ଭାରତ ଷଷ୍ଠ ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ର
ପ୍ୟାରିସ୍: ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ର ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ପୂର୍ବ ବର୍ଷ ଫ୍ରାନ୍ସ ଷଷ୍ଠ ସ୍ଥାନରେ ରହିଥିଲା। ଚଳିତ ବର୍ଷ ଫ୍ରାନ୍ସକୁ ସପ୍ତମ ସ୍ଥାନକୁ ଠେଲି ଦେଇ ଭାରତ ଷଷ୍ଠ ସ୍ଥାନ ଦଖଲ କରିଛି। ୨୦୧୭ର ଆର୍ଥିକ ଅଭିବୃଦ୍ଧି ଓ କାରବାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ୍ ଦ୍ୱିତୀୟ ସ୍ଥାନରେ, ଜାପାନ୍ ତୃତୀୟ, ଜର୍ମାନୀ ଚତୁର୍ଥ ଓ ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଛନ୍ତି।
୨୦୧୭ରେ ଭାରତର ମୋଟ ଘରୋଇ ଉତ୍ପାଦନ(ଜିଡିପି) ପରିମାଣ ୨.୫୯୭ ଟ୍ରିଲିୟନ ଡଲାର ଥିବା ବେଳେ ଫ୍ରାନ୍ସର ଡିଜିପି ଥିଲା ୨.୫୮୨ ଟ୍ରିଲିୟନ ଡଲାର। ଭାରତର ଜିଡିପି ଦୀର୍ଘ ଦିନ ଧରି ମନ୍ଥର ରହିବା ପରେ ଗତ ବର୍ଷ ଜୁଲାଇ ପରେ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା। ଭାରତର ଜନସଂଖ୍ୟା ୧୩୪ କୋଟି ଥିବା ବେଳେ ଫ୍ରାନ୍ସର ଜନସଂଖ୍ୟା ମାତ୍ର ୬୭ ନିୟୁତ। ତେଣୁ ମୁଣ୍ଡପିଛା ଆୟ ତୁଳନାରେ ଭାରତର ସ୍ଥାନ ଫ୍ରାନ୍ସଠାରୁ ଯଥେଷ୍ଟ ତଳେ ରହିଛି। ତଥାପି ସାମଗ୍ରିକ ଅଭିବୃଦ୍ଧି ଦୃଷ୍ଟିରୁ ଭାରତର ପ୍ରଦର୍ଶନ ଉଲ୍ଲେଖନୀୟ। ଜିଏସ୍ଟି ଓ ବିମୁଦ୍ରାକରଣ ପରେ ଭାରତର ଏହି ଅଭିବୃଦ୍ଧି ହାର ଉତ୍ସାହଜନକ ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି। ବିଶେଷକରି ନିର୍ମାଣ କ୍ଷେତ୍ର ସହିତ ତାଳ ଦେଇ ଉପଭୋକ୍ତାଙ୍କ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆସିପାରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆକଳନ ଅନୁଯାୟୀ ଚଳିତ ବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪% ଓ ଆଗାମୀ ବର୍ଷ ୭.୮ % ରହିବ। ଅପରପକ୍ଷରେ ଏହି ସମୟରେ ବିଶ୍ୱର ସାମଗ୍ରିକ ଅଭିବୃଦ୍ଧି ହାର ରହିବ ୩.୯%। ୨୦୩୨ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ରାଷ୍ଟ୍ରର ମାନ୍ୟତା ପାଇବ ବୋଲି ଲଣ୍ଡନସ୍ଥିତ ସେଣ୍ଟର ଫର ଇକନୋମିକ୍ ଆଣ୍ଡ ବିଜିନେସ୍ ରିସର୍ଚ୍ଚ ପୂର୍ବାନୁମାନ କରିଛି।