ମୁମ୍ବଇ : ୱାଙ୍ଖଡେ ଷ୍ଟାଡ଼ିୟମରେ ଶନିବାର ଚଳିତ ଆଇପିଏଲର ୩୧ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ – ପଞ୍ଜାବ କିଙ୍ଗ୍ସକୁ ଭେଟିବ। ମୁମ୍ବଇ କ୍ରମାଗତ ୪ର୍ଥ ବିଜୟ ଲକ୍ଷ୍ୟ ରଖିଥିବାବେଳେ ପଞ୍ଜାବ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ। ପଞ୍ଜାବ ସପ୍ତମ ଓ ମୁମ୍ବଇ ୬ଷ୍ଠ ମ୍ୟାଚ ଖେଳିବ।
ମୁମ୍ବଇ ଇଣ୍ଡିଆନ୍ସ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇଛି। ବ୍ୟାଟିଂରେ ତିଲକ ବର୍ମା, ରୋହିତ ଶର୍ମା, ଇଶାନ କିଷନ, କାମେରୁନ ଗ୍ରୀନ, ଟିମ୍ ଡେଭିଡ୍ ଓ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି। ଗ୍ରୀନ, ସୂର୍ଯ୍ୟକୁମାର ଶେଷ ମ୍ୟାଚରେ ରନ କରିବା ଦଳର ବ୍ୟାଟିଂ ଶକ୍ତିକୁ ବୃଦ୍ଧି କରିଛି। ଅର୍ଜୁନ ତେନ୍ଦୁଲକର ଶେଷ ଦୁଇ ମ୍ୟାଚରେ ବୋଲିଂ ଓପନିଂ କରି ଭଲ କରିଥିଲେ। ଏହାଛଡ଼ା ରାହିଲି ମେରିଡିଥ୍, ପିୟୁଷ ଚାୱାଲା, ହିତ୍ରିକ ସୁକେନ, ଜେସନ ବେହେରନଡର୍ଫ ପ୍ରମୁଖ ରହିଛନ୍ତି। ଶେଷ ୩ଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ମୁମ୍ବଇକୁ ରୋକିବା ପଞ୍ଜାବ ପାଇଁ ସହଜ ମନେ କରାଯାଉନାହିଁ। ଅନ୍ୟପକ୍ଷରେ ଶିଖର ଧାୱନଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍ସ ୬ଟି ମ୍ୟାଚରୁ ୩ଟି ବିଜୟ ଓ ୩ଟି ପରାଜୟ ବରଣ କରିଛି। ଦଳ ନିୟମିତ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହେଉଛି। ଅଧିନାୟକ ଶିଖର ଧାୱନଙ୍କୁ ବାଦ୍ ଦେଲେ ବ୍ୟାଟିଂରେ ଅନ୍ୟ କେହି ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରୁନାହାନ୍ତି। ଧାୱନ ୪ଟି ମ୍ୟାଚରୁ ୨୩୩ରନ କରିଥିବା ବେଳେ ଶେଷ ଦୁଇ ମ୍ୟାଚରେ ଆହତ ପାଇଁ ଖେଳିନଥିଲେ। ମୁମ୍ବଇ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ଲିଭିଙ୍ଗଷ୍ଟୋନ ଆରସିବି ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ ଖେଳିଥିଲେ ମଧ୍ୟ ମାତ୍ର ଦୁଇ ରନ କରି ଆଉଟ୍ ହୋଇଥିଲେ। ବ୍ୟାଟିଂରେ ଦଳକୁ ମିଳିତ ଭାବେ ପ୍ରଦର୍ଶନ କରିବାକୁ ପଡିବ। ବୋଲିଂରେ ସାମ୍ କରନ,ଅର୍ଶଦୀପ୍ ସିଂହ,ନାଥନ ଏଲିସ, ହରପ୍ରିତ ବ୍ରାର,ରାହୁଲ ଚହର ରହିଛନ୍ତି। ଦଳକୁ ଜିତିବାକୁ ହେେଲ ବୋଲିଂ ଅପେକ୍ଷା ବ୍ୟାଟିଂ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ।
ଆଇପିଏଲ କ୍ରିକେଟ : ପଞ୍ଜାବ ବନାମ ମୁମ୍ବଇ
Popular Categories



