www.samajalive.in
Friday, December 12, 2025
23.1 C
Bhubaneswar

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃ‌ଷ୍ଟି ହୋଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି ପରେ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ଅପେକ୍ଷା କରିଛନ୍ତି। ଦଳୀୟ ନେତୃତ୍ବଙ୍କ ନିଷ୍ପତ୍ତି ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ। ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିଷ୍ପତ୍ତି ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ମୋକିମ। ନୂଆପଡ଼ା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୮୩ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାଜୟ ପରେ ଦଳ ମଧ୍ୟରେ ମୋକିମଙ୍କ ଅସନ୍ତୋଷ ଭକ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ନୂଆପଡ଼ା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଡବଲ ଇଞ୍ଜିନ ସରକାରଙ୍କ ମନବଳ ବଢ଼ିଥିବା ବେଳେ କଂଗ୍ରେସ ପାଇଁ ଅସଜଡ଼ା ଘରକୁ ସଜାଡ଼ିବା ଏବଂ ଅବୁଝାଙ୍କୁ ଏକଜୁଟ କରିବା ଚ୍ୟାଞ୍ଜେଲ ସୃଷ୍ଟି କରିଛି।
ଏଆଇସିସି ସଭାପତି ଏବଂ ଲୋକସଭାର ବିରୋଧୀ ଦଳ ନେତାଙ୍କ ଭୁଲ ନିଷ୍ପତ୍ତି ସଂକ୍ରାନ୍ତରେ ମୋକିମ ସୋନିଆଙ୍କୁ ଅବଗତ କରିଥିବାରୁ ଏହାକୁ ସେ କିପରି ଗ୍ରହଣ କରୁଛନ୍ତି ସେନେଇ କଂଗ୍ରେସ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନିଆ ଏଆଇସିସିର କୌଣସି ପଦପଦବୀରେ ନାହାନ୍ତି; କିନ୍ତୁ ପାୱାର କରିଡରରେ ମୁଖ୍ୟ ବୋଲି କୁହାଯାଉଛି। ମୋକିମଙ୍କ ଚିଠିକୁ ସକାରାତ୍ମକ ଭାବେ ଗ୍ରହଣ କରି ଦଳ ମଧ୍ୟରେ ସୋନିଆ ସଂସ୍କାର ଆଣୁଛନ୍ତି ଅଥବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାହୁଲ ଓ ଖଡ଼ଗେଙ୍କୁ ନିର୍ଦେଶ ଦେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ବହୁଦିନ ଧରି ବିରୋଧୀ ଆସନରେ ବସିଛି। ମୋକିମ ତାଙ୍କ ଚିଠିରେ କେବଳ ରାଜ୍ୟ କଂଗ୍ରେସ ସହ ଜଡ଼ିତ ପ୍ରସଙ୍ଗ ଉଠାଇ ନାହାନ୍ତି ବରଂ କେନ୍ଦ୍ରୀୟ ନେତାଙ୍କ ନିଷ୍ପତ୍ତି ବିଷୟକୁ ଉଠାଇ ତୃଣମୂଳସ୍ତର କର୍ମୀଙ୍କ ଭାବନାକୁ ପରିପ୍ରକାଶ କରିଛନ୍ତି। ରାଜନୈତିକ ସ୍ତରରେ ଚର୍ଚ୍ଚା ଅନୁଯାୟୀ, ସମସ୍ତ ଦିଗକୁ ବିଚାର କରି ଦଳୀୟ ନେତୃତ୍ବଙ୍କ ଉପରେ ପ୍ରଶ୍ନ କରିଛନ୍ତି ମୋକିମ। ଏହା ମାଧ୍ୟମରେ ଦଳ ମଧ୍ୟରେ କୋଣଠେସା ହୋଇ ରହିଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କରିଛନ୍ତି। ଆଗାମୀ ଦିନରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବିକଳ୍ପ ବୋଲି ନିଜକୁ ଉପସ୍ଥାପନ କରିଛନ୍ତି। ଏବେ ଭକ୍ତଙ୍କ ପୁଅ ଏବଂ ମୋକିମଙ୍କ ଝିଅ କଂଗ୍ରେସର ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ୨୦୨୬ ଜାନୁଆରୀ ୩ରୁ ବର୍ଷବ୍ୟାପୀ ପାଳନ କରାଯିବ। ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ଜାନକୀଙ୍କ ସର୍ବାଧିକ କାର୍ଯ୍ୟକାଳ ରହିଥିଲା ଏବଂ ତାଙ୍କ ନେତୃତ୍ବରେ ରାଜ୍ୟରେ ବ୍ୟାପକ ଶିଳ୍ପାୟନ ବିକାଶ ମଧ୍ୟ ହୋଇଥିଲା। ଆଜିର ଦିନରେ ହାତ ଗଣତି କଂଗ୍ରେସ ନେତାଙ୍କୁ ଛାଡ଼ି ଦେଲେ ଅଧିକାଂଶ ତାଙ୍କର ଅନୁଗତ ରହିଥିଲେ। ଜାନକୀଙ୍କ ଜନ୍ମ ଶତବାର୍ଷିକ ପାଳନ ମାଧ୍ୟମରେ ରାଜ୍ୟରେ କଂଗ୍ରେସ ଦଳକୁ ସଶକ୍ତ କରିବାର ସମ୍ଭାବନା ରହିଛି। ଜାନକୀଙ୍କ କାର୍ଯ୍ୟକାଳରେ ହୋଇଥିବା ବିକାଶକୁ ପାଥେୟ କରି ପ୍ରଦେଶ କଂଗ୍ରେସ କମିଟି ଜନ୍ମ ଶତବାର୍ଷିକ ବର୍ଷରେ କଂଗ୍ରେସ ଦଳକୁ ମଜଭୁତ କରିପାରିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories