ସ୍କୁଟରକୁ ଧକ୍କା ଦେଲା ବସ୍, ଦମ୍ପତି ଗୁରୁତର

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ ର ପୋକାଡି ବନ୍ଧ ଛକଠାରୁ ଗିରିସୋଲା ପର୍ଯ୍ୟନ୍ତ ରାସ୍ତାରେ ଆଜି ଅପରାହ୍ନରେ କନିଷି ଗାଁ ଛକରେ ପୁଣି ଏକ ସଡକ ଦୁର୍ଘଟଣା ଘଟି ସ୍କୁଟରରେ ଯାଉଥିବା ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ବରରୁ ହାଇଦ୍ରାବାଦ ଯାଉଥିବା ଏକ ଦ୍ରୁତଗାମୀ ବସ୍(ଏ ଆର ୦୧ ଭି ୬୬୬୯) ଦ୍ରୁତଗତିରେ ଯାଉଥିବା ସମୟରେ ସ୍କୁଟର (ଓଡି ୦୭ ଏଡି ୪୪୧୮) ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା। ଫଳରେ ସ୍କୁଟରରେ ଯାଉଥିବା ମହୁଡାର ଜୟ ଦାସ(୪୨) ଓ ତାଙ୍କ ସ୍ତ୍ରୀ ଦୁଇଜଣ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହାତ ହୋଇଥିଲେ।
ଘଟଣା ପରେ କନିଷି ଅଗ୍ନିଶମ ବାହିନୀର ଦମକଳ ଗାଡିରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିଲା। ଘଟଣା ଘଟିବା ପରେ କନିଷି ଗାଁ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହ ତୁରନ୍ତ ଓଭରବ୍ରିଜ କିମ୍ବା ଅଣ୍ଡର ପାସ ନିର୍ମାଣ କରିବାକୁ ଦାବି ଜଣାଇ ପ୍ରାୟ ୪୫ ମିନିଟ କାଳ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହା ସହ ବ୍ରିଜ ନିର୍ମାଣ ହେବା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଥିବା ସଂଯୋଗ ରାସ୍ତାକୁ ବନ୍ଦ କରାଇବାକୁ ଦାବି ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନର ରାସ୍ତା ବାହାର କରାଯିବ ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି ।
Comments are closed.