ଭାରତ-ପାକ୍ ବିଶ୍ବକପ୍ ମ୍ୟାଚ୍ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ: କପିଳ
ପୁଣେ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ ଦଳ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ଅନୁଚିତ ବୋଲି ଦାବି ହେଉଥିବା ବେଳେ ଏ ସଂପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଯୁକ୍ତିଯୁକ୍ତ ହେବ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ କପିଳ ଦେବ।
ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କପିଳ କହିଥିଲେ ଦେଶର ସ୍ବାର୍ଥକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ସବୁ ଦୃଷ୍ଟିରୁ ଭଲ ହେବ। ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ କି ନାହିଁ ସେ ସଂପର୍କରେ ସାଧାରଣ ଜନତା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ଠିକ୍ ହେବ। କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାହାକୁ ସମସ୍ତେ ମାନିବେ। ତେଣୁ ଅଯଥାରେ ମନ୍ତବ୍ୟ ନ ଦେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ସମସ୍ତଙ୍କ ପାଇଁ ଶ୍ରେୟସ୍କର ହେବ।