ସିଫା ନିକଟରେ ପର୍ଯ୍ୟଟକ ବସ୍ ଓଲଟିବା ଘଟଣା: ଡ୍ରାଇଭର ବଦଳରେ ହେଲପର ଚଳାଉଥିଲା ଗାଡ଼ି
ବିଦେଶୀ ପର୍ଯ୍ୟଟକଙ୍କୁ ଖାଦ୍ୟ, ପାନୀୟ ଓ ଶିଶୁଖାଦ୍ୟ ପ୍ରଦାନ କରି ପ୍ରଶଂସା ସାଉଁଟିଲା ଓଡ଼ିଶା ପୁଲିସ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗସ୍ଥିତ ସିଫା ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ବ ଖାଲ ମଧ୍ୟକୁ ଓଲଟି ପଡ଼ିଛି। ଏଥିରେ ଜଣେ ବାଂଲାଦେଶୀ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ମୃତା ମହିଳାଙ୍କ ନାମ ନୋନିବାଲା ନାଥ (୬୦) ଓ ତାଙ୍କ ଘର ବାଂଲାଦେଶର ଟପ୍ସ ବଜାର ନିକଟ ସଫାରିପାର୍କ ଦୁଲାହଜାରା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ସମସ୍ତ ପର୍ଯ୍ୟଟକଙ୍କୁ ପିପିଲି ପୁଲିସ ପକ୍ଷରୁ ରବିବାର ସକାଳେ ଓଆର୍ଏସ୍, ଜଳଖିଆ, ବିସ୍କୁଟ, ଚାହା, ପାଣି ବୋତଲ, କ୍ଷୀର ଓ ଶିଶୁଙ୍କୁ ଶିଶୁଖାଦ୍ୟ ପ୍ରଦାନ କରାଯିବା ସହ ସେମାନଙ୍କ ନିତ୍ୟକର୍ମ ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ପାଇଁ ପୁଲିସ ଗାଡିର ବ୍ୟବସ୍ଥା ମଧ୍ୟ କରିଥିଲା। ପୁଲିସର ଏହି ବଦାନ୍ୟତା ପାଇଁ ବାଂଲାଦେଶର ପର୍ଯ୍ୟଟକ ସଞ୍ଜୀବ କୁମାର ଚୌଧୁରୀ ଓ ମହିଳା ପର୍ଯ୍ୟଟକ ଟିଟୁ ଧର ଓଡ଼ିଶା ପୁଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସବୁଠାରୁ ବଡ କଥା ହେଉଛି, ବସ୍କୁ ଡ୍ରାଇଭର ସ୍ଥାନରେ ଗାଡିର ହେଲପର ଚଳାଉଥିବା ସଂପର୍କରେ ଗାଡିରେ ଥିବା ଜଣେ ଯାତ୍ରୀ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପରେ ଗାଡିର ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲ୍ରେ ମୃତଶରୀରର ବ୍ୟବଚ୍ଛେଦ କରାଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ପିପିଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବାଂଲାଦେଶର ୧୩୦ ଜଣ ହିନ୍ଦୁ ପୁରୁଷ ଓ ମହିଳାମାନେ ସେମାନଙ୍କ କିଛି ଶିଶୁଙ୍କ ସହିତ ୨ଟି ବସ୍ ଯୋଗେ ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଆସିଥିଲେ। ମାର୍ଚ୍ଚ ୧୬ ତାରିଖଠାରୁ ୪୫ ଦିନିଆ ଟୁରିଷ୍ଟ ଭିସା କରି ସେମାନେ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବା ପରେ ବନାରସରୁ ଓଡ଼ିଶା ଆସିଥିଲେ। ଶନିବାର ବାଲେଶ୍ୱରର କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ ସାରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବାବେଳେ ବସ୍ଟି ଦୁର୍ଘଟଣାର ଶିକାର ହୋଇଥିଲା। ରାତି ପ୍ରାୟ ୧ଟା ୫୦ ମିନିଟ୍ ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ନିକଟରେ ବସ୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାର ବାମପାର୍ଶ୍ବକୁ ମାଡିଯିବାସହ ରାସ୍ତା ପାର୍ଶ୍ବରେ ଲଗାଯାଇଥିବା ଏକ ବିଜ୍ଞାପନ ଫଳକ ଉପରେ ଚଢିଯିବା ପରେ ରାସ୍ତା ପାର୍ଶ୍ବ ଖାଲ ମଧ୍ୟରେ ଓଲଟି ପଡ଼ିଥିଲା। ଫଳରେ ବସ୍ ମଧ୍ୟରେ ଥିବା ୬୫ଜଣ ପୁରୁଷ ଓ ମହିଳାଙ୍କ ସମେତ ୫ରୁ ଊର୍ଦ୍ଧ୍ବ ଶିଶୁ ଫସି ରହିଥିଲେ। ଖବର ପାଇ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ଓ ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିକଟ ଅଞ୍ଚଳରେ ଦୁଇଟି ଯାତ୍ରାପାର୍ଟି ପଡ଼ିଥିବାରୁ ଦୁର୍ଘଟଣା ଖବର ପାଇ ସେଠାରୁ ଶତାଧିକ ଦର୍ଶକ ଘଟଣାସ୍ଥଳରେ ପହଞ୍ଚି ପୁଲିସ ସହ ମିଶି ଦୁର୍ଘଟଣାଗ୍ରସ୍ତ ବସ୍ ମଧ୍ୟରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପିପିଲି ଓ ଭୁବନେଶ୍ୱରରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ସହଯୋଗ କରିଥିଲେ। ଦୁର୍ଘଟଣାରେ ଗୁରୁତର ଥିବା ଦୁଇଜଣଙ୍କ ସମେତ ଅନ୍ୟ ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ନୋନିବାଲା ନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅନ୍ୟ କେତେକଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ଓ ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଟ୍ରାଫିକ୍ ସମସ୍ୟା ଉପୁଜିଥିବାବେଳେ ଦୀର୍ଘ ୫ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବ ରାସ୍ତାରେ ଗାଡି ଚଳାଚଳ କରିଥିଲା।
Comments are closed.