କେନ୍ଦୁଝରଗଡ : ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ କେନ୍ଦୁଝର ସହରର ଷ୍ଟାଡିଅମ ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଚୈତ୍ର ଶୁକ୍ଳ ପ୍ରତିପଦା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲା ହିନ୍ଦୁ ଜାଗୃତି ମଞ୍ଚ । ହିନ୍ଦୁ ଜାଗୃତି ମଞ୍ଚର ଉପଦେଷ୍ଟା ଦେବରାଜ ଆଚାର୍ଯ୍ୟ ଏବଂ ଅରୁଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ମୁଖ୍ୟ ବକ୍ତା ଭାବେ ଓଡିଶା ପୂର୍ବପ୍ରାନ୍ତ ହିନ୍ଦୁ ଜାଗରଣ ସଂଗଠନ ମନ୍ତ୍ରୀ ତନ୍ମୟ ଦାଶ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମସ୍ତେ ସମସ୍ତଙ୍କୁ ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ବାର୍ତ୍ତା ପଠାଇବା ସହିତ ଘରେ ଘରେ ତୋରଣ ଲଗାଇ ଝୋଟି ଓ ମୁରୁଜ ପକାଇବା ଓ ପ୍ରଭାତରେ ଶଙ୍ଖଧ୍ବନି କରି ଠାକୁରଙ୍କ ପାଖରେ ଦୀପ ଜଳାଇବା ପାଇଁ ଶ୍ରୀ ଦାଶ ତାଙ୍କର ବକ୍ତବ୍ୟରେ କହିଥିଲେ।
ଘରେ ଶୁଭ କଳସ ବସାଇବା,ଘର ଉପରେ ଗୈରିକ ପତାକା ଲଗାଇବା ସହିତ ଗୋମାତାର ସେବା ଓ ପୂଜା କରିବା, ନିଜ ଘରେ ପିଠାପଣା କରି ପରିବାର ସହିତ ପାଖ ପଡୋଶୀମାନଙ୍କୁ ଆପାୟିତ କରିବା ତଥା ଦରିଦ୍ର ନାରାୟଣଙ୍କର ସେବା କରିବାକୁ ଶ୍ରୀ ଦାଶ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲେ ହିନ୍ଦୀ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ପୂଜା ଗଲହାନି। ତାଙ୍କର ଯାଦୁକରି କଣ୍ଠରେ ବିଭିନ୍ନ ଭଜନ ତଥା ଦେଶାତ୍ମକ ସଂଗୀତର ତାଳେ ତାଳେ ନାଚିବାକୁ ଲାଗିଥିଲେ ଦର୍ଶକ।
ହିନ୍ଦୁ ଜାଗୃତି ମଞ୍ଚ ର ସଂଯୋଜକ ଦୁର୍ଯ୍ୟୋଧନ ମହାନ୍ତ, ସହ-ସଂଯୋଜକ ନିରଞ୍ଜନ ପଲେଇ,ସକ୍ରିୟ ସଦସ୍ୟ ପ୍ରମୋଦ ରାମ, ପ୍ରତାପ ଝରା, ପ୍ରଦୀପ ସାହୁ, ରଞ୍ଜିତ ସାହୁ,ବିଷ୍ଣୁ ଶର୍ମା,ମିଲନ ନାଏକ, ଲକ୍ଷ୍ମୀଧର ନାଏକ, ରାମଚନ୍ଦ୍ର ବିଶ୍ୱାଳ, ଅବିନାଶ ଦାଶ, ପ୍ରଣବ ବେହେରା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ହିନ୍ଦୁ ଜାଗୃତି ମଞ୍ଚ ଶତାଧିକ ସଦସ୍ୟଙ୍କ ସହଯୋଗ ରେ ଏହି ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମ ସଫଳ ହୋଇଥିଲା।



