ପିପିଲିରେ ସର୍ଟସର୍କିଟ୍‌‌ରୁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୨ରୁ ଉର୍ଦ୍ଧ୍ୱ ବାଇକ୍‌‌ – ଜଣେ ଗୁରୁତର

ପିପିଲି: ପିପିଲି ପୌରାଞ୍ଚଳର ୫ନଂ ୱାର୍ଡ ଅନ୍ତର୍ଗତ ଭବାନୀପୁର (ହସନପୁର ନିକଟ) ଗ୍ରାମରେ ଶୁକ୍ରବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୨ରୁ ଊର୍ଦ୍ଧ୍ବ ବାଇକ୍‌‌ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ୫ ବଖରା ଘରର କାନ୍ଥ ଓ ଛାତ ଫାଟି ଭୁଷୁଡି ପଡ଼ିଥିବା ସୂଚନା ମିଳିଛି। ଏଥିରେ ୨ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଭବାନୀପୁର ଗ୍ରାମରେ ଥିବା ଏକ ଛାତ ଘରେ ଭଡାରେ ରହି ପିପିଲି ଅଞ୍ଚଳରେ ବାଇକ୍‌‌ରେ ବୁଲି ଚପଲ ଓ କପଡ଼ା ସାମଗ୍ରୀ ବେପାର କରୁଥିଲେ। ଶୁକ୍ରବାର ରାତିରେ ସେମାନେ ଖାଇସାରି ଶୋଇଥିବା ବେଳେ ପ୍ରାୟ ସାଢେ ୧୧ଟା ସମୟରେ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୁଇଟି ଘରେ ରଖାଯାଇଥିବା ରବର ଓ ପ୍ଲାଷ୍ଟିକ୍‌‌ ଚପଲ ସମେତ ଲୁଗା, ପ୍ୟାଣ୍ଟ, ସାର୍ଟ ଆଦି କପଡ଼ା ସାମଗ୍ରୀ ହୁତୁ ହୁତୁ ହୋଇ ଜଳିଥିଲା। ଉକ୍ତ କୋଠା ଘର ମଧ୍ୟରେ ଶୋଇଥିବା ଲୋକେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଘରର ପଛ କବାଟ ଓ ଝରକା ଭାଙ୍ଗି ଉଦ୍ଧାର କରିଥିଲେ। ଉକ୍ତ କୋଠା ମଧ୍ୟରେ ଥିବା ୨୫ରୁ ଊର୍ଦ୍ଧ୍ବ ବାଇକ୍‌‌ ମଧ୍ୟରୁ ୧୨ରୁ ଊର୍ଦ୍ଧ୍ବ ବାଇକ୍‌‌ ହୁତୁ ହୁତୁ ହୋଇ ଜଳିଥିଲା। ଗାଡିର ପେଟ୍ରୋଲ ଟାଙ୍କି ଗୁଡିକ ପ୍ରଚଣ୍ଡ ଶବ୍ଦ କରି ଫାଟିଥିବା ବେଳେ ଏଥିଯୋଗୁଁଁ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଲୋକେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ। ଅଗ୍ନିକାଣ୍ଡର ପ୍ରଚଣ୍ଡ ବିସ୍ଫୋରଣରେ ଉକ୍ତ କୋଠାର ୫ବଖରା ଘରର ସିମେଣ୍ଟ କାନ୍ଥ ଓ ଛାତ ଫାଟି ଯାଇଥିଲା। କେତେକ ସ୍ଥାନରେ ଛାତ ଭାଙ୍ଗି ତଳକୁ ଗଳି ପଡ଼ିଥିଲା। ଅଗ୍ନିକାଣ୍ଡର ପ୍ରକୋପରେ ଅଧିକାଂଶ ବାଇକ୍‌‌ ଜଳିପୋଡି ତରଳି ଯାଇଥିଲା। ଏଥିରେ ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌‌ ହସ୍‌‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ୩ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବରପାଇ ପିପିଲି ଅଗ୍ନିଶମ ବାହିନୀର ଦୁଇଟି ଯାକ ଦମକଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୩ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିକୁ ସଂପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ। ପରେ ନିମାପଡ଼ା ଓ ସାକ୍ଷୀଗୋପାଳରୁ ଅନ୍ୟ ଦୁଇଟି ଦମକଳ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଲିଭି ସାରିଥିବା ସୂଚନା ମିଳିଛି।

ଖବର ପାଇ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ସର୍ଟସର୍କିଟ୍‌‌ରୁ ହୋଇଥିବା ପିପିଲି ଅଗ୍ନିଶମ ଅଧିକାରୀ ଭଗବାନ ରାଉତ ସୂଚନା ଦେଇଛନ୍ତି। ଗୁରୁତର ଆହତ ବ୍ୟକ୍ତିଙ୍କ ଘର ପଶ୍ଚମବଙ୍ଗର ମୁର୍ସିଦାବାଦ ଅଞ୍ଚଳରେ ହୋଇଥିବା ସୂଚନା ମଳିଛି। ଏହି ଅଗ୍ନିକାଣ୍ଡରେ କପଡ଼ା ଓ ଚପଲ ସାମଗ୍ରୀ ସମେତ ବାଇକ୍‌‌ ଓ ଘରକୁ ମିଶାଇ ମୋଟ୍‌‌ ୩୫ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ କଥା ହେଉଛି, ଏତେ ଭୟଙ୍କର ଅଗ୍ନିକାଣ୍ଡ ମଧ୍ୟରେ ଉକ୍ତ ଘରେ ଆଶ୍ରୟ ନେଇଥିବା ଏକ କଳା ରଙ୍ଗର ପକ୍ଷୀ ସୁରକ୍ଷିତ ଭାବେ ବାହାରକୁ ଉଡି ଯାଇଥିବା ବେଳେ ରୋଷେଇ ଘରେ ରଖାଯାଇଥିବା ଗ୍ୟାସ୍‌‌ ସିଲିଣ୍ଡର ମଧ୍ୟ ସୁରକ୍ଷିତ ଥିବା ସମସ୍ତଙ୍କୁ ଚକିତ କରିଥିଲା।

Comments are closed.