ଗାଁକୁ ପାଣି ଆଣିଥିବା ଚର୍ଚ୍ଚିତ ଯୁବକଙ୍କ ସହ ଦାଦନ ଖଟିବାକୁ ଯାଇ ନିର୍ଯାତିତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଦୁର୍ଗମ ସିନ୍ଧୁପଙ୍କ ଗ୍ରାମର ଜଣେ ଯୁବକ ଦାଦନ ଖଟି ଗ୍ରାମକୁ ପାହାଡ଼ରୁ ଦୁଇ ବର୍ଷ ପୂର୍ବେ ପାଣି ଆଣିଥିବା ଖବର ସମାଜରେ ପ୍ରକାଶ ପାଇଥିଲା। ଏବେ ସେହି ଯୁବକଙ୍କ ସହିତ ତାଙ୍କରି ଦୁଇ ସମ୍ପର୍କୀୟ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବାବେଳେ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତିତ ହୋଇ ଫେରିଥିବା ଜଣା ପଡିଛି। ସଂପୃକ୍ତ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁପଙ୍କ ଓ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମରେ। ଗତ ଗୁରୁବାର ଦିନ ସିନ୍ଧୁପଙ୍କ ଗ୍ରାମର ଭୀମ ବେହେରା (୩୭),ଗଙ୍ଗାପୁର ଗ୍ରାମର କୃଷ୍ଣ କାର୍ଜି (୧୮) ଓ ଟୁନା ଶବର (୨୦) ନାମକ ତିନି ଜଣ ଯୁବକ ଦାଦନ ଖଟିବାକୁ କେରଳ ରାଜ୍ୟ ଯାଉଥିଲେ। ରେଳରେ କିଛି ଦୁର୍ବୃତ୍ତ ସେଲାମ ଷ୍ଟେସନରେ ଗୋଟିଏ ଭିଜିଟିଙ୍ଗ କାର୍ଡ ଦେବା ସହ ପାରଲେଜି ବିସ୍କୁଟ କାରଖାନାରେ କାମ କରିବା ପାଇଁ ଶ୍ରମିକ ଆବଶ୍ୟକ ଥିବା ନେଇ ସୂଚନା ଦେଇଥିଲେ। ତେବେ ତିନି ଜଣ ଯୁବକ ପୂର୍ବରୁ ଯାଇଥିବା ତ୍ରିଭେନ୍ଦ୍ରମ୍ ନିକଟ ଏକ କାରଖାନାରେ ପହଞ୍ଚିବା ପରେ କାମ ତୁଳନାରେ କମ୍ ଦରମା ଜାଣି ଫେରି ଆସି ରେଳ ଷ୍ଟେସନରେ ରାତ୍ର ବିଶ୍ରାମ ନେବା ସହ ସଂଗ୍ରହ କରିଥିବା ଭିଜିଟିଙ୍ଗ କାର୍ଡରେ ଥିବା ଫୋନ ନମ୍ୱରରେ ଯୋଗାଯୋଗ କରିଥିଲେ। ସେହି ବ୍ୟକ୍ତି ଆସିବାକୁ କହିବା ପରେ ସକାଳେ ସେଲାମ ଷ୍ଟେସନରେ ପହଞ୍ଚି ଯୋଗାଯୋଗ କରିଥିଲେ। ସେଲାମ ଷ୍ଟେସନରେ ଦୁଇ ଜଣ ବ୍ୟକ୍ତି ଗୋଟିଏ କାରରେ ଆସି ତିନି ଆଦିବାସୀ ଯୁବକଙ୍କୁ ତିନି ଘଣ୍ଟା ଜଙ୍ଗଲ ରାସ୍ତାରେ ନେବା ପରେ ଗୋଟିଏ ବନ୍ଦ କୋଠରୀରେ ରଖି ଉଲଗ୍ନ କରି ପ୍ରବଳ ମାଡ଼ ମାରିବା ସହିତ ଶାରୀରିକ ନିର୍ଯାତନା ଦେଇ ଥିବା ଭୀମ  କହିଛନ୍ତି। ପ୍ରାୟ ଦଶ ଜଣ ଯୁବକ ତାଙ୍କୁ ଅଟକ ରଖି ତିନି ଜଣଙ୍କୁ ନିର୍ଦ୍ଧୁମ ମାଡ ମାରିବା ପରେ ତାଙ୍କୁ ଜଣକ ପିଛା ୧୫ ହଜାର ଟଙ୍କା ଲେଖାଏଁ ଏକ ଘଣ୍ଟା ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଭୀମଙ୍କ ଭଣଜା ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା କହିବା ପରେ ତାଙ୍କୁ ମାଡରୁ ଟିକିଏ ତ୍ରାହି ମିଳିଥିଲା। ଯଦି ଟଙ୍କା ଦେବାରେ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଅଧ ଘଣ୍ଟାରେ ୫ ହଜାର ଟଙ୍କା ଅଧିକ ଦେବାକୁ କହି ଥିଲେ। ପ୍ରଥମେ ଭୀମ ବେହେରା ଭୀମ ତାଙ୍କ ପତ୍ନୀ ସରସ୍ଵତୀଙ୍କୁ ଫୋନ୍ କରି ତୁରନ୍ତ ପନ୍ଦର ହଜାର ଟଙ୍କା ନ ପଠାଇଲେ ଜୀବନ ପ୍ରତି ବିପଦ ଥିବା କହିବା ପରେ ପତ୍ନୀ ସୁରଙ୍ଗିର ଦୁଇ ଜଣଙ୍କ ଠାରୁ ପନ୍ଦର ହଜାର ଟଙ୍କା ଧାର ଆଣି ପଠାଇଥିଲେ। ସେହି ପରି ଅନ୍ୟ ଦୁଇ ଜଣ ଜଣଙ୍କ ପରିବାର ୪୫ ହଜାର ମୋଟ ଷାଠିଏ ହଜାର ଟଙ୍କା ଗୁଗଲପେରେ ପଠାଇଥିଲେ। ଅର୍ଥ ମିଳିବା ପରେ ଦୃର୍ବୁତ୍ତ ମାନେ ସମସ୍ତଙ୍କ ମୋବାଇଲ ଛଡାଇ ନେବା ସହ ତିନି ଜଣଙ୍କ ଆଖିରେ କଳା ପଟି ବାନ୍ଧି ବେକରେ ଧାରୁଆ ଅସ୍ତ୍ର ରଖି ତିନି ଘଣ୍ଟା ଜଙ୍ଗଲି ଚଲାପଥରେ ନେବା ପରେ ତାଙ୍କୁ ମୁଖ୍ୟ ରାସ୍ତାରେ ଛାଡିବା ସହ ରାସ୍ତା ଖର୍ଚ୍ଚ ପାଇଁ ୫୦୦ ଟଙ୍କା ଦେଇ ଚାଲିଯାଇଥିଲେ। ସେଠାରୁ ବସ ପରେ ଟ୍ରେନ ଯୋଗେ ବହୁ କଷ୍ଟରେ ଗତ କାଲି ରାତ୍ର ପହଞ୍ଚି ଗ୍ରାମକୁ ଖବର ଦେଇ ଥିଲେ। ସମ୍ପର୍କୀୟମାନେ ଖବର ପାଇ ଇଚ୍ଛାପୁର ରେଳ ଷ୍ଟେସନରୁ ସେମାନଙ୍କୁ ଗ୍ରାମକୁ ନେଇଥିଲେ। ତେବେ ଭୀମକୁ ପ୍ରବଳ ମାଡ଼ ହୋଇଥିବା ଦେଖି ଆଜି ସକଳେ ପାତ୍ରପୁରର ଏକ ବେସରକାରୀ ଡାକ୍ତର ଖାନାକୁ ନେବା ପରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।

ବିଭିନ୍ନ ସମୟରେ ପାତ୍ରପୁର ବ୍ଳକରୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ନିର୍ଯାତିତ ହେଉ ଥିବା ନଜିର ରହିଛି । ଚଳିତ ମାସ ପ୍ରଥମ ସପ୍ତାହରେ ତାମିଲନାଡୁ ଅମନର ଏକ କ୍ରସରରେ କାର୍ଯ୍ୟ କରୁଥିବା ତୁମ୍ବା ପଞ୍ଚାୟତ ଢେପସାହିର ଜଣେ ଯୁବକ ଦଣ୍ଡପାଣି ଶବର ଗ୍ରାମକୁ ଫେରୁଥିବା ବେଳେ ଇରୁଡୁ ଷ୍ଟେସନ ନିକଟରେ ହତ୍ୟା କରାଯାଇଥିଲା ପୋଲିସ ତିନିଜନକୁ ଗିରଫ କରିଥିବା ବେଳେ ଅର୍ଥ ଅଭାବ ରୁ ଶବ୍ ଗ୍ରାମକୁ ଆସି ପାରି ନଥିଲା। ତେବେ ଦାଦନ ଖଟିବାକୁ ଯାଇ ବାରମ୍ବାର ଏହି ପରି ଘଟଣା ଘଟୁଥିବାବେଳେ ଏହି ଘଟଣା ଅମାନବିକତାର ସୀମା ପାର କରିଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରିବାର ଗୁହାରୀ କରିଛନ୍ତି।

Comments are closed.