ଆମଦାନୀ ଶୁଳ୍କ ଯୁଦ୍ଧ: ଭାରତକୁ ଦାୟୀ କଲେ ଟ୍ରମ୍ପ

0

ୱାଶିଂଟନ୍‍: ଆମେରିକା ଓ ଭାରତ ମଧ୍ୟ ଚାଲିଥିବା ବାଣିଜ୍ୟ ଯୁଦ୍ଧ ପ୍ରସଙ୍ଗରେ ଭାରତକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାରୁ ଆମଦାନୀ କରୁଥିବା ବିଭିନ୍ନ ସାମଗ୍ରୀ ଉପରେ ଭାରତ ୧୦୦% ଶୁଳ୍କ ଧାର୍ଯ୍ୟ କରିଥିବାରୁ ବାଧ୍ୟ ହୋଇ ଆମେରିକା ମଧ୍ୟ ଆମଦାନୀ ଶୁଳ୍କ ବୃଦ୍ଧି କରିଛି ବୋଲି ଟ୍ରମ୍ପ କହିଛନ୍ତି। ଆସନ୍ତା ସପ୍ତାହରେ ଭାରତ-ଆମେରିକାର ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଯୋଗୁଁ କୂଟନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଆମେରିକାର ଆମଦାନୀ ଶୁଳ୍କ ବୃଦ୍ଧି ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟ ପ୍ରଭାବିତ ହୋଇଥିବା ଆରୋପକୁ ଖଣ୍ଡନ କରି ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ସଂଘ, ଚୀନ୍‍, ଭାରତ ସମେତ ଅନେକ ରାଷ୍ଟ୍ର ସହିତ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଆମେରିକାର ସବୁବେଳେ ଉଦ୍ୟମ କରି ଆସିଛି। କିନ୍ତୁ ଭାରତ ପରି କେତେକ ଦେଶ ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ କରିବା ଦ୍ୱାରା ବାଣିଜ୍ୟିକ କାରବାରରେ ଅସନ୍ତୁଳନ ସୃଷ୍ଟି ହୋଇଛି। ଜି ୭ ବୈଠକରେ ଦେଇଥିବା ମତକୁ ଦୋହରାଇ ଟ୍ରମ୍ପ କହିଛନ୍ତି ଯେ ସବୁ ଶୁଳ୍କ ଓ ବାଣିଜ୍ୟିକ ପ୍ରତିବନ୍ଧକ ହଟାଇ ମୁକ୍ତ ବାଣିଜ୍ୟ ଉପରେ ଆମେରିକା ଗୁରୁତ୍ୱ ଦେଉଛି। କିନ୍ତୁ ଅନ୍ୟ ଦେଶ ଏଥିରେ ରାଜି ହେଉନାହାନ୍ତି। ଯେତେବେଳେ ବିଶ୍ୱ ବାଣିଜ୍ୟରେ ଶୁଳ୍କ ଉଚ୍ଛେଦ ପାଇଁ କେହି ବି ରାଜି ହେଉନାହାନ୍ତି ସେତେବେଳେ ଆମେରିକା ନିଜସ୍ୱ ଶୁଳ୍କ ନୀତି ପାଇଁ ବାଧ୍ୟ ହୋଇଛି। ସମସ୍ତେ ଆମେରିକାକୁ ଏକ ବ୍ୟାଙ୍କ ଭଳି ବ୍ୟବହାର କରୁଛନ୍ତି। କିନ୍ତୁ ଆମେରିକାରୁ ରପ୍ତାନୀ ସାମଗ୍ରୀ ଉପରେ ଶୁଳ୍ପ ବୃଦ୍ଧି କରୁଛନ୍ତି। ଗତ ବର୍ଷ ଆମେରିକା ଚୀନ୍‍ର କଟକଣା ଯୋଗୁଁ ୫୦୦ ବିଲିୟନ ଡଲାର ଓ ୟୁରୋପୀୟ ସଂଘର କଟକଣା ଯୋଗୁଁ ୧୫୦ ବିଲିୟନ ଡଲାର କ୍ଷତି ସହିଥିଲା।
ଆସନ୍ତା ସପ୍ତାହରେ ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ଆମେରିକାରେ ସେମାନଙ୍କ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply