୧୬୦୦ ଟପିଲା ମିଆଁମାର ଭୂକମ୍ପ ମୃତ୍ୟୁ ସଂଖ୍ୟା

ୟାଙ୍ଗନ/ବ୍ୟାଙ୍କକ୍ : ମ୍ୟାଁମାରରେ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୪୪ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାରଙ୍କ ପକ୍ଷରୁ ଶନିବାର ସ୍ପଷ୍ଟ କରାଯାଇଛି। ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଥିବାରୁ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ମାଟିତଳୁ ଉଦ୍ଧାରକାରୀ ଦଳ ମୃତାହତଙ୍କୁ ଉଦ୍ଧାର କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା। ଭୂକମ୍ପର ପ୍ରଭାବ ଏଭଳି ରହିଛି ଯେ, ଜନତା ଓ ସାମରିକ ସରକାର ଏକପ୍ରକାର କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡିଛନ୍ତି। ଚାରିଆଡେ ଶୁଭୁଛି ଆର୍ତ୍ତଙ୍କ ବିକଳ ଚିତ୍କାର। ଲୋଡା ପଡୁଛି ମାନବୀୟ ସହାୟତା। ଭୂକମ୍ପରୁ ବର୍ତ୍ତିଯାଇଥିବା ଜୀବନ ଏବେ ଅଧିକ କକର୍ଥନାଯୁକ୍ତ ହୋଇପଡିଛି। ମିଆଁମାର ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବାରୁ ଏଠାକାର ସାମରିକ ଶାସକ କିଭଳି ଏହାକୁ ମୁକାବିଲା କରିବେ ସେଥିନେଇ ସଂଶୟଯୁକ୍ତ ହୋଇପଡିଛି। ମାଟିତଳୁ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୫୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯିବା ଭୂକମ୍ପ କ୍ଷୟକ୍ଷତିର ଭୟାବହତା ଓ ୍ୟାପକତାକୁ ପ୍ରତିଫଳିତ କରୁଛି। ପ୍ରତି ମୂହୁର୍ତ୍ତରେ ମାଟିତଳୁ ଆହତଙ୍କ ଅପେକ୍ଷା ମୃତଦେହ ଅଧିକ ବାହାରୁଥିବା ଦେଖିବାକୁ ମିଳୁଛି। ସାମରିକ ଶାସକ ମୃତ୍ୟୁସଂଖ୍ୟା ୧୬୪୪ ଥିବା ଶନିବାର ସୁଦ୍ଧା ସ୍ବୀକାର କରିଥିବାବେଳେ ବେସରକାରୀ ଆକଳନ ଅନୁଯାୟୀ ଏହା ୧୦ହଜାର ଟପିପାରେ ବୋଲି ଆଶଙ୍କା କରାଯାଉଛି।
ଏଭଳି ପରିସ୍ଥିତିରେ ପଡ଼ୋଶୀ ଭାରତ ପଠାଇଛି ପ୍ରଥମ ମାନବୀୟ ସହାୟତା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ପରେ ଆଜି ତମ୍ବୁ, ପୋଷାକ, କମ୍ବଳଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ ଆଦିର ୧୫ ଟନ୍ ରିଲିଫ ସାମଗ୍ରୀ ପଠାଇଛି। ଏପରିକି ଉଦ୍ଧାର ପାଇଁ ୮୦ଜଣିଆ ଏନ୍ଡିଆର୍ଏଫ୍ ଦଳକୁ ପଠାଇଛି।
୨୦୨୧ରୁ ମ୍ୟାଁମାରରେ ପୁଣି ସାମରିକ ଶାସନ ଲାଗୁ ହେବା ପରଠାରୁ ସେଠାରେ ଗୃହଯୁଦ୍ଧ ଲାଗି ରହିଛି। ନିୟମିତ ବ୍ୟବଧାନରେ ସେନା ଓ ଗଣତନ୍ତ୍ର ସପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି। ଆଭ୍ୟନ୍ତରୀଣ ପରିସ୍ଥିତିରେ ଅସ୍ତବ୍ୟସ୍ତ ହୋଇପଡିଥିବା ଜୁନ୍ତା ସରକାର ଏଭଳି ଭୟାବହ ବିପର୍ଯ୍ୟୟର କିଭଳି ମୁକାବିଲା କରିବେ, ସେଥିନେଇ ଅସହାୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ଏହି ପରିସ୍ଥିତିରେ ସହାୟତାର ହାତ ବଢାଇବାକୁ ଜୁନ୍ତା ସରକାରର ମୁଖ୍ୟ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ସମସ୍ତ ବିଦେଶୀ ରାଷ୍ଟ୍ର ଓ ସଂଗଠନକୁ ଅନୁରୋଧ କରିଛନ୍ତି। ଶୁକ୍ରବାର ମ୍ୟାଁମାରର ସାଗାଇଙ୍ଗ ସହରରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୭.୭ ତୀବ୍ରତା ସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ମ୍ୟାଁମାରରେ ଧନଜୀବନର ସର୍ବାଧିକ କ୍ଷତି ଘଟିଥିବାବେଳେ ପଡୋଶୀ ଥାଇଲାଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଥାଇଲାଣ୍ଡରେ ଅବଶ୍ୟ ମୃତ୍ୟୁସଂଖ୍ୟା ୧୦ରେ ସୀମିତ ଥିବାବେଳେ ଏକାଧିକ କୋଠାଘର ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହୋଇପଡିଛି। ପ୍ରାୟ ଏକ ଘଣ୍ଟା ବ୍ୟବଧାନରେ ଆଉ ଛଅଥର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ସ୍ଥିତି ଅଧିକ ଦୟନୀୟ ହୋଇପଡିଥିଲା। ମ୍ୟାଁମାରର ମାଣ୍ଡାଲେ ସହର ଭୂମିକମ୍ପ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏକାଧିକ କୋଠାଘର ଭୁଶୁଡି ପଡିଥିବାରୁ ସହରଟି ଏକପ୍ରକାର କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି। ସାଗାଇଙ୍ଗ୍ ନିକଟବର୍ତ୍ତୀ ଇରାୱତୀ ନଦୀ ଉପରେ ନିର୍ମିତ ୧୦୦ ବର୍ଷର ପୁରୁଣା ପୋଲ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ମ୍ୟାଁମାର ସରକାରଙ୍କ ପକ୍ଷରୁ ଭୂକମ୍ପ ପ୍ରଭାବିତ ୬ ସହରରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଧ୍ବଂସସ୍ତୂପ ତଳୁ ଉଦ୍ଧାର କରାଯାଇଥିବା ଆହତଙ୍କୁ ଚିକିତ୍ସା ପାଇଁ ରାଜଧାନୀ ନ୍ୟାପିଦେର ସମସ୍ତ ଡାକ୍ତରଖାନାରେ ଅସମ୍ଭବ ଭିଡ଼ି ଦେଖିବାକୁ ମିଳିଛି।
ଅପରପକ୍ଷରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଛାଟୁଚାକ୍ ମାର୍କେଟ ନିକଟରେ ନିର୍ମାଣାଧୀନ ଏକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡି ପଡିବାରୁ ସେଠାରେ ପ୍ରାୟ ଶତାଧିକ ଶ୍ରମିକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଇତୋଙ୍ଗତ୍ରାନ୍ ସିନାୱାତ୍ରା ଶନିବାର ଉଚ୍ଚସ୍ତରୀୟ କ୍ୟାବିନେଟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡରେ କୌଣସି ଭାରତୀୟ ପ୍ରାଣ ହରାଇ ନାହାନ୍ତି ବୋଲି ବ୍ୟାଙ୍କକ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୂମିକମ୍ପର ଝଟ୍କା ଭାରତ, ବାଂଲାଦେଶ, କାମ୍ବୋଡିଆ, ଲାଓସ ସମେତ ଚୀନ୍ରେ ମଧ୍ୟ ଅନୁଭୂତ ହୋଇଛି।
Comments are closed.