www.samajalive.in
Friday, December 12, 2025
23.1 C
Bhubaneswar

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ ଦିନ ପାଇଁ ଆଲୋଚନା ହୋଇଛି। ଆଲୋଚନା କାଳରେ ଗୃହର ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଥିଲେ ଯେ ସମ୍ବିଧାନ ପରିଷଦରେ ବନ୍ଦେ ମାତରମ୍ ପ୍ରତି ଯେଉଁ ଅବହେଳା ଓ ପକ୍ଷପାତିତା ହୋଇଥିଲା ସେଥିପାଇଁ ଜବାହରଲାଲ ନେହେରୁ ହିଁ ଦାୟୀ। ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଦେଶର ଜାତୀୟ ସଙ୍ଗୀତ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି। କାରଣ ନେହେରୁଙ୍କ ନେତୃତ୍ବାଧୀନ କ୍ୟାବିନେଟ୍ ଜନ ଗଣ ମନକୁ ଭାରତର ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା। ନଡ୍ଡା କହିଥିଲେ ଯେ ୧୯୩୬-୩୭ରେ ନେହେରୁ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ। ନେହେରୁଙ୍କ ଏହି ଅଧ୍ୟକ୍ଷତା ସମୟରେ ବନ୍ଦେ ମାତରମ ଭଳି ପବିତ୍ର ସଙ୍ଗୀତରେ ପରିବର୍ତ୍ତନ କରାଯାଇଥିଲା। ଗୀତରେ ଭାରତ ମାତା ଓ ମା’ ଦୁର୍ଗାଙ୍କ ସମ୍ପର୍କରେ ଯେଉଁ ଦୁଇ ପଙ୍‌କ୍ତି ଲେଖାଯାଇଥିଲା ତାକୁ ବାଦ୍ ଦିଆଯାଇଥିଲା। ସାମ୍ପ୍ରଦାୟିକ ଶକ୍ତିଙ୍କ ଚାପରେ ନେହେରୁ ଏପରି କରିଥିଲେ। ୧୯୩୭ ଅଗଷ୍ଟ ୧୫ ଜାତୀୟ କଂଗ୍ରେସର ଲକ୍ଷ୍ନୌ ଅଧିବେଶନ କାଳରେ ମହମ୍ମଦ ଅଲ୍ଲୀ ଜିନ୍ନା ବନ୍ଦେ ମାତରମ୍ ଉପରେ ଫତୱା ଜାରି କରିଥିଲେ। ଜିନ୍ନାଙ୍କ ଏହି ଫତୱା ବିରୋଧରେ ଲଢେଇ କରିବା ପରିବର୍ତ୍ତେ ନେହେରୁ ବନ୍ଦେ ମାତରମ୍ ଉପରେ ଏକ ତଦନ୍ତ କରାଇଥିଲେ। ଆଉ ସେହି ବର୍ଷ ଅକ୍ଟୋବର ୨୦ରେ ନେହେରୁ ନେତାଜୀ ସୁଭାଷ ବୋଷଙ୍କ ନିକଟକୁ ପତ୍ର ଲେଖି ଜଣାଇଥିଲେ ଯେ ବନ୍ଦେ ମାତରମ୍ ମୁସଲମାନଙ୍କ ପାଇଁ ଗ୍ରହଣୀୟ ହେଉ ନାହିଁ। ପରେ ବନ୍ଦେ ମାତରମ୍ ମୂଳ ଗୀତରୁ କିଛି ପଙ୍‌କ୍ତିକୁ ବାଦ୍ ଦେବାକୁ ସେ କହିଥିଲେ। ନଡ୍ଡା କହିଛନ୍ତି ଯେ ରାଜ୍ୟସଭାରେ ବନ୍ଦେ ମାତରମ୍ ଉପରେ ଦୁଇଦିନ ଧରି ହୋଇଥିବା ଆଲୋଚନାରେ ୮୦ଜଣ ସଦସ୍ୟ ଭାଗ ନେଇଛନ୍ତି। ଏତେ ସଦସ୍ୟ ଆଲୋଚନାରେ ଭାଗ​‌ ନେବାରୁ ପ୍ରମାଣିତ ହେଉଛି ଏହି ପ୍ରସଙ୍ଗ ବର୍ତ୍ତମାନ ସମୟ ପାଇଁ କେତେ ଗୁରୁତ୍ବ। ଏହି ଆଲୋଚନା ଦ୍ବାରା ଯୁବ ସମାଜ ଯେଉଁମାନେ କି ସ୍ବାଧୀନତା ସଂଗ୍ରାମ ବାବଦରେ ବିଶେଷ ଅବଗତ ନୁହନ୍ତି ସେମାନେ ଏହା ଉପରେ ଜାଣିବାର ଅବକାଶ ପାଇଛନ୍ତି। କେବଳ ଇତିହାସକୁ ପଢି ଜଣେ ଜ୍ଞାନ ହାସଲ କରିବା ଠାରୁ ଆଲୋଚନା ଦ୍ବାରା ଅଧିକ ଜ୍ଞାନ ହାସଲ କରିହୁଏ। ଆମେ ଯେତେବେଳେ ବନ୍ଦେ ମାତରମ୍ କହୁ ସେତେବେଳେ ଆମ ମନରେ ଜାତୀୟତା ଭାବ ଜାଗ୍ରତ ହୋଇଥାଏ।
ନଡ୍ଡାଙ୍କ ଅଭିଭାଷଣ ବେଳେ ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଭିଭାଷଣ ମଝିରେ ହସ୍ତକ୍ଷେପ ପୂର୍ବକ କହିଥିଲେ ଗୃହରେ ବନ୍ଦେ ମାତରମ୍ ପରିବର୍ତ୍ତେ ନେହେରୁଙ୍କ ଉପରେ ଅଧିକ ଆଲୋଚନା କରାଯାଉଛି। କଂଗ୍ରେସ ସଦସ୍ୟ ଜୟରାମ ରମେଶ କହିଥିଲେ ଯେ ଏହି ଆଲୋଚନାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନେହେରୁଙ୍କୁ ନିନ୍ଦିତ କରିବା। ଅନ୍ୟପଟେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ସାମ୍ବାଦିକଙ୍କୁ କହିଛନ୍ତି ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବହୁତ ଚାପରେ ରହିଛନ୍ତି। ବୁଧବାର ସେ ଲୋକସଭାରେ କହୁଥିବାବେଳେ ତାଙ୍କ ହାତ ଥରୁଥିଲା। ବୁଧବାର ଲୋକସଭାରେ ଏସଆଇଆର ଉପରେ ଆଲୋଚନା ବେଳେ ରାହୁଲ ଓ ଶାହା ମୁହାଁମୁହିଁ ହୋଇଥିଲେ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories