ଆତ୍ମଘାତୀ ବିସ୍ଫୋରଣରେ ୧୭ ମୃତ, ୩ ଜଣଙ୍କ ମୁଣ୍ଡକାଟ
କାବୁଲ : ଆଫଗାନିସ୍ତାନର ଜଲାଲବାଦ ସହରରେ ରବିବାର ଆତ୍ମଘାତୀ ବିସ୍ଫୋରଣରେ ୧୭ଜଣ ପ୍ରାଣ ହରାଇଥିଲା ବେଳେ ୩୦ ଜଣ ଆହତହୋଇଛନ୍ତି। ଶିଖ ଓ ହିନ୍ଦୁଙ୍କୁ ନିଶାଣ କରି ଏହି ବିସ୍ଫୋରଣ ଘଟାଯାଇଛି। ନାଙ୍ଗାହାର ପ୍ରଦେଶ ପୁଲିସ ମୁଖ୍ୟ ପ୍ରଥମେ ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଓ ୫ଜଣ ଆହତ ହୋଇଥିବା ସୂଚନା ଦେଇଥିଲେ। ପରେ ସରକାରୀ ମୁଖପାତ୍ର ଅତାଉଲ୍ଲା ଖୋଗ୍ୟାନି ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଓ ୩୦ ଜଣ ଆହତ ହୋଇଥିବା ପ୍ରକାଶ କରିଥିଲେ। ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟର କେତେକ ଲୋକ ରାଷ୍ଟ୍ରପତି ଅସ୍ରଫ ଘନିଙ୍କୁ ଭେଟିବାକୁ ଯାଉଥିବାବେଳେ ସେମାନଙ୍କୁ ନିଶାଣ କରି ବିସ୍ଫୋରଣ ଘଟାଯାଇଥିଲା। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।
ଅନ୍ୟ ଏକ ଘଟଣାରେ ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀମାନେ ୩ ଜଣଙ୍କର ମୁଣ୍ଡକାଟ କରିଛନ୍ତି। ଆତଙ୍କବାଦୀମାନେ ଏକ ସ୍କୁଲରେ ନିଆଁ ଲଗାଇବା ସହ ଏଠାରେ କାମ କରୁଥିବା ତିନି ଆଟେଣ୍ଡାଣ୍ଟଙ୍କର ମୁଣ୍ଡକାଟ କରିଛନ୍ତି। ଶିକ୍ଷା ବିଭାଗ ପ୍ରବକ୍ତାଙ୍କ କହିବା ଅନୁଯାୟୀ ସ୍କୁଲର ପ୍ରଶାସନିକ କାର୍ଯ୍ୟାଳୟ ଓ ପାଠାଗାର ସମ୍ପୂର୍ଣ୍ଣ ରୂପେ ପୋଡିଯାଇଛି। ପାକିସ୍ତାନ ସୀମାନ୍ତ ନାଙ୍ଗାହାର ପ୍ରଦେଶରେ ଆଇଏସ୍ ଓ ତାଲିବାନ ଆତଙ୍କବାଦୀମାନେ ସକ୍ରିୟ ରହିଛନ୍ତି।