୨୦୨୪ରେ ଭାରତର ପରିସ୍ଥିତି

ଭାରତର ରାଶିଚକ୍ର ଅନୁସାରେ ଭାରତର ରାଶି ପୁଷ୍ୟା ନକ୍ଷତ୍ର, କର୍କଟ ରାଶି ଓ ବୃଷ ଲଗ୍ନ ହୋଇଥିଲାବେଳେ ସମ୍ପ୍ରତି ଚନ୍ଦ୍ର ମହାଦଶାରେ ଶୁକ୍ର ଅନ୍ତର୍ଦଶା ଚାଲିଛି। ଚଳିତ ବର୍ଷ ଗ୍ରହମାନଙ୍କର ଅବସ୍ଥିତି ଓ ଗ୍ରହମାନଙ୍କ ଚଳନକୁ ବିଚାର କଲେ ଭାରତକୁ ଏହା ମଧ୍ୟମ ସଫଳତା ପ୍ରଦାନ କରିବ। ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିଲାବେଳେ ଶାସକ ଦଳ ପୁନର୍ବାର ନିର୍ବାଚନରେ ଜିତି ସରକାର ଗଠନ କରିବେ। ସରକାରଙ୍କ ନେତୃତ୍ବରେ ଦେଶ ଏକ ପରାକ୍ରମଶାଳୀ ଓ ପ୍ରଭାବଶାଳୀ ରାଷ୍ଟ୍ରଭାବରେ ଖ୍ୟାତି ଅର୍ଜନ କରିବ। ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ପାଇଁ ସରକାର ଚେଷ୍ଟିତ ହେବେ। ମାତ୍ର ପରସ୍ପର ମଧ୍ୟରେ ଥିବା ବିରୋଧ ମନୋଭାବ ହେତୁ ତିକ୍ତତା ସୃଷ୍ଟି ହୋଇପାରେ। ବିଶେଷ କରି ପାକିସ୍ତାନ ଓ ଚୀନ ପଟରୁ ବିପଦର ସମ୍ଭାବନା ଥିଲାବେଳେ ସରକାର ଦୃଢ଼ତାର ସହିତ ଏହାର ପ୍ରତିରୋଧ କରିବାରେ ସକ୍ଷମ ହେବେ। ଯୁଦ୍ଧ ବିଭୀଷିକା ସୃଷ୍ଟି ହେବାର ଆଶଙ୍କା ଥିବା କାରଣରୁ ସରକାର ମଧ୍ୟ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରିବେ। ପରମ୍ପରା, ସଂସ୍କୃତି, ସାହିତ୍ୟ, କ୍ରୀଡ଼ା, ଗବେଷଣା, ଶିକ୍ଷା ଓ କୂଟନୀତି ପାଇଁ ବିଶ୍ବସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି ହେବ। ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ଯୁଦ୍ଧାସ୍ତ୍ର, ଯୁଦ୍ଧବିମାନ କ୍ରୟ, ନିର୍ମାଣ ଓ ଉପଗ୍ରହ ନିର୍ମାଣ ଓ ପ୍ରେରଣ, ଚିକିତ୍ସା ବିଜ୍ଞାନ ତଥା ଅନ୍ୟାନ୍ୟ ବହୁ ଯୋଜନାମାନ ପ୍ରଣୟନ କରି ଦେଶର ପ୍ରଗତି ପାଇଁ ସରକାର ଚେଷ୍ଟିତ ହେବେ। କ୍ଷେପଣାସ୍ତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତର ପ୍ରଭୂତ ଉନ୍ନତି ସାଧିତ ହେବ। ମାତ୍ର ବିରୋଧୀଙ୍କ ଚାପ, ସହଯାଗୀଦଳମାନଙ୍କ ମଧ୍ୟରେ ମତାନ୍ତର, ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ହେବ। ବହୁ ମୁଖ୍ୟ ଶିଳ୍ପ ପ୍ରତିଷ୍ଠା ସହ ସଡ଼କ ନିର୍ମାଣ ଓ ନିରାପତ୍ତା, ଜଳସେଚନ ସୁବିଧା ଓ ବିଦ୍ୟୁତ ଉତ୍ପାଦନ, କୃଷିର ଉନ୍ନତି, ପରିବହନ କ୍ଷେତ୍ରରେ ଉନ୍ନତି ତଥା ସ୍ବାବଲମ୍ବୀ ହେବା ଲାଗି ଭାରତ ସରକାର ଚେଷ୍ଟିତ ହେବେ। ଡଲାର ତୁଳନାରେ ଟଙ୍କାର ମୂଲ୍ୟବୃଦ୍ଧି, ଡାଲି ଓ ଖାଇବା ତେଲର ମୂଲ୍ୟବୃଦ୍ଧି, ପେଟ୍ରୋଲଜାତ ସାମଗ୍ରୀର ମୂଲ୍ୟବୃଦ୍ଧି, ଚାଷୀ ସମସ୍ୟା ଓ ଆନ୍ଦୋଳନ, ଆଞ୍ଚଳିକ ସମସ୍ୟା, ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ୮ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିଲାବେଳେ ଏହାର ପ୍ରଭାବ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିବ।

ଗ୍ରହମାନଙ୍କର ଗୋଚର ଫଳ ଅନୁସାରେ ଜାନୁଆରୀରୁ ଏପ୍ରିଲ ମାସ, ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଦେଶ ବିଭିନ୍ନ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖୀନ ହେବ। ମାର୍ଚ୍ଚରୁ ମେ ମାସ ମଧ୍ୟରେ ଆର୍ଥିକ ସମସ୍ୟା, ମେ ମାସରୁ ଡିସେମ୍ବର ମାସ ମଧ୍ୟରେ ଦେଶର ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ବନ୍ୟା, ଝଡ଼ ତୋଫାନ, ଲଘୁଚାପଜନିତ ବର୍ଷା, ତୁଷାରପାତ ତଥା ପ୍ରଚଣ୍ଡ ଗ୍ରୀଷ୍ମତାପ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ବିମାନ ଦୁର୍ଘଟଣା, ରେଳ ଦୁର୍ଘଟଣା, ସଡ଼କ ଓ ନୌକା ଦୁର୍ଘଟଣା, ବିଜୁଳି ଆଘାତରେ ବହୁ ଧନଜୀବନ ନଷ୍ଟ ହେବ। ଏ ସବୁ ସତ୍ତ୍ବେ ଶିକ୍ଷା, ଗବେଷଣା, ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା, ସାହିତ୍ୟ, ସଂସ୍କୃତି, ବିଜ୍ଞାନ, କଳା, ଶିଳ୍ପ, ବିଦ୍ୟୁତ ଉତ୍ପାଦନ, ଜଳସେଚନ, ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ସଂଘଟିତ ହେବ। ଚଳିତ ବର୍ଷ ୮ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ସରକାରୀ ଦଳ ସଫଳତା ଲାଭ କରିପାରେ। ଚଳଚ୍ଚିତ୍ର, କ୍ରୀଡ଼ା, ରାଜନୀତି, କଳା, ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କର ଅକାଳ ବିୟୋଗ ଦେଶବାସୀଙ୍କୁ ମର୍ମାହତ କରିବ।

Comments are closed.