ଅଯୋଧ୍ୟାରେ ରାମଲାଲାଙ୍କ ଜନ୍ମୋତ୍ସବ, ସୂର୍ଯ୍ୟ ତିଳକ ଦେଖିଲେ ବିଶ୍ଵବାସୀ

ଆଜି ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଙ୍କ ଜନ୍ମ ଦିବସ। ଏହି ଅବସରରେ ଅଯୋଧ୍ୟାରେ ଉତ୍ସବର ମାହୋଲା ଲାଗିରହିଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଇଁ ରାମନଗରୀ ଚଳଚଞ୍ଚଳ ହୋଇଉଠିଛି। ମଧ୍ୟାହ୍ନ ୧୨ଟାରୁ ଜନ୍ମୋତ୍ସବ ପାଳନ ହେଉଛି। ଦେଶବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦେଖିଥିଲେ। ସୂର୍ଯ୍ୟ ତିଳକ ସମୟରେ ପ୍ରଭୁ ରାମଲାଲାଙ୍କ ମଥାରେ ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ପ୍ରକାଶିତ ହୋଇଥିଲା। ଏହା ପୂର୍ବରୁ ପୂର୍ବାହ୍ନ ସାଢ଼େ ୯ଟାରେ ଭଗବାନ ରାମଲାଲାଙ୍କ ବିଶେଷ ଅଭିଷେକ ହୋଇଥିଲା। ଏହା ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ତାଙ୍କର ଭବ୍ୟ ଶୃଙ୍ଗାର କରାଯାଇଥିଲା।

ସୂର୍ଯ୍ୟାଭିଷେକର ସିଧାପ୍ରସାରଣ କରାଯାଇଥିଲା, ଯାହାକୁ ପୁରା ଦୁନିଆ​‌ ଦେଖିଥିଲା। ରାମ ମନ୍ଦିରରେ ଏହା ୨ୟ ଜନ୍ମୋତ୍ସବ। ପୂର୍ବାହ୍ନରେ ଭବ୍ୟ ଶୃଙ୍ଗାର ପରେ ପ୍ରସାଦ ଲାଗି ହୋଇଥିଲା। ଭଗବାନଙ୍କୁ ୫୬ ପ୍ରକାର ଭୋଗ ଲାଗି କରାଯାଉଛି। ମଧ୍ୟାହ୍ନରେ ମନ୍ଦିରରେ ପୂଜାର୍ଚ୍ଚନା ଆଳତି ସାଙ୍ଗକୁ ସୂର୍ଯ୍ୟତିଳକ ହୋଇଥିଲା ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି।

Comments are closed.