ଆଠଗଡ ଉପଖଣ୍ଡସ୍ତରୀୟ ଓଡ଼ିଶା ଦିବସ

ଆଠଗଡ: ଆଠଗଡ ଉପଖଣ୍ତସ୍ତରୀୟ ଓଡ଼ିଶା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଯୋଗଦେଇ ପୂର୍ବସୂରୀମାନଙ୍କର ସ୍ମୃତିଚାରଣ କରିବା ସହ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ନିମନ୍ତେ ସମସ୍ତଙ୍କର ମିଳିତ ପ୍ରୟାସ ଲୋଡା ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ତଥା ଗବେଷକ ଡ.ନାରାୟଣ ପଣ୍ଡା ଯୋଗଦେଇ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଓଡିଶାର ଇତିହାସକୁ ମନେ ପକାଇ ଓଡିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଓଡିଶା ଓ ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ କରିବା ଏବଂ ଆମର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା କିପରି ସୁରକ୍ଷା ଏବଂ ଏହାର ପ୍ରସାର ପ୍ରଚାର ପାଇଁ ସର୍ବଦା ଉଦ୍ୟମ କରିବାକୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ମଣ୍ଡଳ ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡା ଏବଂ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ନିଜର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଆଜିର ଦିବସ ଅବସରରେ ପ୍ରତ୍ୟୁଷରୁ ସହରରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ସହରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପ୍ରସାର କରାଯାଇଥିଲା। ପରେ ପରେ ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇଥିଲା। ଏହି ସମାରୋହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.