ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି। ଚଳିତବର୍ଷ ପ୍ରଥମ କରି ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେମିଳିଗୁଡ଼ାରେ ୩.୫ଡିଗ୍ରୀ ଛୁଇଁଛି। ଘୁ.ଉଦୟଗିରିରେ ପାରଦ ୪ଡିଗ୍ରୀ ରହିଛି। କେବଳ କୋରାପୁଟ ଏବଂ କନ୍ଧମାଳ ଜିଲାରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି ତାହା ନୁହେଁ; ବରଂ ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ପଡୁଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଶୀତ ପ୍ରକୋପରୁ ଆଶ୍ବସ୍ତି ମିଳିବା ସମ୍ଭାବନା ନାହିଁ।
ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟାବିସ୍ତାର କରିଥିବା ବେଳେ ରାଜ୍ୟର ୧୬ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ବିଗତ ଦୁଇ ସପ୍ତାହ ହେବ ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଶୀତ ସହ ଘନ କୁହୁଡ଼ି ଶୀତ ପ୍ରକୋପକୁ ବଢ଼ାଇ ଦେଉଛି। ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଶୀତ ପ୍ରକୋପ ଲାଗି ରହୁଛି। ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀରେ ପାରଦ ୫.୨ ଡିଗ୍ରୀ ଥିବାବେଳେ ଚିପିଲିମାରେ ୬.୧, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୮, ଦାରିଙ୍ଗବାଡ଼ିରେ ୭, ଭବାନୀପାଟଣା ଓ ଅନୁଗୋଳରେ ୮, କିରେଇରେ ୮.୧, ନବରଙ୍ଗପୁରରେ ୮.୬, କୋରାପୁଟ ଓ ବଲାଙ୍ଗିରରେ ୯.୩, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯.୬, ସୁବର୍ଣ୍ଣପୁରରେ ୧୦, କଟକରେ ୧୧.୬, ଭୁବନେଶ୍ବରରେ ୧୧.୮, ବାରିପଦାରେ ୧୧.୬, ସମ୍ବଲପୁରରେ ୧୧, ଟିଟିଲାଗଡ଼ରେ ୧୧.୮, ବୌଦ୍ଧରେ ୧୦.୪, ରାୟଗଡ଼ାରେ ୧୧, ଢେଙ୍କାନାଳରେ ୧୦.୫, ନୂଆପଡ଼ାରେ ୧୦.୬ଡିଗ୍ରୀ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ, ଶୁକ୍ରବାର ସକାଳେ ସୁନ୍ଦରଗଡ଼ ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଅନୁଗୋଳ ଏବଂ ଝାରସୁଗୁଡ଼ା ଜିଲାକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।
ପାଣିପାଗ ବିଜ୍ଞାନୀ ବିଶ୍ବଜିତ ସାହୁ କହିଛନ୍ତି, ସମ୍ଭବତଃ ୧୪ତାରିଖ ବେଳକୁ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ଦ୍ବାରା ଟିକିଏ ଶୀତ ପ୍ରକୋପ କମିବ; କିନ୍ତୁ ଶୀତ ଲାଗି ରହିବ। ୧୮ତାରିଖ ପର୍ଯ୍ୟନ୍ତ ଶୀତ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ପରବର୍ତ୍ତୀ ସମୟରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ଏବଂ ପଶ୍ଚିମାଝଡ଼ ପ୍ରଭାବ ରହିବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୧ କିମ୍ବା ୨୨ତାରିଖ ବେଳକୁ ପାଗ ସାମାନ୍ୟ ମେଘୁଆ ରହିପାରେ। ରାତି ତାପମାତ୍ରା ସାମାନ୍ୟ ବଢ଼ିବା ଦ୍ବାରା ଶୀତ ଟିକିଏ କମିବାର ସମ୍ଭାବନା ରହିଛି।



