ଲୋମଶକନ୍ୟା ରେବତୀ କଥା ମନେପକାଇଲେ ଜିଲାପାଳ; ୨୦ହଜାର ଟଙ୍କା ସହ ଶାଢି ଓ ଶୁଖିଲା ଖାଦ୍ୟ ସହାୟତା

ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ଥିବା ଡାକ୍ତର କଲେ ସ୍ୱାସ୍ଥ୍ୟପରୀକ୍ଷା

ହରଭଙ୍ଗା: ପାହାଡ଼ି ଲୋମଶକନ୍ୟା ରେବତୀ କହଁରଙ୍କ ବାସ୍ତବ ଜୀବନରେ ପ୍ରତିଫଳିତ ହେଉଛି ବହୁପରିଚିତ ଗାଳ୍ପିକ ଫକୀର ମୋହନ ସେନାପତିଙ୍କ ରଚିତ ବାପା, ମାଆ ଛେଉଣ୍ଡ ରେବତୀର କାହାଣୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତର ଜଙ୍ଗଲ, ପାହାଡ଼ଘେରା ଆଦିବାସୀ ବହୁଳ ଖଳିସାହି ଗ୍ରାମର ଲୋମଶକନ୍ୟା ରେବତୀ କହଁରଙ୍କୁ ଭେଟିବା ପାଇଁ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମନ ବଳାଇଥିଲେ। କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅବସର ସମୟ ପହଞ୍ଚିଯିବାରୁ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କୁ ରେବତୀଙ୍କୁ ଭେଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ଏବଂ ଆଡେଣିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ମନୋରଞ୍ଜନ ମହାକୁଡ(ଦାନ୍ତ ବିଶେଷଜ୍ଞ) ପ୍ରମୁଖ ତାଙ୍କ ଘରେ ପହଞ୍ଚିଛନ୍ତି। ଡାକ୍ତର ରେବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବିଡିଓ ତାଙ୍କର ରହିବା, ଖାଇବା ଏବଂ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ରେଡକ୍ରସ ପାଣ୍ଠିରୁ ରେବତୀଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିବା ସହିତ ଶାଢୀ, ଚୂଡା, ଚିନି, ବିସ୍କୁଟ ପ୍ରଦାନ କରିଛନ୍ତି। ରେବତୀଙ୍କୁ ମିଳିଥିବା ଗ୍ରାମୀଣ ଆବାସ ଘର କିପରି ନିର୍ମାଣ ହୋଇପାରିବ ଏବଂ ସେ ମୁଣ୍ଡ ଗୁଞ୍ଜିବାକୁ ରାହା ପାଇବ ସେ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ରେବତୀଙ୍କ ଘର ନିର୍ମାଣ ସାମଗ୍ରୀ ପହଞ୍ଚିଥିବାବେଳେ ତୁରନ୍ତ ତାଙ୍କର ଘର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଆଜି ବିଡିଓଙ୍କ ଗସ୍ତ ସମୟରେ ତାଙ୍କ ସାଙ୍ଗରେ କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ୨୦୦୮ ମସିହାରେ ଏହି ପାହାଡ଼ି ଲୋମଶ କନ୍ୟାଙ୍କ ଚେହେରା ଗଣମାଧ୍ୟମ ଦ୍ୱାରା ପଦାକୁ ଆସିବାପରେ ସାରା ରାଜ୍ୟରେ ରେବତୀ ଖବର ଚହଳ ପକାଇ ଦେଇଥିଲା। ଗଣମାଧ୍ୟମ ପ୍ରଭାବରେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଜିଲ୍ଲାର ପଛୁଆ ଆଦିବାସୀ ଅଂଚଳ ଖଳିସାହି ଗ୍ରାମ ରେବତୀଙ୍କ ପାଇଁ ଚର୍ଚ୍ଚିତ ହୋଇପଡ଼ିଥିଲା। ତାଙ୍କୁ ସହାୟତା ଯୋଗାଇବା ପାଇଁ ସେତେବେଳେ ଗାଁରେ ପ୍ରଶାସନିକ ଅଧିକାରୀମାନଙ୍କ ଲମ୍ବାଧାଡ଼ି ଲାଗିଥିଲା। ଜିଲ୍ଲାପ୍ରଶାସନ ସହାୟତାରେ ଏହି ପହାଡ଼ି ଲୋମଶ କନ୍ୟାଙ୍କୁ ଚିକିତ୍ସା ପାଇଁ ଦୁର୍ଗମ ଖଳିସାହି ଗ୍ରାମରୁ କଟକ ବଡ଼ ମେଡିକାଲ ନିଆଯାଇଥିଲା।ସେତେବେଳେ ରେବତୀଙ୍କ ବୟସ ମାତ୍ର ୧୪ବର୍ଷ ଥିଲା। ଲୋମଶ ରେବତୀଙ୍କ ମୁହଁରେ ଅସ୍ୱାଭାବିକ ଭାବେ ବଢ଼ୁଥିବା ମାଂଶ ଏବଂ ଦେହସାରା ଲୋମର ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ଏହି ରୋଗର ବହୁ ଗବେଷଣା କରିବାକୁ ପଡ଼ିଥିଲା। ବହୁ ପରୀକ୍ଷା ନୀରିକ୍ଷା ପରେ ରେବତୀଙ୍କ ମୁହଁରେ ବଢ଼ୁଥିବା ମାଂସର ଅସ୍ତ୍ରୋପଚାର ଦୀର୍ଘ ୧୫ବର୍ଷ ତଳେ କରାଯାଇଥିଲା। ଚିକିତ୍ସା ପାଇଁ ଦୀର୍ଘ ତିନିମାସ ରେବତୀଙ୍କୁ କଟକ ମେଡିକାଲରେ ରହିବାକୁ ପଡ଼ିଥିଲା।ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ମୁହଁର ମାଂସର ସଂପୂର୍ଣ୍ଣ ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ମଧ୍ୟ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏଭଳି ଘଟଣାକୁ ନେଇ ଚର୍ଚ୍ଚାର ପରିସରରେ ରହିଆସିଥିବା ଏହି ଲୋମଶ କନ୍ୟାଙ୍କୁ ଚିକିତ୍ସା ପରେ ଘରକୁ ପଠାଯାଇଥିଲା। ସେତେବେଳେ ସରକାରଙ୍କ ତରଫରୁ ରେବତୀଙ୍କ ପାଠପଢ଼ା ବ୍ୟବସ୍ଥା ସହିତ ଚାଉଳ କାର୍ଡ ଯୋଗାଇ ଦିଆଯାଇଥିଲେ। ଏଥିସହ ପରିବାରକୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା, ହେଲେ ପରବର୍ତୀ ସମୟରେ ପଂଚାୟତ ତରଫରୁ ମିଳୁଥିବା ଚାଉଳ କିଛିଦନ ପରେ ସଂପୂର୍ଣ୍ଣ ବନ୍ଦ କରାଯିବା ସହିତ ତାଙ୍କ ପରିବାରକୁ ଘର ଖଣ୍ଡିଏ କିମ୍ବା ରେବତୀଙ୍କ ପାଠପଢ଼ା କଥା ସରକାର ବୁଝିନଥିଲେ। ଫଳରେ ରେବତୀଙ୍କ ବାପା ବାଳକୃଷ୍ଣ ବାଉଁଶ ଡଲା ତିଆରି କରି ତାଙ୍କ ପରିବାର ପେଟ ପୋଷୁଥିଲେ। ଏଥିସହ ରେବତୀ ମଧ୍ୟ ବାପା ମାଆଙ୍କୁ ପୋଷିବା ପାଇଁ ଦିନ ମଜୁରୀ କରୁଥିଲେ। ବାପା, ମାଆଙ୍କ ସହିତ ରେବତୀ ଏଭଳି ଦୁଃଖ କଷ୍ଟରେ ଜୀବନ କାଟୁଥିବା ବେଳେ ହଠାତ୍‌‌ ୨୦୧୭ମସିହାରେ ଉଭୟ ପିତା, ମାତାଙ୍କୁ ହରାଇ ସେ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ଅଧାବାଟରେ ରେବତୀ ଏକ ଶୀର୍ଷକ ଖବର ୫ଜୁଲାଇ ୨୦୧୭ ‘ସମାଜ’ରେ ପ୍ରକାଶ ପାଇଥିଲା। ସେତେବେଳେ ତତ୍କାଳୀନ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାଉଳ କାର୍ଡ ସହିତ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରାଯାଇଥିଲା। ରେବତୀଙ୍କୁ ଥଇଥାନ ଉଦ୍ୟମ ସହିତ ପକ୍କା ଘର ଯୋଗାଇଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବାପା, ମାଆଙ୍କର ରେବତୀ ଏକମାତ୍ର ଝିଅ ହୋଇଥିବାରୁ ସେମାନଙ୍କଠାରୁ ସେ ଖୁବ୍‌‌ ସ୍ନେହ, ଶ୍ରଦ୍ଧା ପାଇ ବଢ଼ିଥିଲା। ଗେହ୍ଲାରେ ପିତାମାତା ତାଙ୍କୁ ରେଞ୍ଜି ନାଁରେ ଡାକୁଥିଲେ। ଅବିବାହିତ ରେବତୀ ପିତା, ମାତାଙ୍କୁ ହରାଇ ଏକା ହୋଇଯାଇଛନ୍ତି। ଭାଇ/ଭାଉଜଙ୍କ ଉପରେ ବୋଝ ପାଲଟିଥିବା ରେବତୀଙ୍କ ପ୍ରତି ଜିଲ୍ଲାପାଳଙ୍କ ଏହି ସହାନୁଭୂତି ଓ ବିଡିଓଙ୍କ ସହଯୋଗର ହାତ ରେବତୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି।

Comments are closed.