www.samajalive.in
Saturday, December 6, 2025
14.1 C
Bhubaneswar

ବିବାହ ସ୍ଵର୍ଗରେ ସ୍ଥିର ହୁଏ ନାହିଁ

ଭୁବନେଶ୍ଵର: ପ୍ରଥମେ ଆସନ୍ତୁ କେତେକ ପୁରୁଣା ଅଳିଆ ମନରୁ ସଫା କରିଦେବା। ବାହାଘର ଏକ ଅଲୌକିକ ଘଟଣା ନୁହେଁ। ଏହା ସ୍ବର୍ଗରେ ସ୍ଥିର ହୁଏ ନାହିଁ, ଏଇଠି ଦୃଶ୍ୟ ଜଗତରେ ମଣିଷଙ୍କ ଭିତରେ ମଣିଷଙ୍କ ଦ୍ବାରା ସଂଘଟିତ ହୁଏ; ଦେବତା ନୁହେଁ, ମଣିଷମାନେ ଏହାର ପର୍ଯ୍ୟବେକ୍ଷଣ କରନ୍ତି, ବିବାଦ ଉପୁଜିଲେ ମଣିଷମାନେ ସମାଧାନ ବି କରନ୍ତି। ତେଣୁ ଜାତକ ମିଳାଇବା, ଭବିଷ୍ୟ ଦେଖିବା ଭଳି କାରବାର ବ୍ୟର୍ଥ ପ୍ରୟାସ, ସେଥିରୁ କିଛି ସୁଫଳ ମିଳୁଥିବାର ପ୍ରମାଣ ନାହିଁ। ଆଧୁନିକ ଯୁବକଯୁବତୀ ଏ ପ୍ରକାର ଅଜବ କାର୍ଯ୍ୟରେ ବିଶ୍ବାସ କରନ୍ତି ନାହିଁ, ଯଦିଚ ସେମାନେ ଇନ୍ଦ୍ରିୟାସକ୍ତି କାରଣରୁ ଭୁଲ୍ କରିବସନ୍ତି, ଅହେତୁକ ମଦ, ନାଚ, ତାମସାର ଅତିଶୟତାରେ ମାତନ୍ତି; ଶିଳ୍ପପତି, ନେତା-ମନ୍ତ୍ରୀ, ଚିତ୍ରତାରକାଙ୍କ ଘରର ବ୍ୟୟବହୁଳ ବିବାହକୁ ଆଦର୍ଶ ଭାବି ବିଭ୍ରାନ୍ତ ହୁଅନ୍ତି, ନଷ୍ଟ ବି ହୁଅନ୍ତି। ମାତ୍ର ସେହି ଯୁବଗୋଷ୍ଠୀରୁ ଅନେକ ଅଛନ୍ତି, ଯେଉଁମାନେ ବିନା ଉପଚାରରେ, ଆଇନସିଦ୍ଧ ଧାରାରେ, ବିନା ଆଡ଼ମ୍ବରରେ, ଅତ୍ୟନ୍ତ ପରିପକ୍ବ ବିଚାର ସହିତ ବିବାହ କରୁଥିବା ଦେଖାଯାଏ। ଏବେ ତ କେବଳ ପୁଅ-ଝିଅ ମଧ୍ୟରେ ବିବାହ ସୀମିତ ନୁହେଁ; ପୁଅ-ପୁଅ, ଝିଅ-ଝିଅ, ତୃତୀୟ-ଲିଙ୍ଗୀମାନେ ସୁଦ୍ଧା ଆପଣାର ସାଥୀ ବାଛିବା ଆରମ୍ଭ କଲେଣି, ଏବଂ ଆଇନ ସେ ପ୍ରକାର ବିବାହକୁ ସମର୍ଥନ କରୁଛି। ଏବେ ଅନେକ ଦେଶରେ ଏହା ଆଉ କୁସଂସ୍କାର ନୁହେଁ ବା ଏହାକୁ ଭର୍ତ୍ସନା କରିବା ଅବୈଧ। ​‌େ​‌ସ ଯାହାହେଉ, କୁସଂସ୍କାର ସେଗୁଡ଼ିକ, ଯେଉଁ ଆଚରଣ ଓ କର୍ମକାଣ୍ଡର ବାସ୍ତବ ଆଧାର କିଛି ନାହିଁ, ଯେଉଁଥିରେ ମଧ୍ୟସ୍ଥଜଣକ କେଉଁ ଅଦୃଶ୍ୟ ସତ୍ତା ସହିତ ଦୁର୍ବୋଧ୍ୟ ଭାଷାରେ କଥା ହେଉଥାଏ ଏବଂ ପରିଜନମାନେ ମୂକ ଦର୍ଶକ ହୋଇ ଚାହିଁଥାନ୍ତି।
ମୋଟାମୋଟି, ବିବାହ ମୂଳତଃ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏକ ସାମାଜିକ ଅନୁଷ୍ଠାନ। ସମାଜର ବହମାନ ଧାରାକୁ ନିରବଚ୍ଛିନ୍ନ ରଖିବା ଉଦ୍ଦେଶ୍ୟରେ ଏହା ଦୁଇ ମଣିଷ ପ୍ରାଣୀ ମଧ୍ୟରେ ଏକ ନୂଆ ଜୀବନର ଆରମ୍ଭ। ଦୁଇ ପ୍ରାଣୀଙ୍କ ନିମନ୍ତେ, ଦୁଇ ପରିବାର ପାଇଁ, ଆନନ୍ଦ ଯେତିକି ଦାୟିତ୍ବ ମଧ୍ୟ ସେତିକି। ମନ୍ତ୍ର ଜପ କରି, ହାତ ଗଣ୍ଠି ପକାଇ ଦୁହିଁଙ୍କୁ ସଂସାର ନାବରେ ବସାଇଦେଲେ କେଉଁ ଅଲୌକିକ ଶକ୍ତି ସେମାନଙ୍କ ଉପରେ ସୁଖଶାନ୍ତି ଅଜାଡ଼ି ଦେବନାହିଁ। ତେଣୁ ବିବାହ ପୂର୍ବରୁ ଦୁଇ ପକ୍ଷ ପରସ୍ପରକୁ ଜାଣିବା ଯେତିକି ଜରୁରୀ, ବିବାହ ପରେ ସେମାନେ ଆପଣା କର୍ତ୍ତବ୍ୟ ପାଳନ କରିବା ସେତିକି ଆବଶ୍ୟକ। ଏବେ ବିଜ୍ଞାନର ଯୁଗ; ଲୋକଙ୍କ ଚରିତ୍ର, ବ୍ୟବହାର ଜାଣିବା ପାଇଁ ମନସ୍ତତ୍ତ୍ବ, ସାମାଜିକ ବିଜ୍ଞାନ, ବଜାର ପ୍ରଭାବ ଆଦିର ସହାୟତା ନେବା ସହଜ ହେଲାଣି। ବର୍ତ୍ତମାନ ବିବାହ ପରେ ଦାମ୍ପତ୍ୟ କଳହ ଓ ବିଚ୍ଛେଦ ଏକ ନିତିଦିନିଆ ଖବର ପାଲଟିଯାଇଛି। ଏହାର ଲୌକିକ ଓ ସାମାଜିକ କାରଣ ଖୋଜି ସମାଧାନ ଚିନ୍ତା କରିବା ଅାବଶ୍ୟକ ହୋଇପଡ଼ିଛି। ବାହାଘର ପୂର୍ବରୁ ‘ରାଜଯୋଟକ’ ନିଷ୍ଫଳ ପ୍ରମାଣିତ ହେଉଛି, ପୁଣି ବିବାଦ ହେଲେ ଅଜ୍ଞାନ ପଣ୍ଡିତ ସାଧୁଙ୍କ ପ୍ରରୋଚନାରେ ପ୍ରତିକାରା-ତ୍ମକ ରିଷ୍ଟ ଖଣ୍ଡନ, ତନ୍ତ୍ରମନ୍ତ୍ର, ଡେଉଁରିଆ, କ୍ରିୟାକର୍ମ ଆଦି ହାସ୍ୟାସ୍ପଦ ମନେହୁଏ।
ଅତୀତରେ ସ୍ବାମୀକୁ ପରମେଶ୍ବର କୁହାଯାଉଥିଲା, ପତ୍ନୀ ଥିଲା ଦାସୀ। ଆଜି ମଧ୍ୟ ସେହି ପୁରୁଷ-ପ୍ରଧାନ ମାନସିକତା ଓ ଆଚରଣ ଅନେକ ପରିବାରରେ ବିଦ୍ୟମାନ। କିନ୍ତୁ ଶିକ୍ଷାର ପ୍ରସାର, ମହିଳାମାନଙ୍କ ମଧ୍ୟରେ ସ୍ବାଧୀନତାବୋଧ ଓ ସମାନ ଅଧିକାର ଓ ଆତ୍ମସମ୍ମାନ ଜାହିର କରିବାର ପ୍ରବଣତା ବଢ଼ିବା ସହିତ ମରଦଗଡ଼଼ ଉପରେ ଆକ୍ରମଣ ହେଉଛି, ଫଳତଃ ପ୍ରତିକ୍ରିୟାରେ ନାରୀ ନିର୍ଯାତନା ଲାଗିରହିଛି। ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଆଇନ ମଧ୍ୟ ଯୁଗର ଆବଶ୍ୟକତା ସହ ତାଳ ଦେଇ ସକ୍ରିୟ ରହିଛି। ସୁତରାଂ, ସମାଜର ଏକ ବଡ଼ ଦାୟିତ୍ବ ରହିଛି ସୁଖୀ ଓ ସୁସ୍ଥ ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ବାତାବରଣ ତିଆରି କରିବା ଏବଂ ବିବାହକୁ ଅଧିକ ବାସ୍ତବବାଦୀ କରି ଗଢ଼ିତୋଳିବା। ବିବାହ ସଂସ୍କାର ଦିଗରେ ଅନେକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି, ଏପରିକି ଅନେକ ବିଚାରବନ୍ତ ବ୍ୟକ୍ତି ଏହି ଅନୁଷ୍ଠାନକୁ ଜାତି-ପ୍ରଥା, ଯୌତୁକ ବ୍ୟାଧି, ଜାତକ ଭଣ୍ଡାମି ଏବଂ ଯାଜକ-ପୂଜକ-ମଧ୍ୟସ୍ଥ ଆଦିଠାରୁ ମୁକ୍ତ କରିବାକୁ ଚାହାନ୍ତି। ପିତାମାତା ଓ ଗୁରୁଜନ-ପରିଜନଙ୍କଠାରୁ ବର-କନ୍ୟାଙ୍କୁ ଆଶୀର୍ବାଦ ଓ ଉପହାର ମିଳୁ, ତାହା କ୍ଷଣିକ ଆନନ୍ଦର ଉତ୍ସ। ଦୀର୍ଘସ୍ଥାୟୀ ଶାନ୍ତି, ପାରସ୍ପରିକ ବୁଝାମଣା ସକାଶେ ଦୁହିଁଙ୍କୁ ଜ୍ଞାନ-ବିଜ୍ଞାନର ଆଲୋକ ଦରକାର, ଆପଣା ଭିତରେ ପରିବର୍ତ୍ତନକୁ ସ୍ବାଗତ କରିବା ଦରକାର।
ଯୁଗଯୁଗ ଧରି ଭାରତରେ ବିବାହକୁ ଏକ ‘ପବିତ୍ର’ ବନ୍ଧନ କୁହାଯାଇଛି; କିନ୍ତୁ ଆଜି ସେହି ଶବ୍ଦର ଗୁରୁତ୍ବ ମଳିନ ପଡ଼ିଯାଇଛି, କାରଣ ନୂଆ ପିଢ଼ି ପବିତ୍ରତା ମଧ୍ୟରେ ଛଳନା ଦେଖୁଛନ୍ତି। ଇତିହାସରେ ସ୍ବାମୀଙ୍କ ମୃତ୍ୟୁରେ ପତ୍ନୀ ଅଗ୍ନିରେ ଆତ୍ମ ବିସର୍ଜନ କରିବାର ଯେଉଁ ଅମାନୁଷିକ ପ୍ରଥା ଥିଲା ତାହା ସେହି ‘ପବିତ୍ର’ ସମ୍ପର୍କର ଏକ ଭୟାବହ ପରିଣତି, ଯେଉଁଥିରେ କେବଳ ନାରୀ ବଳି ପଡୁଥିଲା, ପୁରୁଷ ପାଇଁ ସେ ନିୟମ ଲାଗୁ ନଥିଲା। ଏଇ ନିକଟରେ, ବିଂଶ ଶତାବ୍ଦୀର ଅଶୀ ଦଶକରେ ରାଜସ୍ଥାନରେ ଏପରି ଏକ ଘଟଣା ଖବର ପ୍ରଚାରିତ ହୋଇଥିଲା, ଯେଉଁଠି ‘ସତୀ’ କନୱରଙ୍କୁ ଉତ୍ସବର କୋଳାହଳ ମଧ୍ୟରେ ଜୀବନ୍ତ ଦଗ୍ଧ ହେବାକୁ ପଡ଼ିଥିଲା। ‘ପବିତ୍ର’ ନାମରେ ଏହା ଏକ ଦୃଷ୍ଟାନ୍ତ ମାତ୍ର। ଏବେ ସୁଦ୍ଧା ପ୍ରତ୍ୟେକ ନିର୍ଯାତିତା ନାରୀର କାହାଣୀରେ ପୁରୁଣା କୁସଂସ୍କାରର ବିଷାକ୍ତ ଗନ୍ଧ ରହିଛି। ପବିତ୍ର ଶବ୍ଦଟିଏ ମଣିଷର ଆଚରଣକୁ ଶୁଦ୍ଧ କରେ ନାହିଁ, ଜୀବନର ବହୁବିଧ କଠିନତା ହେଉଛି ସଂସାରର ବାସ୍ତବ ଯାତ୍ରାପଥ। ସେହି ଯାତ୍ରା ମଧ୍ୟରେ ସୁଖ ଶାନ୍ତି ଅମଳ କରିବାକୁ ହେଲେ ଏହି ଦୃଶ୍ୟ ଜଗତରେ ମଣିଷମାନଙ୍କୁ ଆବଶ୍ୟକତା ଅନୁସାରେ କର୍ତ୍ତବ୍ୟ କରିବାକୁ ପଡ଼ିବ।
ନୂଆ ସମୟ, ନୂଆ ଆହ୍ବାନ। ପିତାମାତା ବା ଅଭିଭାବକ ବୟୋପ୍ରାପ୍ତ ପିଲାଙ୍କ ଉପରେ ନିଜ ନିଷ୍ପତ୍ତି ଲଦିଦେବେ ନାହିଁ। ବିବାହ ପ୍ରସଙ୍ଗରେ ସନ୍ତାନ-ସନ୍ତତିଙ୍କ ପସନ୍ଦ ନାପସନ୍ଦ ନେଇ ସେମାନଙ୍କ ସହ ନିଶ୍ଚୟ ପରାମର୍ଶ କରିବେ। ବିଶିଷ୍ଟ ଆରବୀ କବି ଖଲିଲ ଜିବ୍ରାନ ପିତାମାତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି- “ଆପଣଙ୍କ ପିଲାମାନେ ଆପଣଙ୍କ ପିଲା ନୁହନ୍ତି; ସେମାନେ ଆପଣଙ୍କ ଜରିଆରେ ଏ ସଂସାରକୁ ଆସିଥାଇ ପାରନ୍ତି, ମାତ୍ର ଆପଣଙ୍କଠାରୁ ଆସିନାହାନ୍ତି। ଆପଣ ସେମାନଙ୍କୁ ଆପଣଙ୍କ ସ୍ନେହ ଦେଇପାରନ୍ତି, ମାତ୍ର ଆପଣଙ୍କ ଚିନ୍ତାଧାରା ଦେଇପାରିବେ ନାହିଁ। ସେମାନେ ଆପଣଙ୍କ ସହିତ ରହୁଛନ୍ତି, କିନ୍ତୁ ଆପଣଙ୍କର ନୁହନ୍ତି। ଆପଣ ସେମାନଙ୍କ ପରି ହେବାକୁ ଚେଷ୍ଟା କରିପାରନ୍ତି; ମାତ୍ର ସେମାନଙ୍କୁ ଆପଣଙ୍କ ପରି ଗଢ଼ିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଜୀବନ ଆଗକୁ ଗତିକରିବ, ଅତୀତ ସହ ତା’ର କିଛି ଦିଆନିଆ ନାହିଁ। ସେମାନଙ୍କ ଆତ୍ମା ରହୁଛି ଭବିଷ୍ୟତରେ, ଯାହା ଆପଣ ଚେଷ୍ଟା କଲେ ସୁଦ୍ଧା ଦେଖିପାରିବେ ନାହିଁ।’’ (ଦ ପ୍ରଫେଟ୍) ହଁ, ଆମେ ବଡ଼ମାନେ ସେମାନଙ୍କୁ ସ୍ବାଧୀନତା ଦେବା, ତା’ସହିତ ପଦେ ଦି’ପଦ ପରାମର୍ଶ ଆମମାନଙ୍କ ଅନୁଭୂତିରୁ ଦେଇପାରିବା। ମାତ୍ର ସେମାନଙ୍କୁ ଆମର ସମ୍ପତ୍ତି ତୁଲ୍ୟ ମନେକରି ସେମାନଙ୍କ ମାଧ୍ୟମରେ ଆମର ଅପୂର୍ଣ୍ଣ ଅଭିଳାଷ ପୂରଣ କରିବାର ଆଶା କରିବା ନାହିଁ।
କାହାକୁ ସାକ୍ଷୀ ରଖି ବିବାହ ସମ୍ପନ୍ନ ହେବ? ଆଧୁନିକ ଯୁଗରେ ଆଇନ ରହିଛି ଆପଣଙ୍କୁ ସୁରକ୍ଷା ଦେବାପାଇଁ। ଏଠି ଦରକାର ପଡ଼ିଲେ ତଥାକଥିତ ଈଶ୍ବରଙ୍କ ପ୍ରତିନିଧିମାନେ ସୁଦ୍ଧା ବିବାଦ ସମାଧାନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ଦାମ୍ପତ୍ୟ ବିବାଦରୁ କେହି କ୍ଷତବିକ୍ଷତ ହେଲା ପରେ ହିଁ କୋର୍ଟର ସହାୟତା ଲୋଡ଼ୁଛି, ବିବାହ ସମୟରେ କାହିଁକି ନୁହେଁ? ହେତୁବାଦୀ, ପ୍ରଗତିଶୀଳ ଓ ବିଜ୍ଞାନମନସ୍କ ବ୍ୟକ୍ତିମାନେ ଅଦାଲତୀୟ ବିବାହକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ସେଥିରେ ଦମ୍ପତିଙ୍କୁ ଆଇନର ବନ୍ଧନ ଓ ସୁରକ୍ଷା ମିଳୁଛି। ଆବଶ୍ୟକ ପଡ଼ିଲେ କଳହ ମୀମାଂସାରେ ପରିବାର ଅଦାଲତ ପରି ନାନା ମଞ୍ଚର ସହାୟତା ରହିଛି। ବିପରୀତରେ, ବୈବାହିକ ସଂଘର୍ଷରେ କୌଣସି ଧର୍ମାନୁଷ୍ଠାନ, ଚର୍ଚ୍ଚ, ମନ୍ଦିର, ମସଜିଦ, ଗୁରୁଦ୍ବାର ଆସି ପୀଡ଼ିତ ବା ପୀଡ଼ିତାଙ୍କୁ ନ୍ୟାୟ ଦେଇପାରିବ ନାହିଁ। ଯଦି କେହି ଭାରତରେ ନ୍ୟାୟର ଦୁନ୍ଦୁଭି ବଜାଇଛି ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସମାନ ପାହ୍ୟା ଦେଇଛି ସେ ହେଉଛି ଦେଶର ସର୍ବୋଚ୍ଚ ଆଇନ ପୁସ୍ତକ, ଆଧୁନିକ ଭାରତର ମହାଶାସ୍ତ୍ର, ‘ଭାରତର ସମ୍ବିଧାନ’। ସେହି ପୁସ୍ତକ ଏବେ ଜାତି ଧର୍ମ ନିର୍ବିଶେଷରେ ଅନେକ ଯୁବକ-ଯୁବତୀଙ୍କ ପାଇଁ ବିବାହର ସାକ୍ଷୀ ପାଲଟିଛି। ସେହି ଗ୍ରନ୍ଥକୁ ଧରି ବର-କନ୍ୟା ଏକ ମିଳିତ ଜୀବନ ପାଇଁ ଶପଥ ଗ୍ରହଣ କରିପାରିବେ। ଗୁରୁଜନ ଓ ସ୍ନେହାସ୍ପଦମାନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପର ପ୍ରତି ସ୍ନେହ, ଦାୟିତ୍ବ ଓ ସମ୍ମାନପୂର୍ଣ୍ଣ ଆଚରଣର ପ୍ରତିଜ୍ଞା କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories