ଅଟ୍ଟାଳି ଜଗନ୍ନାଥଙ୍କ ନୀଳଚକ୍ରରେ ସବୁଜବାନାକୁ ନେଇ ଅସନ୍ତୋଷ

ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ମନ୍ଦିର ଉପରେ ନୀଳଚକ୍ରରେ ଏକ ସବୁଜବାନା ଲାଗିଥିବା ଦେଖି ଶ୍ରଦ୍ଧାଳୁ ଓ ଭକ୍ତମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଣେ କେହି ଶ୍ରଦ୍ଧାଳୁ ଧଳା, ହଳଦିଆ, ନାଲି ଓ ଏକ ସବୁଜ ବାନାକୁ ମିଶାଇ ମୋଟ ୪ଟି ପତାକା ଶନିବାର ଅପରାହ୍ନରେ ମନ୍ଦିରର ବଡପଣ୍ଡା ତଥା ପୂଜକଙ୍କୁ ମନ୍ଦିରର ନୀଳଚକ୍ରରେ ଲଗାଇବା ପାଇଁ ଦେଇଥିଲେ । ଅର୍ଥଲୋଭ ହେଉ ବା ଅବହେଳା ଯୋଗୁଁ ହେଉ ବଡପଣ୍ଡା ବାନା ଗୁଡିକୁ ଠିକ୍‌‌ ଭାବେ ଯାଞ୍ଚ ନକରି ମନ୍ଦିର ଉପରେ ଚଢି ବାନା ଲଗାଉଥିବା ଅଭିଜ୍ଞ ବ୍ୟକ୍ତିଙ୍କ ମାଧ୍ୟମରେ ସଂପୃକ୍ତ ବାନାଗୁଡିକୁ ଶନିବାର ଅପରାହ୍ନ ୧ଟାରେ ବାନ୍ଧିଥିଲେ। ତେବେ ବହୁ ଶ୍ରଦ୍ଧାଳୁ ରବିବାର ସକାଳୁ ମନ୍ଦିର ଉପରେ ସବୁଜ ରଙ୍ଗର ବାନା ଉଡୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। କେହି କେହି ଏହା ଅନ୍ୟ ଦେଶର ବା ଏକ ରାଜନୈତିକ ଦଳର ବାନା ବୋଲି କହିବାକୁ ପଛାଇ ନଥିଲେ ।

prayash

ସୂଚନା ଯୋଗ୍ୟ ଆଠଗଡ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ଅନ୍ୟ କେତେକ ନିଦ୍ଧିଷ୍ଟ ପର୍ବପର୍ବାଣୀରେ ହିଁ ବାନା ବଦଳାଯାଇଥାଏ। ଏ ସଂପର୍କରେ ସୂଚନା ପାଇବା ପରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ତୁରନ୍ତ ମନ୍ଦିରକୁ ଆସି ଏହା ଦେଖିବା ପରେ ବଡପଣ୍ଡାଙ୍କୁ କିପରି ସବୁଜ ବାନା ଲଗାଗଲା ପଚାରିବା ସହ ତାଗିଦ କରିଥିଲେ। ନିଜେ ଦେବୋତ୍ତର ସୁପରଭାଇଜର ବାନା ଲଗାଇଥିବା ମାଳବିହାରପୁରର ବ୍ୟକ୍ତିଙ୍କୁ ଆଣି ରବିବାର ସନ୍ଧ୍ୟାରେ ସବୁଜ ବାନାଟିକୁ କାଢି ଦେଇଥିଲେ। ଏହି ଘଟଣାକୁ ନେଇ ଆଠଗଡରେ ତୀବ୍ର ପ୍ରତିକ୍ରିିୟା ପ୍ରକାଶ ପାଇବା ସହ ଅବହେଳା କରିଥିବା ସେବାୟତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Comments are closed.