Patra electronics

‘ମିଗଜୋନ’ ପ୍ରଭାବରେ ବର୍ଷା: ଧାନ ଫସଲ ନଷ୍ଟ, ଚାଷୀ ମୁଣ୍ଡରେ ଚଡ଼କ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପ୍ରାୟ ସମସ୍ତ ପଞ୍ଚାୟତରେ ଶତାଧିକ ଏକର ଚାଷଜମିରେ ‘ମିଗଜୋନ’ ପ୍ରଭାବରେ ବର୍ଷା ଜଳ ଭରି ରହିଥିବାରୁ ଚଳିତ ବର୍ଷ ପୁଣିଥରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଛି। ପୂର୍ବରୁ ନିଅଣ୍ଟିଆ ବର୍ଷା ସହ କେନାଲରେ ପର୍ଯ୍ୟାପ୍ତ ପରିମାଣର ପାଣି ଚାଷ କ୍ଷେତକୁ ମିଳି ପାରିନଥିବାରୁ ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଅଦିନିଆ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଶହଶହ ଏକର ଧାନ ଚାଷ ନଷ୍ଟ ହେବା ଚାଷୀମାନେ ଅଭିଯୋଗ କରିଛନ୍ତି। ବ୍ଲକ କୃଷି ବିଭାଗର ବିଭାଗୀୟ ଆକଳନ ଅନୁଯାୟୀ ଚଳିତବର୍ଷ ୮୯୭୦ ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା। ନିଅଣ୍ଟିଆ ବର୍ଷା ଯୋଗୁଁ ଉପରମୁଣ୍ଡ ଏବଂ କେନାଲଠାରୁ ଦୂରେଇ ରହିଥିବା ପ୍ରାୟ ୬୦ରୁ ଊର୍ଦ୍ଧ୍ବ ଗାଁରେ ପ୍ରାୟ ୧୦୦ ହେକ୍ଟର ଜମିରେ ଧାନ‌ ଫସଲ ନଷ୍ଟ ହୋଇଥିବା ବେଳେ ସେଠାରେ ଗାଈ, ମଇଁଷି ଚରିବାକୁ ଛାଡି ଦିଆଯାଇଥିଲା। ଏବେ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ କ୍ଷେତରେ କଟା ଯାଇ ରଖାଯାଇଥିବା ଧାନଗୁଡ଼ିକ ନଷ୍ଟ ହେବା ସହ ସାପୁଆ, ବାହାନା ଓ ଘଡକା ନାଳ କଡ଼ରେ ରହିଥିବା ୩୩ ଖଣ୍ଡ ଗାଁର ପ୍ରାୟ ୨ ହଜାର ହେକ୍ଟର ଚାଷଜମିରେ ବର୍ଷା ଜଳ ପସି ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଥିବା କୋଳଥିଗାଁର ଚାଷୀ ହରିହର ପାତ୍ର ପ୍ରକାଶ କରିଛନ୍ତି।

ଅନ୍ୟପଟେ ବାହାନା ନାଳ ଓ ସାପୁଆ ନାଳର ଜଳ ମାର୍କଣ୍ଡି ଗାଁଠାରେ ଥିବା ବ୍ରିଜ ଦେଇ ସମୁଦ୍ରରେ ମିଶୁଥିବା ବେଳେ ମାର୍କଣ୍ଡିଠାରେ ପୁରୁଣା ବ୍ରିଜକୁ ଆଜି ଯାଏଁ ଭଙ୍ଗା ଯାଇ ନଥିବାରୁ ସେଠାରେ ବର୍ଷା ଜଳ ଓ ଦଳ ଜମି ରହିଥିବାରୁ ଜଳ ନିଷ୍କାସନରେ ଅସୁବିଧା ପରିଲକ୍ଷିତ ହେଉଛି। ଏଥି ସହ ଚାଷ କ୍ଷେତରେ ପାଣି ଜମୁଛି। ଏନେଇ କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ରଙ୍କ ସମେତ ଅଞ୍ଚଳର ଅନେକ ଚାଷୀ ଗତ ସେପ୍ଟେମ୍ବର ୨୫ ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହି ତୁରନ୍ତ ପୁରୁଣା ବ୍ରିଜକୁ ଭାଙ୍ଗିବାକୁ ଦାବି ଜଣାଇଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ଯାଏଁ ଏହା କାର୍ଯ୍ୟକାରୀ ହୋଇ ପାରିନଥିବାରୁ ବର୍ଷା ଯୋଗୁଁ ପାଣି ଜମି ଧାନ ଫସଲ ନଷ୍ଟ ହେଲା ବୋଲି କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଅଭିଯୋଗ କରିଛନ୍ତି । ବର୍ଷା ଯୋଗୁଁ କମଳାପୁର, ଗଞ୍ଜୁ, ଆରୁଆପଲ୍ଲୀ, ହାତୀପାଦ, ମିଶ୍ର ପଲ୍ଲୀ, ଖଜୁରିଆ, ଫୁଲଟା, ବୁରୁକୁଦି, ଷୋଳବିନ୍ଧା, କିର୍ତ୍ତିପୁର, ଲଉଡିଗାଁ, କେଲୁଆ‌ପଲ୍ଲୀ ତୁଳୁ, ମାର୍କଣ୍ଡି, ଇନ୍ଦ୍ରାକ୍ଷି, ପାନ୍ନାପଲ୍ଲି ଢେପ ନୂଆପଡ଼ା, ମାଣ୍ଡରାଜପୁର, ମନ୍ତ୍ରୀଡି ପାଟି ସୁନାପୁର ଅଞ୍ଚଳର ଶତାଧିକ ହେକ୍ଟର ଚାଷ‌ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଛି। ଅପରପକ୍ଷେ, ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ କୃଷି ବିଭାଗର କର୍ମଚାରୀଙ୍କ ପକ୍ଷରୁ ଗାଁ ଗାଁ ବୁଲି ନଷ୍ଟ ହୋଇଥିବା ଫସଲର ଆକଳନ କରାଯିବା ଏକ ତଥ୍ୟ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଅନ୍ୟ ପଟେ ସମୁଦ୍ରକୁ ସଂଯୋଗ ହେଉଥିବା ନାଳଗୁଡିକରୁ ପାଣି ନିଷ୍କାସନ ନିମନ୍ତେ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆ ଗଲେ ଧାନ‌ ଫସଲ ନଷ୍ଟ ହେବାରୁ ରକ୍ଷା ପାଇଯାଆନ୍ତା ବୋଲି ଅନେକ ଚାଷୀ ଦାବି ଜଣାଇଛନ୍ତି।

Comments are closed.