www.samajalive.in
Sunday, December 14, 2025
19.1 C
Bhubaneswar

ଗୃହର ଗରିମା ସର୍ବାଗ୍ରେ

ଭୁବନେଶ୍ଵର: ଏକ ଅଭୂତପୂର୍ବ ଘଟଣାକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ମଙ୍ଗଳବାର ସାତଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ଏହା ଫଳରେ ଦଳ‌‌ର ୧୪ଜଣ ବିଧାୟକଙ୍କ ମଧ୍ୟରୁ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଅନୁପସ୍ଥିତ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଛନ୍ତି। ବିଶୃଙ୍ଖଳିତ ଆଚରଣ ଯୋଗୁଁ ପୂର୍ବରୁ ଶ୍ରୀ ବାହିନୀପତିଙ୍କୁ ସାତଦିନ ପାଇଁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ବିଧାୟକମାନେ ଗୃହ ନ ଛାଡ଼ି ଧାରଣାରେ ବସିବାରୁ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ମୁହଁାମୁହିଁ ଅବସ୍ଥା ସୃଷ୍ଟି ହୋଇଥିବା ସବିଶେଷ ସମ୍ବାଦରୁ ଜଣାପଡ଼ିଛି। ଏହି ଘଟଣା ରାଜନୀତିକ ମହଲରେ ଆଲୋଡ଼ନ ସୃଷ୍ଟି କରିବା ସ୍ବାଭାବିକ।
ଗୃହ ପରିଚାଳନା ଦାୟିତ୍ବ ଶାସକ ଦଳର ଏବଂ ବାଚସ୍ପତି ଗୃହର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କର ନିଷ୍ପତ୍ତି ଅନ୍ତିମ। ତେଣୁ ତାଙ୍କ ନିଷ୍ପତ୍ତି ଠିକ୍‌ କି ଭୁଲ୍‌ ତାହା କହିବା ଆମ ପକ୍ଷେ ଗୃହ ଓ ବାଚସ୍ପତିଙ୍କ ସ୍ବାଧିକାର ଦୃଷ୍ଟିରୁ ଉଚିତ ହେବନାହିଁ। ସଂସଦୀୟ ବ୍ୟବସ୍ଥାରେ ଗୃହ କିପରି ଚାଲିବ ଓ ଏହାର ପରିଚାଳନା ସଂକ୍ରାନ୍ତ ନୀତିନିୟମ ଲିପିବଦ୍ଧ। ମାନ୍ୟବର ବିଧାୟକମାନଙ୍କର ମଧ୍ୟ ଦଳମତ ନିର୍ବିଶେଷରେ ସ୍ବାଧିକାର ରହିଛି ଏବଂ ସେମାନେ ନିଜର ଆଚରଣ ଓ ଉଚ୍ଚାରଣ ପାଇଁ ଗୃହରେ ଉତ୍ତରଦାୟୀ। ଶାସକଦଳର ଗୃହ ପରିଚାଳନା ଓ ସଂସଦୀୟ କାର୍ଯ୍ୟ ସଂପାଦନରେ ଯେତିକି ଭୂମିକା ରହିଛି ବିରୋଧୀ ପକ୍ଷଙ୍କର ମଧ୍ୟ ଅନୁରୂପ ଦାୟିତ୍ବ ଅଛି। ସରକାରଙ୍କୁ ନିରୋଳା ବିରୋଧ ନାମରେ ଗୃହକାର୍ଯ୍ୟକୁ ଅଚଳ କରିବାର ଅଧିକାର କାହାର ନାହିଁ।
ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ବିଧାନସଭାରେ କଂଗ୍ରେସର ସ୍ଥାନ ତୃତୀୟ ଏବଂ ଏହା ବିରୋଧୀ ଦଳର ମାନ୍ୟତା ମଧ୍ୟ ପାଇନାହିଁ। ଅପରପକ୍ଷରେ ମାନ୍ୟତାପ୍ରାପ୍ତ ମୁଖ୍ୟ ବିରୋଧୀ ଦଳ ବିଜେଡି ତାହାର ସଂଖ୍ୟା ଓ ଆକାର ସତ୍ତ୍ବେ ସେପରି କୌଣସି ଗୁରୁତର ବିଭ୍ରାଟ ବା ପ୍ରତିରୋଧ ସୃଷ୍ଟି ନ କରି ନିଜ ଦାୟିତ୍ବ ନିର୍ବାହ କରୁଛି। ଅପରପକ୍ଷେ କଂଗ୍ରେସ ତାହାର ସ୍ବଳ୍ପ ସଂଖ୍ୟକ ବିଧାୟକଙ୍କୁ ନେଇ ଯେପରି ଆଚରଣ କ୍ରମାଗତ ଭାବେ ପ୍ରଦର୍ଶନ କରି ଆସୁଛି ତାହା ଏକ ଭିନ୍ନ ବାର୍ତ୍ତା ଦେଉଛି। ସେମାନଙ୍କ ପ୍ରତିବାଦ ମଧ୍ୟ ଅଭିନବ। ସବୁ ଦଳ ନିଜର ରଣନୀତି ଅନୁସାରେ ବିଧାନସଭାରେ କରାମତି ଦେଖାନ୍ତି। କଂଗ୍ରେସ ଯଦି ତାହାର ନୂଆ ସଭାପତିଙ୍କ ନିର୍ଦେଶରେ ଏଭଳି ବିରୋଧ କରୁଥାଏ ଏଥିରେ ବିସ୍ମିତ ହେବାର କିଛି ନାହିଁ। ତେବେ ତାହାର ଅର୍ଥ ନୁହେଁ ଯେ ବିରୋଧ ନାଁରେ ବିଶୃଙ୍ଖଳା ସୃଷ୍ଟି କରି ଗୃହ କାର୍ଯ୍ୟକୁ ସଂପୂର୍ଣ୍ଣ ଅଚଳ କରିବା। ମନେ ହେଉଛି ୨୭ତାରିଖରେ ବିଧାନସଭା ଘେରଉ କରିବାକୁ କଂଗ୍ରେସ ଯେଉଁ କାର୍ଯ୍ୟକ୍ରମ ରଖିଛି ସେଥିପାଇଁ ପରିବେଶକୁ ଅଧିକ ଉତ୍ତପ୍ତ କରିବାକୁ ବିଧାନସଭାରେ କ୍ରମାଗତ ଭାବେ ୧୧ଦିନ ହେଲା ଏଭଳି ଅଚଳାବସ୍ଥା ଜାଣିଶୁଣି ସୃଷ୍ଟି କରାଯାଉଛି। ନିଜର ଶକ୍ତି ଓ ପ୍ରାସଙ୍ଗିକତା ପ୍ରଦର୍ଶନ ପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଥିବା ମନେ ହୁଏ।
ବିଧାନସଭାର ଗୋଟିଏ ଦିନର ବୈଠକ ପାଇଁ ପ୍ରାୟ ୭୦ଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି। ସେହି ଅର୍ଥ ଗରିବ ଜନତାଙ୍କ ଦ୍ବାରା ପ୍ରଦତ୍ତ ଟିକସରୁ ଆସୁଛି। ଚଳିତ ଅଧିବେଶନରେ ଗୃହର ବୈଠକ ମାତ୍ର ୩୦ ଘଣ୍ଟା ବସିଛି ଯାହା ଚିନ୍ତାଜନକ। ନିଜର ରାଜନୀତିକ ସ୍ବାର୍ଥ ଓ ଭବିଷ୍ୟତ ପାଇଁ ବିଧାନସଭାକୁ କୌଣସି ଦଳ ଅଚଳ କରିପାରିବେ ନାହିଁ। ସେଠାରେ କ’ଣ ଘଟୁଛି ଜନତା ଜନାର୍ଦ୍ଦନ ଦେଖୁଛନ୍ତି। ସରକାରୀ ଦଳକୁ ବିଧାନସଭା ଚଳାଇବାକୁ ହେବ ଏବଂ ବିରୋଧୀଙ୍କୁ ଏଥିରେ ସହଯୋଗ କରିବାକୁ ପଡ଼ିବ। ଏଥିରେ ବିଶୃଙ୍ଖଳା ଓ ଅସ୍ବାଭାବିକ ବିରୋଧ ଅପେକ୍ଷା ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ବିତର୍କ ଅଧିକ ଗ୍ରହଣୀୟ। ନିକଟରେ ଏଭଳି ବିରୋଧ ଯୋଗୁଁ କର୍ଣ୍ଣାଟକର ସବୁ ବିରୋଧୀ ବିଜେପି ବିଧାୟକ ନିଲମ୍ବିତ ହେବା ସହିତ ମାର୍ଶାଲଙ୍କ ଦ୍ବାରା ଗୃହରୁ ବିତାଡ଼ିତ ହୋଇଥିଲେ। ତେଣୁ ସଂସଦୀୟ, ନୀତି ଓ କାର୍ଯ୍ୟାନୁଷ୍ଠାନ ସବୁଠି ସମାନ ଓ ଏଥିରେ ଦଳମତର ସ୍ଥାନ ନାହିଁ। ଏଭଳି ବିଶୃଙ୍ଖଳିତ ରଣନୀତି ଦ୍ବାରା କୌଣସି ଦଳ କିମ୍ବା ଗଣତନ୍ତ୍ର ମଜଭୁତ ହେବା ସମ୍ଭାବନା କ୍ଷୀଣ। ଗୃହର ଗରିମା ସର୍ବାଗ୍ରେ। ଏହାକୁ ନ୍ୟୂନ କରିବା ଉଦ୍ୟମ ଅଗ୍ରହଣୀୟ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories