କିଏ ପିନ୍ଧିବ ଆଇପିଏଲ ୨୦୨୦ ବିଜୟ ମୁକୁଟ? ପ୍ରଥମ ଥର ଫାଇନାଲକୁ ଯାଇଥିବା ଦିଲ୍ଲୀ ନା ପଞ୍ଚମ ଥର ପାଇଁ ଚମ୍ପିଆନ ହେବ ମୁମ୍ବଇ

ଦୁବାଇ : କରୋନା ମହାମାରୀ ଯୋଗୁ ଦୁବାଇ, ୟୁଏଇରେ ଆୟାଜନ କରାଯାଇଥିବା ଆଇପିଏଲ-୧୩ ତମ ସଂସ୍କରଣ ୫୨ ଦିନର ମ୍ୟାଚ ସମାପ୍ତ ହୋଇଛି। କରୋନା ପାଇଁ ଚଳିତ ବର୍ଷ ଆଇପିଏଲ ଆୟୋଜନ ଏକ ଆହ୍ବାନରେ ପରିଣତ ହୋଇଥିଲେ ମଧ୍ୟ ବିସିସିଆଇ ସମସ୍ତ ବାଧାବିଘ୍ନ ସତ୍ତେ ଏହାକୁ ସଫଳ କରିଛି। ତେବେ ୨୦୨୦ ଆଇପିଏଲ ଆୟୋଜନ ସଫଳତାର ଶେଷ ସ୍ପର୍ଶ ଅର୍ଥାତ ଫାଇନାଲ ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବ । ନଭେମ୍ବର ୧୦ ବୁଧବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଖେଳାଯିବ। ଏହାରି ମଧ୍ୟରେ ଆଇପିଏଲ ୨୦୨୦ର ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। କାରଣ ପ୍ରଥମ ଥର ଆଇପିଏଲ ଫାଇନାଲକୁ ଯାଇଥିବା ଦିଲ୍ଲୀ କ୍ୟାପିଟାଲ ୪ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସକୁ ଭେଟିବ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟାଇଟଲ ଉପରେ ନଜର ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାଲର ଯୁବ କ୍ୟାପଟେନ୍‌  ଶ୍ରେୟସ ଆୟର ବିଜୟ ସହ ଇତିହାସ ରଚିବା ଅପେକ୍ଷାରେ ରହିଛନ୍ତି। ମୁମ୍ବଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ୧୫ ଟି ମ୍ୟାଚ ମଧ୍ୟରୁ ୧୦ ଟି ଜିତିଥିବା ବେଳେ ଦିଲ୍ଲୀ ୧୬ ଟି ମ୍ୟାଚ ମଧ୍ୟରୁ ୯ ଟି ଜିତିଛି। ମୁମ୍ବଇ ଖେଳାଳିମାନେ ଆରମ୍ଭରୁ ଟୁର୍ନାମେଣ୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମୁମ୍ବଇର ବ୍ୟାଟ୍ସମ୍ୟାନ୍ ଚଳିତ ଆଇପିଏଲ୍‌ରେ ୧୩୦ ଛକା ମାରିଥିବା ବେଳେ ଦିଲ୍ଲୀ ୮୪ ଛକା ମାରିଛି।

ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଭାବେ ୪ ଥର ଚମ୍ପିଆନ ହୋଇଥିବା ମୁମ୍ବଇ ଇଣ୍ଡିଆନ୍ସ ପଞ୍ଚମ ଟାଇଟଲ ହାସଲ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବାକୁ ଥିବା ବେଳେ ଦଳ ଓପନର କ୍ବିଣ୍ଟନ ଡି କକ୍‌ଙ୍କ ପଦର୍ଶନ ଉପରେ ନଜର ରଖିଛି। ଅନ୍ୟପକ୍ଷରେ, ରୋହିତ ତାଙ୍କ ହାମଷ୍ଟ୍ରିଂ ଆଘାତ ସମସ୍ୟାରୁ ମୁକୁଳିବା ପରେ ଭଲ ଅଧିନାୟକତ୍ୱ ପ୍ରଦର୍ଶନ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ମନୋନୀତ ନହେବା ଦୁଃଖକୁ ଭୁଲି ସୂର୍ଯ୍ୟକୁମାର ଯାଦବ ଯେପରି ବ୍ୟାଟିଂ କରିଚାଲିଛନ୍ତି, ତାହା ଏକ ଉଦାହରଣ ପାଲଟିଛି। ଅଦ୍ୟାବଧି ସେ ୬୦ ଟି ଚୌକା ଓ ୧୦ ଛକା ସହ ୪୬୧ ରନ୍‌ ସଂଗ୍ରହ କରିସାରିଛନ୍ତି। ସୂର୍ଯ୍ୟକୁମାର ଗତକାଲି ଫାଇନାଲରେ ପୁନର୍ବାର ଉନ୍ନତ ବ୍ୟାଟିଂ ସହିତ ଚୟନ କମିଟିକୁ ଉତ୍ତର ଦେବାକୁ ଚାହାଁନ୍ତି। ଇଶାନ କିଶାନ ମଧ୍ୟ ୨୯ ଛକା ସହ ୪୮୩ ରନ୍‌ କରିଛନ୍ତି । ଯଦି ଦିଲ୍ଲୀ ସଫଳ ବୋଲର କାଗିସୋ ରାବାଡା (୨୯ ୱିକେଟ୍) ଏବଂ ଏନରିଚ୍ ନୋରଜେ (୨୦ ୱିକେଟ୍) ଯଦି ମୁମ୍ବଇର ସଫଳ ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ସଫଳ ନହୁଅନ୍ତି ତେବେ ଦିଲ୍ଲୀର ବିଜୟ କଷ୍ଟକର ହୋଇଯିବ। ଆହୁରି ମଧ୍ୟ ମୁମ୍ବଇର ପାଣ୍ଡ୍ୟା ବଦର୍ସ ଦମ୍‌ଦାର ଫର୍ମରେ ଅଛନ୍ତି ।

ଆଇପିଏଲର ପୂର୍ବ ୧୨ ଟି ସିଜିନ୍‌ରେ ପଛୁଆ ଥିବା ଦିଲ୍ଲୀ ଚଳିତ ବର୍ଷ ଭଲ ସ୍ଥିତିରେ ରହିବା ସହ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି। ପ୍ରଥମ ଥର ଫାଇନାଲକୁ ଯାଇଥିବା ଦିଲ୍ଲୀ ୨୦୨୦ ଆଇପିଏଲ ବିଜୟ ମୁକୁଟ ପିନ୍ଧି ଇତିହାସ ରଚିବା ଅପେକ୍ଷାରେ ରହିଥିବା ବେଳେ ଦଳର ଯୁବ ବ୍ୟାଟ୍ସମ୍ୟାନଙ୍କ ପଦର୍ଶନ ଉପରେ ଦଳ ନିର୍ଭର କରୁଛି। ଦିଲ୍ଲୀର ଓପନର ଶିଖର ଧାୱନ ଭଲ ଫର୍ମରେ ରହିବା ସହ ୬୦୦ ରନ୍‌ ସଂଗ୍ରହ କରିସାରିଥିଲେ ମଧ୍ୟ ମୁମ୍ବଇର ୟର୍କର ବୟ ଜସପ୍ରୀତ ବୁମ୍ରା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ସଠିକ ୟର୍କର ଅଡୁଆରେ ପକାଇପାରେ।  ଚଳିତ ସିଜନରେ ତିନିଟି ମ୍ୟାଚ୍‌ରେ ମୁମ୍ବାଇ ଦିଲ୍ଲୀ ଉପରେ ଏକପାଖିଆ ବିଜୟ ହାସଲ କରିଛି, କିନ୍ତୁ ଯଦି ଦିଲ୍ଲୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତେ ତେବେ ତିନୋଟି ପରାଜୟର ପ୍ରତିଶୋଧ ନେଇପାରିବ।

ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ ସଠିକ୍ ଦଳ ମିଶ୍ରଣ ପାଇଥିବା ଜଣାପଡିଛି। ମାର୍କସ ଷ୍ଟୋଇନିସଙ୍କ ସହ ଇନିଂସ ଆରମ୍ଭ କରିବାର ନିଷ୍ପତ୍ତି ସଠିକ ସାବ୍ୟସ୍ତ୍ୟ ହୋଇଥିଲା। ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତଙ୍କ ହାରାହାରି ଫର୍ମକୁ ଦୃଷ୍ଟିରେ ରଖି ଶିମ୍ରନ୍ ହେଟମିୟରଙ୍କୁ ଦ୍ରୁତ ବ୍ୟାଟିଂ ଉପରେ ଦଳ ନିର୍ଭର କରୁଛି। ପାୱାର ପ୍ଲେରେ ଦଳର ବରିଷ୍ଠ ଖେଳାଳି ଆର ଅଶ୍ୱିନଙ୍କ ଏକ ବଡ ଦାୟିତ୍ଵ ନିର୍ବାହ କରିବାକୁ ପଡିବ। ଏହି ମ୍ୟାଚ୍ ସହିତ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକତ୍ୱ ପାଇଁ ଆୟରଙ୍କ ପ୍ରସ୍ତୁତି ନିଶ୍ଚିତ ହୋଇପାରିବ। ଏଥି ସହିତ ଦିଲ୍ଲୀର କୋଚ୍‌ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ରିକି ପଣ୍ଟିଂ ତାଙ୍କର ପ୍ରତିଷ୍ଠାକୁ ସୁଦୃଢ କରିବା ପାଇଁ ଫାଇନାଲ ବିଜୟ ଆଶାରେ ରହିଛନ୍ତି।

Comments are closed.