ଜାପାନୀଙ୍କ ଭଦ୍ରାମିର ପରିଚୟ

ବୌଦ୍ଧଧର୍ମାବଲମ୍ବୀ ଜାପାନ ଲୋକ ନିଜ ଅମାୟିକ ବ୍ୟବହାର, ଚାଲିଚଳଣ ପାଇଁ ବିଶ୍ବସ୍ତରରେ ପରିଚିତ। ଶାନ୍ତ, ନମ୍ର ସ୍ବଭାବର ଜାପାନୀ ବଚସା, ପାଟିତୁଣ୍ଡ କରିବାକୁ ଭୟ କରୁଥିବାବେଳେ ନିରବତାର ସହ ପ୍ରତ୍ୟେକ କାମ କରିବାକୁ ଭଲ ପାଆନ୍ତି। ସ୍ଥାନୀୟ ଲୋକ ପାରମ୍ପରିକ ନିୟମକୁ ପାଳନ କରିବାରେ ଗର୍ବିତ ଅନୁଭବ କରିବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ରହଣି ସମୟରେ ସମାନ ପରାମର୍ଶ ଦିଆଯାଏ। ଜାପାନର ଯେ କୌଣସି ପ୍ରାନ୍ତକୁ ଗଲେ, ସବୁଠାରେ ସେହି ସମାନ ନୀତିନିୟମ। ସେଠାରେ ଚାଲିଚାଲି ଖାଇବା, ପାଣି ପିଇବା ଅଭଦ୍ରାମିର ପରିଚୟ। ରାସ୍ତାକଡ଼ରେ ଭେଣ୍ଡିଂ ଜୋନ୍ ଥିବାବେଳେ, ଖାଦ୍ୟ ସାମଗ୍ରୀ କିଣି ପାଖ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇ ନଚେତ୍ ଅନ୍ୟ କୌଣସି ଫୁଟ୍ ସେଡ୍ରେ ଛିଡ଼ା ହୋଇ ଖାଦ୍ୟ ଖାଇପାରିବେ। ଚାଲିଚାଲି ଖାଉଥିବା ଲୋକଙ୍କୁ ଜାପାନୀ ଲୋକ ଘୃଣ୍ୟ ଚକ୍ଷୁରେ ଦେଖିବା ସହ ସେମାନଙ୍କ ସହ ମିଳାମିଶା କରିବାକୁ ପସନ୍ଦ କରିନଥାନ୍ତି। ଏପରିକି ହୋଟେଲ, ରେସ୍ତୋରାଁରେ ପାର୍ଟି ଆୟୋଜିତ ହୋଇଥିଲେ, ସମସ୍ତ ଅତିଥିଙ୍କ ବସିବାର ବନ୍ଦୋବସ୍ତ ପ୍ରଥମେ କରାଯାଏ। ବିଦେଶୀ ପର୍ଯ୍ୟଟକ ଜାପାନରେ ଭ୍ରମଣ କରିବା ପୂର୍ବରୁ ଟୁରିଷ୍ଟ ଗାଇଡ୍ ଏ ବାବଦରେ ସେମାନଙ୍କୁ ଅବଗତ କରାଇବା ପ୍ରଥମ କାମ। ସେଠା ବୟସ୍କ ପିଢ଼ିଙ୍କ ମତରେ, ଏହା ପୂର୍ବଜଙ୍କ ନିୟମ। ବସି କରି କିମ୍ବା କୌଣସି ସ୍ଥାନରେ ଛିଡ଼ା ହୋଇ ଖାଇବାର ଅର୍ଥ ହେଲା ଭୋଜନକୁ ସେମାନେ ସମ୍ମାନ ଦେଇଥାନ୍ତି। ଚାଲିବୁଲି ଖାଇଲେ ଖାଦ୍ୟକୁ ଅପମାନ ହୁଏ ବୋଲି ସେମାନଙ୍କ ମତ। ଯଦି ବା କୌଣସି ପର୍ଯ୍ୟଟକ ଜାପାନ ଭ୍ରମଣ ସମୟରେ ବୁଲିବୁଲି ଖାଉଥିବାର ଦେଖାଯାଏ, ପାଖଆଖର ଲୋକ ସେମାନଙ୍କୁ ଜାପାନୀ ନିୟମ ବିଷୟରେ ତତକ୍ଷଣାତ୍ ଅବଗତ କରାଇଥାନ୍ତି।
Comments are closed.