ତେଲ୍ ଆବିଭ୍: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ନୂଆ ନୁହେଁ। ଗାଜା ଉପତ୍ୟକାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ଦୀର୍ଘ କାଳ ଧରି ଜାରି ରହିଛି। ଏଥିେର ପାଲେଷ୍ଟାଇନ୍ର ଇସ୍ଲାମିକ ଆତଙ୍କବାଦୀ ସଂଗଠନ ‘ହମାସ୍’ ପ୍ରମୁଖ ଭୂମିକା ନିଭାଇ ଆସିଛି। ବିଭିନ୍ନ ସମୟରେ ଏହା ଇହୁଦି ଅଧ୍ୟୁଷିତ ଇସ୍ରାଏଲ ଉପରେ ରକେଟ ମାଡ଼ କରିବା ସହ ଇସ୍ରାଏଲ ଭିତରକୁ ଅନୁପ୍ରବେଶ କରି ହିଂସାକାଣ୍ଡ ଘଟାଉଛି। ଶନିବାରର ଆକ୍ରମଣ ଗତ କିଛି ବର୍ଷ ମଧ୍ୟରେ ସର୍ବବୃହତ୍। ଗାଜା ଉପତ୍ୟକାକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ରହିଛି। ବହୁ ଆଲୋଚନା-ପର୍ଯ୍ୟାଲୋଚନା ପରେ ୨୦୦୫ରେ ଇସ୍ରାଏଲ ଏହି ଉପତ୍ୟକା ପରିତ୍ୟାଗ କରିଥିଲା। ଏକ ପଟି ପରି ରହିଥିବା ଗାଜାର ଜନସଂଖ୍ୟା ପ୍ରାୟ ୨୩ ଲକ୍ଷ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଇସ୍ରାଏଲ ଏହାକୁ ଇଜିପ୍ଟଠାରୁ ଛଡ଼ାଇ ଆଣି ନିଜ ଦଖଲରେ ଦୀର୍ଘ ୩୮ ବର୍ଷ ଧରି ରଖିଥିଲା। ୨୦୦୫ ଅଗଷ୍ଟରେ ଏହାକୁ ଛାଡ଼ି ପଳାଇ ଆସିବା ପରେ ଅସଲ ଲଢ଼େଇ ଆରମ୍ଭ ହୋଇଥିଲା। ୨୦୦୬ ଜାନୁଆରୀରେ ଇସ୍ଲାମିକ ଆତଙ୍କବାଦୀ ସଂଗଠନ ହମାସ୍ ପାଲେଷ୍ଟାଇନ୍ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଏହା ଇସ୍ରାଏଲକୁ ସ୍ବୀକୃତି ଦେବା ଓ ହିଂସା ପରିତ୍ୟାଗ କରିବା ପାଇଁ ମନା କରିଥିଲା। ଫଳରେ ଆମେରିକା ଓ ଇସ୍ରାଏଲ ପାଲେଷ୍ଟାଇନ୍କୁ ସମସ୍ତ ସହାୟତା ବନ୍ଦ କରିଦେଇଥିଲେ। ସେହିବର୍ଷ ଜୁନ୍ରେ ହମାସ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ୨୦୦୭ ଜୁନ୍ରେ ପୁଣି ଏକ ଛୋଟକାଟର ଯୁଦ୍ଧରେ ହମାସ ଗାଜାକୁ ଦଖଲ କରିବା ସହ ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଆବାସ୍ଙ୍କ ସମର୍ଥିତ ଫତାହ୍ ବାହିନୀକୁ ହଟାଇ ଦେଇଥିଲା ।
୨୦୦୮ ଡିସେମ୍ବରରେ ପାଲେଷ୍ଟାଇନ୍ର ରକେଟ ମାଡ଼ର ଜବାବ ଦେବାକୁ ଯାଇ ଇସ୍ରାଏଲ ଗାଜାରେ ୨୨ ଦିନ ଧରି ସାମରିକ ଅଭିଯାନ ଚଳାଇଥିଲା। ଏଥିରେ ୧୪୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ପରେ ଯୁଦ୍ଧବିରତି ଲାଗୁ ହୋଇଥିଲା। ୨୦୧୨ ନଭେମ୍ବରରେ ଇସ୍ରାଏଲ ଓ ହମାସ୍ ବାହିନୀ ମଧ୍ୟରେ ୮ ଦିନ ଲଢ଼େଇ ଚାଲିଥିଲା ଏବଂ ଏଥିରେ ହମାସ୍ ବାହିନୀ ମୁଖ୍ୟ ଅହମ୍ମଦ ଜବାରିକୁ ହତ୍ୟା କରାଯାଇଥିଲା। ୨୦୧୪ ଜୁଲାଇରେ ହମାସ ଇସ୍ରାଏଲର ତିନି ଜଣଙ୍କୁ ଅପହରଣ କରିବା ପରେ ପୁଣି ୭ ସପ୍ତାହ ଯୁଦ୍ଧ ଲାଗିଥିଲା। ଏଥିରେ ୨୧୦୦ ପାଲେଷ୍ଟିନୀୟ ଓ ୭୩ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ମାର୍ଚ୍ଚରେ ଗାଜା ସୀମାରେ ପାଲେଷ୍ଟିନୀୟ ଆନ୍ଦୋଳନ କରିଥିଲେ। ଇସ୍ରାଏଲ ସେନା ଗୁଳି ଚଳାଇବାରୁ ୧୭୦ ବିକ୍ଷୋଭକାରୀଙ୍କ ମୃତ୍ୟୁକୁ ନେଇ ପୁଣି ହମାସ ସହ ଯୁଦ୍ଧ ଲାଗିଥିଲା। ୨୦୨୧ ମେ’ରେ ଇସ୍ରାଏଲ ସେନା ଆକ୍ରମଣରେ ବହୁ ପାଲେଷ୍ଟିନୀୟ ଆହତ ହୋଇଥିଲେ। ଦୀର୍ଘ ଦାବି ପରେ ଜେରୁଜେଲମ୍ର ଅଲ୍ ଆକ୍ସା ପରିସରରୁ ଇସ୍ରାଏଲ ସେନା ପ୍ରତ୍ୟାହୃତ ହୋଇଥିଲେ। ଏହି ସମୟରେ ହମାସ ଗାଜାରୁ ଇସ୍ରାଏଲ ଉପରେ ରକେଟ ମାଡ଼ କରିଥିଲା ଓ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଥିଲା। ଏଗାର ଦିନ ଯୁଦ୍ଧରେ ଗାଜାର ପ୍ରାୟ ୨୫୦ ଲୋକ ପ୍ରାଣ ହରାଇଥିଲେ। ୨୦୨୨ ଅଗଷ୍ଟରେ ଇସ୍ରାଏଲ ହମାସ ଜିହାଦୀ କମାଣ୍ଡରକୁ ହତ୍ୟା ପାଇଁ ଆକ୍ରମଣ କଲାବେଳେ ୪୪ ଜଣଙ୍କ ପ୍ରାଣହାନି ଘଟିଥିଲା। ଜିହାଦୀମାନେ ୧୦୦୦ ରକେଡ ମାଡ଼ କରିଥିଲେ। ୨୦୨୩ ଜାନୁଆରୀରେ ଶରଣାର୍ଥୀ ଶିବିର ଉପରେ ଚଢ଼ଉ ଯୋଗୁଁ ଜିହାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ।



