କମଳନାଥଙ୍କ ସହଯୋଗୀଙ୍କ ଠିକଣା ଉପରେ ଦ୍ୱିତୀୟ ଦିନ ଆୟକର ଚଢାଉ

ଭୋପାଳ/ଇନ୍ଦୋର : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅତିଘନିଷ୍ଠ ଓ ସହଯୋଗୀଙ୍କ ମଧ୍ୟପ୍ରଦେଶସ୍ଥିତ ବିଭିନ୍ନ ଠିକଣା ଉପରେ ସୋମବାର ଦ୍ୱିତୀୟ ଦିନ ମଧ୍ୟ ଆୟକର ବିଭାଗ ଚଢାଉ ଜାରି ରଖିଛି। କମଳନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ କକ୍କଡ, ଭଣଜା ରାତୁଲ ପୁରୀ, ପରାମର୍ଶଦାତା ଆରକେ ମିଗଲାନି, କକ୍କଡଙ୍କ ଘନିଷ୍ଠ ପ୍ରତୀକ ଯୋଶୀ ଏବଂ ଅଶ୍ୱିନ ଶର୍ମାଙ୍କ ବିଭିନ୍ନ ଠିକଣା ଉପରେ ଚଢାଉ କରାଯାଇଛି। ସିଆରପିଏଫ ସହାୟତାରେ ଆୟକର ବିଭାଗର ପ୍ରାୟ ୫୦୦ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି। ରବିବାର ଚଢାଉରୁ ପ୍ରାୟ ୧୬ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଥିଲା। ତେବେ ସୋମବାର ଅଶ୍ୱିନ ଶର୍ମାଙ୍କ ଭୋପାଳସ୍ଥିତ ଘରୁ ୯ କୋଟି ନଗଦ ଟଙ୍କା ଜବତ କରାଯାଇଛି। ନୋଟର ଗଣତି ପରେ ଆୟକର ଅଧିକାରୀମାନେ ୫ଟି ବାକ୍ସ ଓ ମେଶିନ୍‍ ନେଇ ବାହାରକୁ ଆସିଥିଲେ। ମୋଟ କେତେଟଙ୍କା ଜବତ କରାଯାଇଛି, ତାର ସଠିକ୍‍ ସୂଚନା ମିଳିନାହିଁ।
ସୋମବାର ବ୍ୟାଙ୍କରୁ ତଥ୍ୟ ହାସଲ କରିବା ପାଇଁ ଆୟକର ଅଧିକାରୀ ଦଳ କକ୍କଡ଼ଙ୍କ ପତ୍ନୀ ସାଧନାଙ୍କୁ ଆଇଡିବିଆଇ ବ୍ୟାଙ୍କକୁ ନେଇ ଯାଇଥିଲା। ଦ୍ୱିତୀୟ ଦଳ ତାଙ୍କ ପୁଅ ସଲିଲ କକ୍କଡଙ୍କୁ ପରିବାର ସମ୍ପର୍କିତ କେତେକ କାର୍ଯ୍ୟାଳୟକୁ ନେଇ ଯାଇଥିଲା। ରବିବାର କକ୍କଡଙ୍କ ଇନ୍ଦୋରସ୍ଥିତ ଘରୁ ୩୦ ଲକ୍ଷ ଟଙ୍କାର ଗହଣା ଏବଂ ୨ ଲକ୍ଷ ନଗଦ ଟଙ୍କା ମିଳିଥିଲା। ତାଙ୍କୁ ରାତି ସାରା ପଚରା ଉଚୁରା କରାଯାଇଥିଲା।
ସୂଚନା ଅନୁସାରେ ରବିବାର ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗୋଆ ଏବଂ ଦିଲ୍ଲୀରେ ଆୟକର ବିଭାଗର ପୃଥକ ପୃଥକ ଦଳ ଏକ ସଙ୍ଗେ ଚଢାଉ କରିଥିଲେ। ଭୋପାଳର ପ୍ଲାଟିନମ ପ୍ଲାଜାର ୬ ମହଲାରେ ପ୍ରତୀକ ଯୋଶୀ ଏବଂ ଅଶ୍ୱିନ ଶର୍ମାଙ୍କ ଆବାସ ଓ କାର୍ଯ୍ୟାଳୟ ରହିଛି। ଉଭୟ ପ୍ରବୀଣ କକ୍କଡଙ୍କ ଅତି ଘନିଷ୍ଠ। ରବିବାର ପ୍ରତୀକଙ୍କ ଘରୁ ବହୁ ପରିମାଣର ନଗଦ ଟଙ୍କା ମିଳିଥିବାବେଳେ ଅଶ୍ୱିନଙ୍କ ନିକଟରୁ ୨୪ରୁ ଅଧିକ ବିଳାସମୟ କାର ମିଳଥିଲା। ସୋମବାର ଚଢାଉରୁ ଜବତ ଟଙ୍କା ଓ ସମ୍ପତ୍ତି ଉପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ।

Comments are closed.