ଦିଲ୍ଲୀକୁ ହରାଇ ସନ୍‌ରାଇଜର୍ସ ଶୀର୍ଷରେ

0

ହାଇଦରାବାଦ : ଆଇପିଏଲ୍‌-୧୧ରେ ସନ୍‌ରାଇଜର୍ସ ହାଇଦରାବାଦ ତା’ର ଚମତ୍କାର ପ୍ରଦର୍ଶନ ଜାରିରଖିଛି। ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍‌ସକୁ ୭ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି। ପୃଥ୍ୱୀ ସ’ଙ୍କ ଅର୍ଦ୍ଧଶତକ ଓ ଶ୍ରେୟାସ ଆୟରଙ୍କ ୪୪ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୫ ୱିକେଟରେ ୧୬୩ ରନ୍‌ କରିଥିଲା। ପରେ ୭୬ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଗୋଟିଏ ବଲ୍‌ ବାକିଥାଇ ୩ ୱିକେଟ ହରାଇ ସନ୍‌ରାଇଜର୍ସ ଜିତିଥିଲା। ୯ମ ମ୍ୟାଚ୍‌ରେ ୭ମ ବିଜୟ ପରେ ୧୪ ପଏଣ୍ଟ ସହ ସନ୍‌ରାଇଜର୍ସ ପୁଣି ଶୀର୍ଷରେ ପହଞ୍ଚିଛି। ୧୦ମ ମ୍ୟାଚ୍‌ରେ ୭ମ ପରାଜୟ ପରେ ଦିଲ୍ଲୀ ଚିନ୍ତାରେ ପଡ଼ିଯାଇଛି।
ସନ୍‌ରାଇଜର୍ସ ହାଇଦରାବାଦ ଦୃଢ଼ତାର ସହ ୧୬୪ ରନ୍‌ର ପିଛା ଆରମ୍ଭ କରିଥିଲା। ଏହାର ଓପ୍‌ନିଂ ଯୋଡ଼ି ୯ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୭୬ ରନ୍‌ର ଭାଗିଦାରୀ କରି ଦୃଢ଼ ମୂଳଦୁଆ ପକାଇଥିଲେ। ବିଶେଷକରି ଇଂଲଣ୍ଡର ଓପ୍‌ନର ଆଲେକ୍ସ ହେଲ୍‌ସ ଆକ୍ରମଣାତ୍ମକ ବ୍ୟାଟିଂକରି ୩୧ ବଲ୍‌ରୁ ୩ଟି ଛକା ଓ ଚୌକା ସହ ୪୫ ରନ୍‌ କରିଥିଲେ। କ୍ରମାଗତ ୨ ଓଭରରେ ସନ୍‌ରାଇଜର୍ସର ଦୁଇ ଓପ୍‌ନରଙ୍କୁ ଆଉଟ କରିଥିଲେ ଅମିତ ମିଶ୍ର। ବାମହାତି ଓପ୍‌ନର ଶିଖର ଧାୱନ ୩୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍‌ କରିଥିଲେ। ୱିଲିୟମ୍‌ସନ ଓ ମନୀଷ ପାଣ୍ଡେ ୬ ଓଭରରୁ ୪୬ ରନ୍‌ ଯୋଡ଼ିଥିଲେ। ପାଣ୍ଡେ ୧୭ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ୟୁସୁଫ୍‌ ପଠାନ୍‌ ଦ୍ରୁତଗତିରେ ସ୍କୋର୍‌କରି ସନ୍‌ରାଇଜର୍ସକୁ ଜିତାଇଥିଲେ। ୟୁସୁଫ୍‌ ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ଏବଂ ୱିଲିୟମ୍‌ସନ ୩୦ ବଲ୍‌ରୁ ଗୋଟିଏ ଛକା ସହ ୩୨ ରନ୍‌କରି ଅପରାଜିତ ଥିଲେ।
ଟସ୍‌ ଜିତି ବ୍ୟାଟିଂ ନେବା ପରେ ଦିଲ୍ଲୀ ଡେୟାରଡେଭିଲ୍‌ସ ୨ୟ ଓଭରରେ ପ୍ରଥମ ୱିକେଟ ହରାଇଥିଲା। ଗ୍ଲେନ୍‌ ମ୍ୟାକ୍ସୱେଲ ୨ ରନ୍‌କରି ଆଉଟ ହୋଇଥିଲେ। ପ୍ରଥମ ୧୦ ଓଭରରେ ଦିଲ୍ଲୀ ୧ ୱିକେଟରେ ୯୫ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୧୦ ଓଭରରେ ୬୮ ରନ୍‌କରି ୪ଟି ୱିକେଟ ହରାଇଥିଲା। ୨ୟ ୱିକେଟ ପାଇଁ ଓପ୍‌ନର ପୃଥ୍ୱୀ ସ’ ଓ ଅଧିନାୟକ ଶ୍ରେୟାସ ଆୟରଙ୍କ ମଧ୍ୟରେ ଚମତ୍କାର ଭାଗିଦାରୀ ଦେଖିବାକୁ ମିଳିଥିଲା। ବିଶେଷକରି ୧୮ ବର୍ଷ ବୟସ୍କ ପୃଥ୍ୱୀ ସନ୍‌ରାଇଜର୍ସର ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ। ୨ୟ ୱିକେଟ ପାଇଁ ପୃଥ୍ୱୀ-ଶ୍ରେୟାସ ୪୯ ବଲ୍‌ରୁ ୮୬ ରନ୍‌ ଯୋଡ଼ିଥିଲେ। ପୃଥ୍ୱୀ ପୁଣି ଏକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୩୬ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୬୫ ରନ୍‌ କରିଥିଲେ। ଫର୍ମରେ ଥିବା ଆୟର ୩୬ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୪ ରନ୍‌କରି ଆଉଟ ହୋଇଥିଲେ। ଗତ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂକରି ଦିଲ୍ଲୀକୁ ବିଜୟୀ କରିଥିବା ଋଷଭ ପନ୍ତ୍‌ଙ୍କ ବ୍ୟାଟ୍‌ କିନ୍ତୁ ଏହି ମ୍ୟାଚ୍‌ରେ ଚାଲିନଥିଲା। ଏହି ବାମହାତି ୧୯ଟି ବଲ୍‌ ଖେଳିଥିଲେ ହେଁ ମାତ୍ର ଗୋଟିଏ ଚୌକା ମାରି ପାରିଥିଲେ। ୭ ଓଭର କ୍ରିଜ୍‌ରେ ରହି ପନ୍ତ୍‌ ୧୯ ବଲ୍‌ରୁ ୧୮ ରନ୍‌ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ଖେଳି ନମନ ଓଝା ୧ ରନ୍‌ କରି ପାରିଥିଲେ। ବିଜୟ ଶଙ୍କର ଶେଷଆଡ଼କୁ ପ୍ରହାରକରି ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌ କରିଥିଲେ। ଲେଗ୍‌ସ୍ପିନର ରସିଦ୍‌ ଖାଁ ୨ଟି ୱିକେଟ ପାଇଥିଲେ।

Leave A Reply