବାବେଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଗୁରୁତର ଭାବେ ବିିଭିନ୍ନ ରୋଗରେ ପିଡ଼ିତ ହୋଇ ଚିକିତ୍ସା ସୁବିଧା ନପାଇ ଘରେ ପଡ଼ିରହିଥିଲେ। ଜବାନ ମାନେ ଖବର ପାଇ ଉକ୍ତ ମହିଳାଙ୍କ ଘରେ ପହଞ୍ଚିବା ସହିତ ଗମନା ଗମନର ସୁବିଧା ନଥିବା ଯୋଗୁଁ ଏକ ଭାରରେ ପାହାଡ଼ ପର୍ବତ ପାର କରାଇ ରାସ୍ତାକୁ ଆଣିଥିଲେ ଓ ସେଠାରୁ ଏକ ଗାଡ଼ିରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜବାନ ମାନଙ୍କର ଏଭଳି ମାନବିକତାକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଥିବା ବେଳେ ଖବର ପାଇ କନ୍ଧମାଳ ଏସ୍.ପି ସୁଭେନ୍ଦୁ ପାତ୍ର ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶଯେ , ଗୋଛାପଡ଼ା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ରାତିରେ ନକଲି ପୁଲିସ ତଲାସି ନାମରେ ବିଭିନ୍ନ ଗ୍ରାମରେ ପ୍ରବେଶ କରି ସାଧାରଣ ଜନତାଙ୍କ ଠାରୁ ଲୁଟ୍ ପାଟ୍ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ବିିଭିନ୍ନ ଦୃଷ୍ଟିରୁ ଜବାନ ମାନେ ଉକ୍ତ ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରବଳ ଖରାରେ ମଧ୍ୟ ଦିନ ଓ ରାତିରେ ବିିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଜାରି ରଖିଥିବା ପୁଲିସ ବିଭାଗ ସୂତ୍ରରୁ ପ୍ରକାଶ । ଆଜି କମ୍ବିଂ ଅପରେସନରେ ଯାଇଥିବା ଜବାନ ମାନେ ନାନା ପ୍ରକାର ସମସ୍ୟା ମଧ୍ୟରେ ଗୁରୁତର ମହିଳା ରୋଗୀଙ୍କୁ ଚିକିତ୍ସା ପାଇଁ ଭାରରେ ବୋହି ଆଣିଥିବାରୁ ଉକ୍ତ ଅଞ୍ଚଳବାସୀ ବେଶ ପ୍ରଶଂସା କରିଥିବା ବେଳେ ଏହି ସବୁ ଦୁର୍ଗମ ଅଞ୍ଚଳ ମାନଙ୍କରେ ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ଗମନା ଗମନର ବ୍ୟବସ୍ଥା ଉପରେ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି ।
Comments are closed.