ଅଖ୍ୟାତ ପଲ୍ଲିର ସବୁଜ ବିପ୍ଳବୀ: ସାଇତିଛନ୍ତି ୧୪୨୦ ପ୍ରକାର ଧାନ ବିହନ

ବିରଳ ଦେଶୀ ଧାନ ସହ ୭ ରାଷ୍ଟ୍ରରୁ ସଂଗ୍ରହ କରିଛନ୍ତି ସ୍ଥାନୀୟ ପ୍ରଜାତିର ବିହନ

କୋରାପୁଟ: ଦେଶରେ ବିଲୁପ୍ତ ପ୍ରାୟ ଧାନ ବିହନର ସଂରକ୍ଷକ ପାଲଟିଛନ୍ତି ସେ। ୨୫ବର୍ଷର ଅବିରତ ପରିଶ୍ରମ ବଳରେ ୧.୭ ଏକର ଚାଷ ଜମିରେ ୧୪୨୦ ପ୍ରକାର ବିହନକୁ ସେ ସଂରକ୍ଷଣ କରିପାରିଛନ୍ତି। ଯେଉଁ ଦେଶୀ ବିହନଗୁଡ଼ିକ ବିଲୁପ୍ତ ହେବାକୁ ବସିଥିଲା ସେସବୁକୁ ସଂରକ୍ଷଣ କରିବା ସହ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଗାଁ ଗାଁ ବୁଲି ଏସବୁ ସ୍ୱଦେଶୀ ବିହନକୁ ଆଦିବାସୀ ଚାଷୀଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରି ସଚେତନତା ସୃଷ୍ଟି କରିବା ସହ ଆଜି ସମଗ୍ର ଚାଷୀକୂଳ ପାଇଁ ଆଦର୍ଶ ପାଲଟିଛନ୍ତି ଡଃ ଦେବଲ ଦେବ।
ଘର ପଶ୍ଚିମବଙ୍ଗରେ। ୧୯୯୦ଦଶକରେ ଭାରତର ସର୍ବବୃହତ ପ୍ରକୃତି ସଂରକ୍ଷଣକାରୀ ଏନଜିଓରେ ସେ କାମ କରୁଥିବାବେଳେ ଦେବଲ ଦେବ ଉଲ୍ଲେଖ କରିଥିଲେ ଯେ ପ୍ରାଚୀନ କାଳରେ ଆମ ଦେଶରେ ପ୍ରାୟ ଏକଲକ୍ଷ ଦଶହଜାର ସ୍ୱଦେଶୀ ପ୍ରଜାତିର ଧାନ ଚାଷ ହେଉଥିଲା। ଏହା ୧୯୬୦ ଦଶକରେ ସବୁଜ ବିପ୍ଲବ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ସବୁଜ ବିପ୍ଲବ ପରେ ପ୍ରାୟ ୨୦ବର୍ଷ ମଧ୍ୟରେ ଏହି ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇ ମାତ୍ର ୭ହଜାରରେ ସୀମିତ ରହିଲା। ଏହାର କାରଣ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ସେ କହିଛନ୍ତି ଯେ ସବୁଜ ବିପ୍ଲବର ନୀତି ନିର୍ଦ୍ଧାରଣକାରୀ କୃଷି ବିଜ୍ଞାନୀ ଏବଂ ଭାରତୀୟ କୃଷକମାନେ ଅଧିକ ଅମଳକ୍ଷମ କିସମର ଧାନ ଚାଷ କରିବାକୁ ଅଣ୍ଟା ଭିଡ଼ିବାରୁ ସ୍ୱଦେଶୀ ପ୍ରଜାତି ଲୋପ ପାଇବାକୁ ଲାଗିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସବୁଜ ବିପ୍ଲବ ପରେ ଭାରତରେ ଯେତିକି ଧାନ ଉତ୍ପାଦିତ ହେଲା ତାହାର ୭୫ ପ୍ରତିଶତ ମାତ୍ର ଦଶଟି କିସମର ଧାନ ବିହନରୁ ହିଁ ସଂଗୃହୀତ ହୋଇଥିଲା। ଏହା ଦେବଲ ଦେବଙ୍କୁ ବ୍ୟଥିତ କରିଥିଲା ଏବଂ ସେ ସ୍ୱଜାତି କିସମର
ଧାନ ବିହନ ସଂରକ୍ଷଣ ଅଭିଯାନକୁ ବ୍ୟକ୍ତିଗତ ଭାବେ ଆରମ୍ଭ କରିଥିଲେ। ଯେଉଁସବୁ ଅଞ୍ଚଳକୁ ସବୁଜ ବିପ୍ଲବ ସ୍ପର୍ଶ କରି ନ ଥିଲା ଏବଂ ଯେଉଁଠି ନାମମାତ୍ର ଚାଷୀମାନେ ରହୁଥିଲେ ସେହିସବୁ ସ୍ଥାନକୁ ସେ ବସ୍‍ ଛାତରେ ବସି ଏବଂ ଚାଲି ଚାଲି ଯାତ୍ରା କରି ସଚେତନତା ସୃଷ୍ଟି କରିଥିଲେ। ତାଙ୍କର ଏହି ଉଦ୍ୟମରେ ସେ କେବଳ ପଶ୍ଚିମବଙ୍ଗରୁ ମାତ୍ର ୩୫୦ ପ୍ରଜାତିର ସ୍ୱଦେଶୀ ଧାନ ବିହନ ସଂଗ୍ରହ କରିପାରିଥିଲେ। ପ୍ରତିଥର ସେ ଯେଉଁ ଗାଁକୁ ଯାଉଥିଲେ ସେଠାରେ ମୁଠାଏ ଧାନ ବିହନ ମାଗୁଥିଲେ ଏବଂ ସେଠାକାର ଲୋକଙ୍କୁ ସ୍ୱଦେଶୀ ପ୍ରଜାତିର ଧାନ ଚାଷ କଦାପି ବନ୍ଦ ନ କରିବାକୁ ପରାମର୍ଶ ଦେଉଥିଲେ। ୨୫ବର୍ଷ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଭାରତର ୧୨ଟି ରାଜ୍ୟରୁ ସେ ୧୪୨୦ପ୍ରକାର ସ୍ୱଦେଶୀ ପ୍ରଜାତିର ଧାନ ବିହନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏଥିସହ ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ଥାଇଲାଣ୍ଡ, କୋରିଆ, ଫିଲିପାଇନ୍ସ ଏବଂ ଇଟାଲି ଭଳି ରାଷ୍ଟ୍ରରୁ ସେ ସେଠାକାର କିଛି ସ୍ଥାନୀୟ ପ୍ରଜାତିର ଧାନ ବିହନ ସଂଗ୍ରହ କରିପାରିଛନ୍ତି।


ଏକଦା ସେ ଚିନ୍‍ସୁରା ଧାନ ଗବେଷଣା କେନ୍ଦ୍ରକୁ ଯାଇ ସେଠାରେ କିଛି ସ୍ୱଦେଶୀ ପ୍ରଜାତିର ଧାନ ବିହନ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କେନ୍ଦ୍ରର ନିର୍ଦେଶକ ତାଙ୍କର ପ୍ରସ୍ତାବକୁ ରୋକଠୋକ ପ୍ରତ୍ୟାଖାନ କରିଥିଲେ। ଏହା ତାଙ୍କୁ ବ୍ୟଥିତ କରିଥିଲା। ୧୯୯୬ ମସିହାରେ ସେ ‘ୱାଲ୍‍ର୍ଡ ୱାଇଡ ଫଣ୍ଡ ଫର ନେଚର’ର ବରିଷ୍ଠ ପ୍ରକଳ୍ପ ଅଧିକାରୀ ପଦରୁ ଇସ୍ତଫା ଦେଇଥିଲେ। ତା’ ପରଠାରୁ ସେ ନିଜର ଅଭିଯାନ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ କେବେ ହେଲେ କୌଣସି ସରକାରୀ ବା ବେସରକାରୀ ପ୍ରତିଷ୍ଠାନକୁ ଅନୁରୋଧ କରିନାହାନ୍ତି। ଏହାପରେ ସେ ସ୍ୱଦେଶୀ ପ୍ରଜାତିର ଧାନ ବିହନ ସଂରକ୍ଷଣ, ଚାଷ ଏବଂ ତା’ର ଉତ୍ପାଦନ ତଥା ଆବଣ୍ଟନ ନିମନ୍ତେ ନିଜେ ବସୁଧା ନାମରେ ଏକ ସଙ୍ଗଠନ ଆରମ୍ଭ କଲେ। ତାଙ୍କର ଏହି ସାଧୁ ଉଦ୍ୟମ ପାଇଁ କିଛି ଶୁଭେଚ୍ଛୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କାଳକ୍ରମେ ସେ ଓଡ଼ିଶାକୁ ଆସିବା ପରେ ଓଡ଼ିଶାର ଚାଷୀମାନଙ୍କ ଠାରେ ସ୍ୱଦେଶୀ ପ୍ରଜାତିର ଧାନ ଚାଷ ନେଇ ଆଗ୍ରହ ଥିବା ଲକ୍ଷ୍ୟ କରିଥିଲେ। କେବଳ ଓଡ଼ିଶା ନୁହେଁ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ ଏବଂ କର୍ଣ୍ଣାଟକର ଚାଷୀମାନେ ତାଙ୍କର ଉଦ୍ୟମକୁ ସ୍ୱାଗତ କରିଥିଲେ। ଓଡ଼ିଶାର ରାୟଗଡ଼ା ଜିଲା ନିୟମଗିରି ପାହାଡ଼ ପାଦଦେଶରେ ତାଙ୍କର ଅନୁଷ୍ଠାନ ବସୁଧା ସ୍ଥାପିତ ହେଲା ଏବଂ ୧.୭ ଏକର ପରିମିତ ଜମିରେ ସେ ନିଜର ମଡେଲ ଫାର୍ମ ସ୍ଥାପନ କଲେ। ସେଠାରେ ସେ ସଂଗ୍ରହ କରିଥିବା ସମସ୍ତ ୧୪୨୦ପ୍ରକାରର ସ୍ୱଦେଶୀ ପ୍ରଜାତି ଧାନ ବିହନ ଚାଷ ଆରମ୍ଭ କଲେ। ତା’ ସହ ଚାଷୀମାନଙ୍କ ପାଇଁ ବ୍ରିହି ନାମକ ଏକ ବିହନ ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା କରିଥିଲେ। ବିଷମକଟକ ବ୍ଲକ କେରାଣ୍ଡିଗୁଡ଼ା ଗ୍ରାମରେ ସେ କିଛିବର୍ଷ ହେଲା ରହି ଆସୁଛନ୍ତି। ସେଠାରେ ସେ ସୃଷ୍ଟି କରିଛନ୍ତି ଏଭଳି ଏକ ପ୍ରୟୋଗଶାଳା ଯାହା ଆଜି ଚାଷୀକୂଳ ପାଇଁ ପ୍ରେରଣାଦାୟକ ହୋଇଛି।
ନିଆରା ମଣିଷ ଅଟନ୍ତି କୃଷି ବୈଜ୍ଞାନିକ ଡଃ ଦେବଲ ଦେବ। ରାୟଗଡ଼ା ଜିଲା ନିୟମଗିରି ପାହାଡ଼ ପାଦଦେଶରେ ୧.୭ ଏକର ଜମିରେ ୧୪୨୦ ପ୍ରକାର ଧାନ ବିହନକୁ ସଂରକ୍ଷଣ କରି ସେ ଏକ ଫାର୍ମ ତିଆରି କରିଛନ୍ତି ଯାହାର ନାମ ରହିଛି ବସୁଧା। ସେଠାରେ ସେ ବ୍ରିହି ନାମକ ଏକ ବିହନ ବ୍ୟାଙ୍କ ପ୍ରତିଷ୍ଠା କରିପାରିଛନ୍ତି। ୧୯୯୮ ମସିହାରେ ମରୁଡ଼ିରେ ପ୍ରପୀଡ଼ିତ ବଙ୍ଗାଳୀ ଚାଷୀଙ୍କୁ ଏଭଳି ବିରଳ ବିହନ ବଣ୍ଟନ କରି ସଂରକ୍ଷଣ ଅଭିଯାନ ଆରମ୍ଭ କରିଥିଲେ। ୨୦୦୯ରେ ବାତ୍ୟା ‘ଆଲିଆ’ ପ୍ରଭାବରେ ସୁନ୍ଦରବନରେ ପ୍ରାୟ ୨୦ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳେ ଏହିସବୁ ଚାଷୀଙ୍କୁ ସେ ବିଲୁପ୍ତ ପ୍ରାୟ ଦେଶୀ ବିହନ ମାଗଣାରେ ବଣ୍ଟନ କରି ନିଆରା ଅଭିଯାନ ଆରମ୍ଭ କରିଥିଲେ। ବାତ୍ୟା ଓ ତଦ୍‍ଜନିତ ବନ୍ୟା ପ୍ରଭାବରେ ସମସ୍ତ ଶଙ୍କରଜାତୀୟ ବିହନରୁ ହୋଇଥିବା ଧାନ ଗଛ ନଷ୍ଟ ହୋଇଯାଇଥିବାବେଳେ କେବଳ ସ୍ୱଦେଶୀ ବିହନରୁ ହୋଇଥିବା ଗଛତକ ସୁରକ୍ଷିତ ରହିବା ଏବଂ ସେଥିରୁ ଭଲ ଅମଳ ମିଳିବା ତାଙ୍କୁ ବେଶ ଉତ୍ସାହିତ କରିଥିଲା।
ତାଙ୍କ କହିବା ଅନୁଯାୟୀ ପ୍ରତି ସ୍ୱଦେଶୀ ପ୍ରଜାତି ଧାନର ନିଜସ୍ୱ ସ୍ୱତନ୍ତ୍ର ଗୁଣ ରହିଛି। ଗୋଟିଏ ପ୍ରଜାତିରେ ରୂପାର ପୋଷକ ତତ୍ୱ ରହିଛି, ଯାହା ଅଣୁଜୀବମାନଙ୍କୁ ମାରିବାର ସମର୍ଥ ହୋଇଥାଏ। ଏହା ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ରୋଗ ଭଲ କରିବାକୁ ସମର୍ଥ ବୋଲି ବିଜ୍ଞାନୀ ମାନେ କହନ୍ତି। ଏହିଭଳି ୮୬ କିସମର ସ୍ୱଦେଶୀ ଧାନ ରହିଛି ଯେଉଁଥିରେ ଅଧିକ ଲୌହ ଅଂଶ ରହିଛି। ପ୍ରତିଦିନ ଭୋଜନରେ ଏହି ଧାନରୁ ପ୍ରସ୍ତୁତ ଭାତ ଥରେ ଖାଇଲେ ତାହା ଗର୍ଭବତୀ, ପ୍ରସୂତି ଏବଂ ଲୌହସାର ଅଭାବ ଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେହିଭଳି ଆଉ କିଛି କିସମରେ ଦସ୍ତା, ଆଣ୍ଟି ଅକ୍ସିଡେଣ୍ଟ ଏବଂ ଓମେଗା-୩ ଫ୍ୟାଟି ଏସିଡର ଗୁଣ ରହିଛି। ବ୍ରିହି ବ୍ୟାଙ୍କରେ ଏଭଳି ୧୬ଟି ସ୍ୱଦେଶୀ ଧାନ ବିହନର କିସମ ରହିଛି ଯେଉଁଥିରୁ ଆଧୁନିକ ହାଇବ୍ରିଡ କିସମ ବିହନ ତୁଳନାରେ ଯଥେଷ୍ଟ ଅମଳକ୍ଷମ ହୋଇପାରିବ ଏବଂ ସେଥିପାଇଁ କୌଣସି ରାସାୟାସିକ ସାରର ଆବଶ୍ୟକତା ନାହିଁ। ପ୍ରତିବର୍ଷ ଡଃ ଦେବଙ୍କ ନିକଟକୁ ଶତାଧିକ ଚାଷୀ ସ୍ୱଦେଶୀ ବିହନ ପାଇଁ ଆସୁଛନ୍ତି। ଗତବର୍ଷ ବସୁଧାକୁ ୧୯୦୦ ଚାଷୀ ଆସିଥିବା ଜଣାଯାଇଛି। ତା’ ପୂର୍ବ ବର୍ଷ ୨ହଜାର ଚାଷୀ ଆସିଥିଲେ। ଚଳିତବର୍ଷ ତାମିଲନାଡ଼ୁରୁ ୩୦ଜଣ ଚାଷୀ ଆସି ଏକହଜାର ପ୍ରକାରର ସ୍ୱଦେଶୀ ଧାନ ବିହନ ନେବା କାର୍ଯ୍ୟକ୍ରମ ରହିଛି। ଡଃ ଦେବ ମଧ୍ୟ ଏହିସବୁ ବିହନ କିଭଳି ଚାଷ କରାଯାଉଛି ଏବଂ ତା’ର ସ୍ୱଦେଶୀ ଗୁଣ କିଭଳି ସଂରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ଚାଷୀଙ୍କୁ ତାଲିମ ଦେଉଛନ୍ତି। ଡଃ ଦେବଙ୍କ ବିହନ ରଖିବା ପ୍ରଣାଳୀ ମଧ୍ୟ ଅଦ୍ଭୂତ। କୁଡ଼ିଆ ଭିତରେ ମାଟି ହାଣ୍ଡି ଉପରେ ମାଟି ହାଣ୍ଡି ଥୋଇ ସମ୍ପୂର୍ଣ୍ଣ ଦେଶୀ ପଦ୍ଧତିରେ ସେ କରିଛନ୍ତି ଏହି ବିହନ ସଂରକ୍ଷଣ ବ୍ୟାଙ୍କ ‘ବ୍ରିହି’। ଡଃ ଦେବଙ୍କ ଗୋଟିଏ ଜମିର ମିଶ୍ରିତ ଚାଷ ପଦ୍ଧତି ମଧ୍ୟ ଆପଣାଇ ନେଇଛନ୍ତି ସ୍ଥାନୀୟ ଚାଷୀ।
ଆଧୁନିକ ଚାଷ ପ୍ରଣାଳୀର ପ୍ରଭାବରେ ଦିନକୁ ଦିନ ଦେଶୀ ବିହନ ଲୋପ ପାଇବାକୁ ବସିଥିବାବେଳେ ଏହାର ସଂରକ୍ଷଣ ପାଇଁ ସେ ଯେଉଁ ଉଦ୍ୟମ ଚଳାଇଛନ୍ତି ତାହା ଆଜି ସମଗ୍ର ଚାଷୀ ସମାଜ ପାଇଁ ଉଦାହରଣ। ବର୍ତ୍ତମାନ ସୁଦ୍ଧା ସେ ୧୪୨୦ରୁ ଊର୍ଦ୍ଧ୍ବ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ କରି ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହ ଗୋଟିଏ ଜମିରେ ଏକାଧିକ ଫସଲ ଲଗାଇବା ପ୍ରଣାଳୀରେ କୃଷକଙ୍କୁ ଅଧିକ ଉତ୍ପାଦନର ବାଟ ଦେଖାଇପାରିଛନ୍ତି ଡଃ ଦେବ। ବର୍ଷବର୍ଷ ଧରି ସାଇତି ରଖିଥିବା ସ୍ୱଦେଶୀ ଧାନ ବିହନକୁ ସାଇତି ରଖିବା ସହ ବିହନର ଅନୁବଂଶିକ ଶୁଦ୍ଧତା ବଜାୟ ରଖିବା ସହ ଜମିର ପ୍ରକୃତିକୁ ଦେଖି ସେ ବିହନ ଯୋଗାଇ ଦେଉଛନ୍ତି। ସମୂଦ୍ରକୂଳିଆ ଖାରି ଜମି ସମେତ ବନ୍ୟା ପ୍ଲାବିତ ଅଞ୍ଚଳ ଓ ଜଳାଭାବ ଜମି ପାଇଁ ମଧ୍ୟ ସେ ବିହନ ରଖିଛନ୍ତି। ଏପରିକି ଗୋଟିଏ ଧାନରୁ ଦୁଇଟିରୁ ୩ଟି ପର୍ଯ୍ୟନ୍ତ ଚାଉଳ ରହିଥିବା ବିରଳ ପ୍ରଜାତିର ଧାନ ସଂଗ୍ରହ କରିଥିବା ଡଃ ଦେବ ପ୍ରମାଣ ଦିଅନ୍ତି। ବିନା ମୂଲ୍ୟରେ ଚାଷୀଙ୍କୁ ବିହନ ଯୋଗାଇବା ସହ ବିହନ ସଂରକ୍ଷଣ ପାଇଁ ବର୍ତ୍ତମାନ ଏ ଅଞ୍ଚଳର ୨ହଜାରରୁ ଊର୍ଦ୍ଧ୍ବ ଚାଷୀ ଯୋଗାଡ଼ି ପାରିଥିବା ସେ କହନ୍ତି।

Comments are closed.