ଅନ୍ନ ଚିନ୍ତା ଚମତ୍କାର

ସୁଜିତ୍‌ କୁମାର ନାଥ

ସଂପ୍ରତି ଭାରତ ସରକାରଙ୍କର ବାସୁମତୀ ଚାଉଳ ପାଇଁ ସର୍ବନିମ୍ନ ରପ୍ତାନି ମୂଲ୍ୟ ଘୋଷଣା ଓ ଉଷୁନା ଚାଉଳ ରପ୍ତାନି ଉପରେ ନିୟନ୍ତ୍ରଣ, ପୃଥିବୀର ଖାଦ୍ୟ ବଜାରରେ ଚାଉଳ ଉପଲବ୍ଧତାକୁ ପ୍ରଭାବିତ କରିଅଛି। ଗତ ବର୍ଷଠାରୁ ଖୁଦ ଚାଉଳର ବହିର୍ଗମନ ଉପରେ ଅଙ୍କୁଶ ଲଗାଇ ସାରିଥିବା ଆମ ଦେଶ ଏବେ ଅଣ ବାସୁମତୀ ଚାଉଳ ରପ୍ତାନି ଉପରେ କଟକଣା ଜାରି କରିଛି। କୃଷ୍ଣସାଗର ଚୁକ୍ତିରୁ ରୁଷିଆର ଏକତରଫା ଅପସାରଣ ସହ ଭାରତର ପରିବର୍ତ୍ତିତ ଚାଉଳ ରପ୍ତାନି ନୀତି ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି। ମିଳିତ ଜାତିସଙ୍ଘର ଖାଦ୍ୟ ଓ କୃଷି ସଂସ୍ଥା ଭାରତର ଏ ସବୁ ନୂତନ ନିୟମର ପ୍ରଚଳନ ପାଇଁ ବିଶ୍ବ ବଜାରରେ ଚାଉଳ ଦର ୧୫ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ପ୍ରକାଶ କରିଛି। ଏଠାରେ ଉଲ୍ଲେଖନୀୟ ଯେ ପୃଥିବୀର ମୋଟ ଚାଉଳ ବ୍ୟବସାୟର ଚାଳିଶ ପ୍ରତିଶତ କେବଳ ଭାରତ ହିଁ କରିଥାଏ। ସର୍ବ ବୃହତ୍‌ ଚାଉଳ ରପ୍ତାନିକାରୀ ରାଷ୍ଟ୍ରଭାବେ ଏହା ଗତ ଆର୍ଥିକ ବର୍ଷରେ ୧୪୦ଟି ଦେଶକୁ ବାଇଶି ନିୟୁତ ଟନ୍‌ ଚାଉଳ ବିକ୍ରି କରିଅଛି। ପୃଥିବୀର ଅର୍ଦ୍ଧାଧିକ ଜନସାଧାରଣଙ୍କର ମୁଖ୍ୟ ଖାଦ୍ୟ ଭାତ (ଅନ୍ନ) ହୋଇଥିବାବେଳେ ଆମ ସରକାରଙ୍କର ଏ ପଦକ୍ଷେପ ବହୁ ଦେଶର ଖାଦ୍ୟ ନିରାପତ୍ତାକୁ ଦୋହଲାଇଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସ୍ବଳ୍ପ ମୂଲ୍ୟର ଅଣ ବାସୁମତୀ ଧଳା ଚାଉଳ କଟକଣା ଆମ ପଡ଼ୋଶୀ ନେପାଳ ଓ ବାଂଲାଦେଶର ଖାଉଟିଙ୍କୁ ବାଧିବାବେଳେ ନିମ୍ନମାନର ଖୁଦ୍‌ଚାଉଳର ଅଭାବ ଗରିବ ଆଫ୍ରିକୀୟ ରାଷ୍ଟ୍ର ସମୂହର ଖାଦ୍ୟ ନିରାପତ୍ତାକୁ ଗୁରୁତରଭାବେ ପ୍ରଭାବିତ କରିବ ବୋଲି କୁହାଯାଉଛି। ସୁତରାଂ, ଗୋଟିଏ ବିଶ୍ବ, ଗୋଟିଏ ପରିବାର ସ୍ଲୋଗାନ ଦେଉଥିବା ଭାରତବର୍ଷର ଗରିବ ରଷ୍ଟ୍ରମାନଙ୍କ ମୁହଁରୁ ଅନ୍ନ ଛଡ଼ାଇ ଆଣିବାର ଏ ପ୍ରୟାସ ଭବିଷ୍ୟତରେ କେଉଁ ରୂପ ନେବ, ତାହା ଏକ ବିରାଟ ପ୍ରଶ୍ନବାଚୀ। ତଥ୍ୟ ଅନୁସାରେ ଆମ ଦେଶ ବାର୍ଷିକ ପ୍ରାୟ ୧୩୫ ନିୟୁତ ଟନ୍‌ ଚାଉଳ ଉତ୍ପାଦନ କରିଥାଏ। ଅଶୀକୋଟି ଜନତାଙ୍କ ପାଇଁ ଅତ୍ୟଧିକ ରିଆତି (ମାଗଣା!)ଭାବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଦିଆଯାଉଥିବା ଚାଉଳ ମିଶାଇ ଆମର ବାର୍ଷିକ ଚାହିଦା ୯୫ ନିୟୁତ ଟନ୍‌ରେ ସୀମିତ। ଜରୁରୀ କାଳୀନ ଅବସ୍ଥାକୁ ନିୟନ୍ତ୍ରଣ କରିବାକୁ ସରକାର ୪୧ ନିୟୁତ ଟନ୍‌ ଚାଉଳ ନିଜ ଗୋଦାମରେ ଗଚ୍ଛିତ ରଖିଛନ୍ତି। ସ୍ବାବଲମ୍ବନତାର ଏପରି ଏକ ନିରାପଦ ସ୍ଥାନରେ ଥାଇ ମଧ୍ୟ ଭାରତ ସରକାରଙ୍କର ଏପରି ଚାଉଳ ରପ୍ତାନି ନୀତି ବହୁ କୃଷିବିଶାରଦ ଓ ଅର୍ଥନୀତିଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି।

ତଥ୍ୟ ଅନୁସାରେ, ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଚାଉଳ ରପ୍ତାନିରୁ ଆମ ଦେଶ ପ୍ରାୟ ଦଶ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଅର୍ଜନ କରିଅଛି। ଏହା କେବଳ ବାସୁମତୀ ଚାଉଳର ବିକ୍ରିଲବ୍ଧ ଅର୍ଥନୁହେଁ ବରଂ ଏହାର ମୁଖ୍ୟଭାଗ ଭାବେ ଆଠ ନିୟୁତ ଟନ ଉଷୁନା ଚାଉଳ, ଛ’ ନିୟୁତ ଟନ ଅଣ ବାସୁମତୀ ଧଳାଚାଉଳ ଓ ତିନି ନିୟୁତ ଟନ୍‌ ଖୁଦ ଚାଉଳ ମଧ୍ୟ ରହିଛି। ତେବେ ସରକାରଙ୍କର ଏ ନୂଆ ଚାଉଳ ରପ୍ତାନି ନୀତି ଅବିମୃଶ୍ୟକାରିତାର ଚରମ ନିଦର୍ଶନ କହିଲେ ସଂପୂର୍ଣ୍ଣ ଉଚିତ ହେବନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ଆଗାମୀ ବର୍ଷ କେନ୍ଦ୍ର ସରକାରଙ୍କ ପାଇଁ ପରୀକ୍ଷାର ବର୍ଷ ହେବ। ସାଧାରଣ ଟମାଟୋ ପାଇଁ ବଢ଼ିଯାଉଥିବା ଖାଦ୍ୟ ମୁଦ୍ରାସ୍ଫୀତିକୁ ବର୍ଦ୍ଧିତ ଚାଉଳ ଦର ବିନିମୟରେ ଲଗାମଛଡ଼ା ହେବାକୁ ସରକାର ଚାହାନ୍ତି ନାହିଁ। ସାରା ଭାରତରେ ଏଲ୍‌ନିନୋର ନକାରାତ୍ମକ ପ୍ରଭାବ ବର୍ତ୍ତମାନ ସ୍ପଷ୍ଟ ଦୃଶ୍ୟମାନ। ଏ ବର୍ଷର ଅଗଷ୍ଟ ମାସ ଗତ ଶତାବ୍ଦୀର ପ୍ରାରମ୍ଭରୁ (୧୯୦୧ ମସିହା)ରୁ ଅଦ୍ୟାବଧି ସବୁଠାରୁ ଶୁଷ୍କମାସ ଭାବେ ଘୋଷିତ ହୋଇଛି। ଦେଶର ଦାକ୍ଷିଣାତ୍ୟରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୬୨ ପ୍ରତିଶତ, ମଧ୍ୟ ଭାରତରେ ୪୨ ପ୍ରତିଶତ ଓ ଉତ୍ତର ପଶ୍ଚିମ ଭାଗରେ ୩୪ ପ୍ରତିଶତ କମ୍‌ ବର୍ଷା ହୋଇଛି। କର୍ଣ୍ଣାଟକ ପରି ସ୍ବର୍ଣ୍ଣପ୍ରସୂ ରାଜ୍ୟରେ ୭୫ ପ୍ରତିଶତ କମ୍‌ ବୃଷ୍ଟିପାତ ରେକର୍ଡ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଯାହା ଦେଶର ଅଶୀ ପ୍ରତିଶତ ବାର୍ଷିକ ବୃଷ୍ଟିପାତ ଓ ତଦନୁଯାୟୀ ଫସଲ ଉତ୍ପାଦନର ମୁଖ୍ୟକାରକ। ତାହା ଏ ବର୍ଷ ଭାରତୀୟ କୃଷକକୁ ଧୋକା ଦେଇଛି। ଭାରତୀୟ ପାଣିପାଗ ବିଭାଗର ସେପ୍ଟେମ୍ବର ମାସର ସ୍ବାଭାବିକ ବୃଷ୍ଟି ଆକଳନ ଏ ସମୟରେ ସାଧାରଣ କୃଷକ ମନରେ ଉତ୍ସାହ ଆଣିବାରେ ଅସମର୍ଥ। ତେଣୁ ଭବିଷ୍ୟତରେ ଧାର୍ଯ୍ୟଲକ୍ଷ୍ୟରୁ କମ୍‌ ଉତ୍ପାଦନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚାଉଳ ରପ୍ତାନିକୁ ନିୟନ୍ତ୍ରଣ କରିଛନ୍ତି ଓ ଏହା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଟମାଟୋର ସାମୟିକ ଦରବୃଦ୍ଧି ଯେପରି ଅନ୍ୟ ସାମଗ୍ରୀର ଦରକୁ ପ୍ରଭାବିତ କଲା, ସେହିପରି ଚାଉଳର ଅତ୍ୟଧିକ ଦରବୃଦ୍ଧି ନିଶ୍ଚିତଭାବେ ସମଗ୍ର ଖାଦ୍ୟ ସାମଗ୍ରୀ ବିପଣନ ବ୍ୟବସ୍ଥାକୁ ସଂକ୍ରମିତ କରିବବୋଲି ସରକାର ଆଶଙ୍କା ପ୍ରକାଶ କରୁଛନ୍ତି। ଭାରତ ପରି କୃଷି କୈନ୍ଦ୍ରିକ ରାଷ୍ଟ୍ରରେ ୧୪୦କୋଟି ଜନତାଙ୍କୁ ଅନ୍ନ ଯୋଗାଇବାରେ ସରକାର କୌଣସି ତ୍ରୁଟି ନରଖିବାକୁ ପ୍ରୟାସ କରୁଥିବାରୁ ଏହି ନୂତନ ନୀତି, ଏହାର ଅଂଶବିଶେଷ, ଏହା ସ୍ପଷ୍ଟ ପ୍ରତୀୟମାନ ହେଉଅଛି।

prayash

ଏବେ ଆମ ଓଡ଼ିଶା କଥା ଆଲୋଚନା କରାଯାଉ। ଓଡ଼ିଶାର ଶତପ୍ରତିଶତ ଜନସାଧାରଣଙ୍କର ମୁଖ୍ୟ ଖାଦ୍ୟ ଭାତ (ଅନ୍ନ)। ବିଗତ ବର୍ଷମାନଙ୍କରେ ଓଡ଼ିଶାର ବାର୍ଷିକ ଧାନ ଉତ୍ପାଦନ ଏକ ଶହ ଲକ୍ଷ ଟନ୍‌ ଅତିକ୍ରମର ନଜିର ରହିଛି। ଧାନ ହିଁ ଓଡ଼ିଶାର ଏକ ମାତ୍ର ଖାଦ୍ୟଶସ୍ୟ ଯାହାର ଉତ୍ପାଦନରେ ଓଡ଼ିଶା ସ୍ବୟଂସଂପୂର୍ଣ୍ଣ। ତଥାପି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ୨୦୧୧-୧୨, ୨୦୧୫-୧୬, ୨୦୧୭-୧୮ ଆଦି ବର୍ଷମାନଙ୍କରେ ଓଡ଼ିଶା ନିଅଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଏପରି କି ୨୦୦୨ ସିହାରେ ଅନାବୃଷ୍ଟି କାରଣରୁ ଆମ ରାଜ୍ୟକୁ ୨୨ ଲକ୍ଷ ଟନ୍‌ ଚାଉଳ ଆମଦାନୀର ଆବଶ୍ୟକତା ପଡ଼ିଥିଲା। ଅଦ୍ୟାବଧି ବୃଷ୍ଟିପାତକୁ ଅନୁଶୀଳନ କଲେ ଜଣାଯାଏ ଯେ ଗତ ଜୁନ୍‌ ପହିଲାରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଓଡ଼ିଶାର ସ୍ବାଭାବିକ ବୃଷ୍ଟିପାତ ୯୨୨ ମିମି ହେବା ପରିବର୍ତ୍ତେ, ଏ ବର୍ଷ ୧୫ ପ୍ରତିଶତ କମ୍‌ ହୋଇଛି। ନବରଙ୍ଗପୁର ଜିଲାରେ ୪୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୩୮ ପ୍ରତିଶତ, ଗଞ୍ଜାମରେ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି। ଆହୁରି ସୂକ୍ଷ୍ମସ୍ତରକୁ ନେଲେ କିଛି ସ୍ଥାନରେ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇଛି ବୋଲି ଜଣାଯାଏ। ଉଦାହରଣ ସ୍ବରୂପ, ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ଅଗଷ୍ଟ ମାସ ସାରା ୧୯ ମିମି ବର୍ଷା ହୋଇଛି। ଏକ କିଲୋଗ୍ରାମ ଧାନ ଉତ୍ପାଦନ ପାଇଁ ହାରାହାରି ୩୫୦୦ରୁ ୫୦୦୦ଲିଟର ପାଣି ଆବଶ୍ୟକ ହେଉଥିବା​​‌ବେ​‌େ​‌ଳ ବିନା ଇନ୍ଦ୍ରଙ୍କ କୃପାରେ ଧାନଚାଷ କେମିତି ସମ୍ଭବ ହେବ, ଏହା ପାଠକେ ଚିନ୍ତାକରିବେ। ଓଡ଼ିଶା ରାଜ୍ୟରେ ନିଅଣ୍ଟିଆ ଖରିଫ ଧାନ ରବିଋତୁରେ ପୂରଣ କରିବା ଅସମ୍ଭବ। ଆମ ରାଜ୍ୟରେ ଜଳସେଚିତ ଜମିର ପରିସୀମା ଯଦି ଉଚିତ୍‌ଭାବେ ବଢ଼ୁଥାନ୍ତା, ତେବେ କୃଷି ସାନ୍ଦ୍ରତା ୧୯୯୪-୯୫ରେ ୧୫୪ ପ୍ରତିଶତ ଥିଲାବେଳେ ପଚିଶବର୍ଷ ପରେ (୨୦୧୯-୨୦)ରେ ମଧ୍ୟ ସେହି ୧୫୪ରେ ସ୍ଥିର ନଥାନ୍ତା। ଏସବୁର ଊର୍ଦ୍ଧ୍ବରେ ଅଣକୃଷି କାର୍ଯ୍ୟରେ ଧାନ ଜମିର ବ୍ୟବହାର ଧାନ ଉତ୍ପାଦନର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରେ। ଅବଶ୍ୟ କୃଷି ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାରୁ ଉଦ୍ଭାବିତ ନୂତନ ଜ୍ଞାନ କୌଶଳ ଆମ ଜମି ହ୍ରାସଜନିତ କ୍ଷତିକୁ ଭରଣା କରି ଆସୁଅଛି; କିନ୍ତୁ ଜଳବାୟୁର ଅନିଶ୍ଚିତତା ଆମର ଲକ୍ଷଲକ୍ଷ ଅନୁସୂଚିତ ଜାତି, ଜନଜାତି ଓ ଦୁର୍ବଳ ଜନସାଧାରଣଙ୍କୁ ବିନା ଅନ୍ନରେ ବଞ୍ଚିରହିବାକୁ ଯେ ଦିନେ ବାଧ୍ୟ ନ କରିବ, କିଏ କହିବ?

ଅତଏବ ଭବିଷ୍ୟତରେ ଅନ୍ନ ଚିନ୍ତାକୁ ଦୂରୀଭୂତ କରିବାକୁ ହେଲେ ଆମକୁ ଚାଉଳ ଉତ୍ପାଦନର ସମସ୍ତ ଦିଗକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ। ଭାରତ ସରକାର ଗରିବ ଲୋକଙ୍କୁ ମାଗଣା ଚାଉଳ ବଣ୍ଟନ କରୁଛନ୍ତିର ଅର୍ଥ ନୁହେଁ ଆମର ଉତ୍ପାଦିତ ପରିମାଣ ଓ ଉତ୍ପାଦନ ବ୍ୟବସ୍ଥା ସାରା ବିଶ୍ବକୁ ଅନ୍ନ ଯୋଗାଇବାରେ ସର୍ବଦା ସକ୍ଷମ। ଗତ ବର୍ଷଠାରୁ ଧାନ ଉତ୍ପାଦନରେ ଆରମ୍ଭ ହୋଇଥିବା ସମସ୍ୟା ପାଇଁ ଆମ ଦେଶର ଖୁଚୁରା ବଜାରରେ ଚାଉଳର ମୂଲ୍ୟ ଦଶପ୍ରତିଶତ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଆହୁରି ବଢ଼ିଲେ, ଦେଶର ନିମ୍ନ ଆୟକାରୀ ଗୋଷ୍ଠୀଙ୍କ ଅନ୍ନଥାଳିରେ ଚାପ ପଡ଼ିବ। ତେଣୁ ଜଳବାୟୁ ଅନୁକୂଳ କୃଷିକୁ ଆହୁରି ସଫଳକାମୀ କରିବାର ଆବଶ୍ୟକତା ରହିଛି। ଆମ ରାଜ୍ୟ ସରକାର ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ ପାଇଁ ମୋ କ୍ଷେତ ପୋଖରୀ, ମତ୍ସ୍ୟପୋଖରୀ ସହ ଜଳଛାୟା ମିଶନ କାର୍ଯ୍ୟକାରୀ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ଜିଲାରେ ଧାନଉତ୍ପାଦନ ବୃଦ୍ଧି ପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଓ ପୂର୍ବାଞ୍ଚଳରେ ସବୁଜ ବିପ୍ଳବ ଯୋଜନାକୁ କାର୍ଯ୍ୟାନ୍ବୟନ କରିଛନ୍ତି। ରାଜ୍ୟର ଦଶଟି କୃଷିବିଜ୍ଞାନ କେନ୍ଦ୍ରରେ ‘ଜଳବାୟୁ ଅନୁକୂଳ କୃଷି ଉପରେ ଜାତୀୟ ପରିଯୋଜନା’କୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ସର୍ବୋପରି ଏ ଯୋଜନା ସବୁର କାର୍ଯ୍ୟାନ୍ବୟନ ଓ ଗ୍ରହଣୀୟତା ଉପରେ ଆମ ଦେଶ ଚାଉଳ ଉତ୍ପାଦନର ସ୍ବାବଲମ୍ବନତା ନିର୍ଭରକରେ। ଆଜିର ସମାଜରେ କେହି ‘ହା ଅନ୍ନ’ ନ କହୁ, ଏହା ଉପରେ ଭାରତ ସରକାରଙ୍କ ନୀତି ପର୍ଯ୍ୟବସିତ ହେବା ଉଚିତ।

kalyan agarbati

Comments are closed.