ସାଂସଦ, ବିଧାୟକ ଆସିବା ମାତ୍ରେ ସରକାରୀ କର୍ମଚାରୀ ଛିଡ଼ା ହୋଇ ସମ୍ମାନ ଦିଅ : ହରିୟାଣା ସରକାର

0

ନୂଆଦିଲ୍ଲୀ : ସାଂସଦ ଏବଂ ବିଧାୟକମାନେ ଆସିବା ମାତ୍ରେ ନିଜ ଆସନରୁ ଉଠି ଛିଡା ହେବା ତଥା ସମ୍ପୃକ୍ତ ଜନପ୍ରତିନିଧିମାନଙ୍କୁ ଶିଷ୍ଟାଚାର ସହିତ ଉତ୍ତର ଦେବାକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ହରିୟାଣା ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିଲ୍ଲୀ ସରକାର ଏବଂ ଆଇଏଏସ୍‍ ଅଧିକାରୀମାନଙ୍କ ମଧ୍ୟରେ ସୃଷ୍ଟ ବିବାଦକୁ ନେଇ ଆଲୋଚନା ଜୋର ଧରିଥିବା ବେଳେ ଏହି ବିଜ୍ଞପ୍ତି ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣା ମୁଖ୍ୟ ଶାସନ ସଚିବ ଦୀପେନ୍ଦ୍ର ସିଂହ ଧେସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମେ’ ୨୮ରେ ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ ଅନୁସଚିବ (ରାଜନୈତିକ) ଦେବିନ୍ଦର କପିଲଙ୍କ ସ୍ୱାକ୍ଷର ରହିଛି। ଏହି ବିଜ୍ଞପ୍ତିକୁ ନେଇ ହରିୟାଣା ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ କଡ଼ା ନିନ୍ଦା କରାଯାଉଥିବା ବେଳେ ହରିୟାଣା ଓ ଦିଲ୍ଲୀରେ ଅମଲାତନ୍ତ୍ର ଯେଭଳି କାର୍ଯ୍ୟ କରୁଛି ତାହାର ଜାବବ୍‍ରେ ବିଜେପି ଭିନ୍ନ ପନ୍ଥା ଅବଲମ୍ବନ କରିଥିବା କୁହାଯାଇଛି। ଏହି ନୂତନ ବିବାଦର ମଞ୍ଜି ବାସ୍ତବରେ କେନ୍ଦ୍ର ସରକାର ବୁଣିଛନ୍ତି। କେନ୍ଦ୍ର କାର୍ମିକ, ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଫେବୃଆରୀ ୭ରେ ଜାରି କରାଯାଇଥିବା ଏକ ସ୍ମାରକପତ୍ରକୁ ରାଜ୍ୟ ସରକାର କେବଳ ସରକାରୀ କର୍ମଚାରୀଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ କରିଛନ୍ତି। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ଅନ୍ୟ ଅଧିକାରୀଙ୍କୁ ସମ୍ବୋଧିତ କରି ଉକ୍ତ ସ୍ମାରକପତ୍ର ଲେଖାଯାଇଛି। ସମସ୍ତ ସରକାରୀ ଅଧିକାରୀମାନଙ୍କୁ କେନ୍ଦ୍ରର ଏହି ନିର୍ଦେଶ ବିଷୟରେ ଅବଗତ କରାଇବା ସହ ଏହା କେତେଦୂର ପାଳନ କରାଯାଇଛି ତାହାର ତଦାରଖ କରିବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସେଥିରେ ନିବେଦନ କରାଯାଇଛି।
ଲୋକସଭାର କିଛି ନିର୍ବାଚିତ ସଦସ୍ୟମାନଙ୍କୁ ସରକାରୀ ଅଧିକାରୀମାନେ ଅବମାନନା କରୁଥିବା ବେଳେ ସେମାନଙ୍କ ପ୍ରତି ଉଚିତ୍‍ ବ୍ୟବହାର ପ୍ରଦର୍ଶନ ଲାଗି ଉଦ୍ଦିଷ୍ଟ ପ୍ରୋଟୋକଲ୍‍ ଭଙ୍ଗ କରୁଥିବା ଅଭିଯୋଗ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ହରିୟାଣା ସରକାରଙ୍କ ପକ୍ଷରୁ ସାନି ଜାରି କରାଯାଇଥିବା ବିଜ୍ଞପ୍ତି ସହିତ ଅଧିକାରୀମାନଙ୍କ ଅବଗତି ନିମନ୍ତେ ଏ ସମ୍ବନ୍ଧୀୟ ନିୟମାବଳୀର ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ଏଥି ଅନୁସାରେ, ସରକାରୀ ଅଧିକାରୀମାନେ ଶିଷ୍ଟତାର ସହ ଜନପ୍ରତିନିଧିମାନଙ୍କୁ କୌଣସି ସ୍ଥାନକୁ ସ୍ୱାଗତ କରିବେ ତଥା ବିଦାୟ ଦେବେ। ସେହିଭଳି କେନ୍ଦ୍ର, ରାଜ୍ୟ ତଥା ପ୍ରଶାସନିକ କାର୍ଯ୍ୟାଳୟ ଗସ୍ତରେ ଆସୁଥିବା ଅଧିକାରୀମାନଙ୍କ ସ୍ୱାଗତ ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ପୂର୍ବରୁ ସାକ୍ଷାତକରି ଅନୁମତି ନେବାକୁ ହେବ। ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ଅଧିକାରୀ କୌଣସି ଅସୁବିଧାଜନକ ପରିସ୍ଥିତିକୁ ଏଡାଇବା ନିମନ୍ତେ ତୁରନ୍ତ ଶିଷ୍ଟତାର ସହ ସାଂସଦ ତଥା ବିଧାୟକଙ୍କୁ ସବିଶେଷ ବିବରଣୀ ଦେବେ। ଏହାବାଦ୍‍ ସାନି ସାକ୍ଷାତ ତାଙ୍କୁ ଅନୁମତି ନେବାକୁ ହେବ। ସାଂସଦ ଏବଂ ବିଧାୟକମାନଙ୍କ ପ୍ରତି ଉଚିତ୍‍ ସମ୍ମାନ ପ୍ରଦର୍ଶନ ନେଇ ଏହି ଦିଗନିର୍ଦେଶାବଳୀ ଦୀର୍ଘ ଦିନ ହେବ ଲାଗୁ କରାଯାଇଛି। କୌଣସି ବିବାଦ ଉପୁଜିଲେ ଅଥବା ବ୍ୟତିକ୍ରମ ପରିଲକ୍ଷିତ ହେଲେ କେନ୍ଦ୍ର ତଥା ରାଜ୍ୟ ସରକାର ଅମଲାତନ୍ତ୍ରକୁ ଏ ବିଷୟରେ ପୁନଃ ସ୍ମରଣ କରାଇଦେବା ଲାଗି ଏଭଳି ଦିଗନିର୍ଦେଶାବଳୀ ଜାରି କରିଥାଆନ୍ତି।

Leave A Reply