ଜନଜାତିଙ୍କ ଶିକ୍ଷା ପାଇଁ ଅର୍ଥ ଅନ୍ତରାୟ ନହେଉ

ତଳଚମ୍ପେଇରେ କାଗଜ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ

କେନ୍ଦୁଝରଗଡ଼ : ଲାଲା ଲଜପତ ରାୟଙ୍କ ପ୍ରତିଷ୍ଠିତ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଋଦ୍ଧିମନ୍ତ ଅନୁଷ୍ଠାନ ହେଉଛି ଲୋକସେବକ ମଣ୍ଡଳ । ଏପରି ଏକ ମହାନ ଅନୁଷ୍ଠାନ ସହ ଜଡିତ ସମସ୍ତ ସଦସ୍ୟ-ସଦସ୍ୟା ତଥା ଶିକ୍ଷାନବୀଶଙ୍କୁ ମୋର ଅଭିନନ୍ଦନ । ମୋତେ ଆଜି ଏପରି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ମୋ ପାଇଁ ସୌଭାଗ୍ୟର କଥା ବୋଲି ଗୋପବନ୍ଧୁ ସେବାକେନ୍ଦ୍ର କେନ୍ଦୁଝର ଶାଖା ପକ୍ଷରୁ ଆଦର୍ଶ ଗ୍ରାମ ବାଂଶପାଳ ବ୍ଲକ ତଳଚମ୍ପେଇରେ ଅନୁଷ୍ଠିତ କାଗଜ ହସ୍ତଶିଳ୍ପ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଡ.ଅକ୍ଷୟ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି । ମୋ ଜାଣିବାରେ ବିଗତ ୮ବର୍ଷଧରି ଗୋପବନ୍ଧୁ ସେବାକେନ୍ଦ୍ର କେନ୍ଦୁଝର ଜିଲାରେ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରିଆସୁଛି । ବିଶେଷକରି ଆଦିମ ଜନଜାତି ଜୁଆଙ୍ଗଙ୍କ ବିକାଶକୁ ସେବାକେନ୍ଦ୍ର ସର୍ବାଧିକ ଗୁରୁତ୍ୱ ଦେଇଆସିଛି ବୋଲି ମୁଖ୍ୟଅତିଥି ଶ୍ରୀ ରଥ ଏହା କହିଛନ୍ତି ।


ଲୋକସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉତ୍କଳମଣି ଗୋପବନ୍ଧୁ ଦାସ ସମାଜର ତଳସ୍ତରରେ ଥିବା ସାମାଜିକ ଓ ଆର୍ଥିକସ୍ତରର ଅନୁନ୍ନତ ବର୍ଗ ପାଇଁ ସବୁବେଳେ ଚିନ୍ତା କରୁଥିଲେ ବୋଲି କହିଥିଲେ। ଆଉ ସେହିଭଳି ଲୋକଙ୍କୁ ସୁରକ୍ଷା ଦେବାକୁ, ସଶକ୍ତ କରିବାକୁ ସେ ‘ସମାଜ’ ଖବରକାଗଜ ପ୍ରକାଶ କରିଥିଲେ । ଜୁଆଙ୍ଗ ଜନଜାତିର ଲୋକମାନଙ୍କ ପାଇଁ ବହୁ କାର୍ଯ୍ୟକ୍ରମ ଓ ଯୋଜନା ହେଉଥିବା ଆମେ ଶୁଣୁ କିନ୍ତୁ, ବାସ୍ତବରେ ଆଜି ଯାହା ମୁଁ ଦେଖିଲି ଏହି ଜନଜାତି ପାଇଁ ଆମର ଯଥେଷ୍ଟ କର୍ତ୍ତବ୍ୟ ବାକି ଅଛି ବୋଲି ଶ୍ରୀ ରଥ ବକ୍ତବ୍ୟ ପ୍ରସଙ୍ଗରେ ଏହା କହିଥିଲେ । ଏଥିସହ ଆଦିମ ଜନଜାତି ଜୁଆଙ୍ଗଙ୍କ ଶିକ୍ଷା ପାଇଁ ଅର୍ଥ ଯେଭଳି ଅନ୍ତରାୟ ସୃଷ୍ଟି ନହେଉ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ଶ୍ରୀ ରଥ କହିଥିଲେ। ଆଜି ମହିଳା ମାନଙ୍କୁ ଏଠାରେ ଦିଆଯାଉଥିବା ପ୍ରଶିକ୍ଷଣ ନିଶ୍ଚିତ ଭାବେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସହାୟକ ହେବ ବୋଲି କହିଥିଲେ। ତେବେ ଏହିଭଳି ଆହୁରି ବିବିଧ ହସ୍ତଶିଳ୍ପ ଓ କୁଟୀରଶିଳ୍ପ ପ୍ରଶିକ୍ଷଣ ଦିଆଯାଇ ପାରିଲେ ନିଜର ରୁଚି ଓ ସୁବିଧା ଅନୁସାରେ ମହିଳାମାନେ ଏହାକୁ ଏକ ଅର୍ଥାଗମର ଉପାୟ ଭାବେ ଗ୍ରହଣ କରିପାରିବେ ବୋଲି କହିଥିଲେ ।
ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମାଜ’ ଅନୁଷ୍ଠାନ ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ପ୍ରାଥମିକ ପର୍ଯ୍ୟାୟରେ ବିକ୍ରୟ ବ୍ୟବସ୍ଥା କରିପାରିଲେ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ। କାରଣ ଏହି ପାର୍ବତ୍ୟାଞ୍ଚଳରୁ ପ୍ରସ୍ତୁତ ସାମଗ୍ରୀର ବଜାର ଏଠାରେ ଉପଲବ୍ଧ ନଥିବାରୁ ଉତ୍ପାଦିତ ସାମଗ୍ରୀର ବଜାର ସୁଯୋଗ ସୃଷ୍ଟି କରାଯିବା ନିହାତି ଆବଶ୍ୟକ ବୋଲି ଡ.ଆଚାର୍ଯ୍ୟ କହିଥିଲେ । ଏଠାରେ ଶିଶୁ ଓ କିଶୋର ମାନଙ୍କ ଶିକ୍ଷା ବ୍ୟବସ୍ଥା ସଶକ୍ତ ହେବାସହ କିଭଳି ସ୍ୱାସ୍ଥ୍ୟସେବା ପାଇଁ ମଧ୍ୟ ନିରବଛିନ୍ନ ପ୍ରୟାସ ହେବା ଆବଶ୍ୟକ ରହିଛି । ସମାଜର ବିଭିନ୍ନକ୍ଷେତ୍ରରେ କାର୍ଯ୍ୟରତ ସଦସ୍ୟ ସଦସ୍ୟାଗଣ ନିଜ ନିଜ ବ୍ୟୟବହୁଳ ଜୀବନରୁ ସମୟ ବାହାର କରି ଏଠାରେ ଆସି ଯେଉଁ ସେବା ପ୍ରଦାନ କରୁଛନ୍ତି ବାସ୍ତବରେ ସେମାନେ ଧନ୍ୟବାଦର ପାତ୍ର ବୋଲି ଡ.ଆଚାର୍ଯ୍ୟ କହିବା ସହ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଦିମ ଜନଜାତି ଜୁଆଙ୍ଗ ମହିଳା ଓ ପୁରୁଷ ପାରମ୍ପରିକ ଚାଙ୍ଗୁ ନୃତ୍ୟ ଗୀତ ତାଳେ ତାଳେ ଅତିଥିଗଣଙ୍କୁ ସ୍ୱାଗତ ଜଣାଇଥିଲେ । କାଗଜ ହସ୍ତ ଶିଳ୍ପ ପ୍ରଶିକ୍ଷକ ହରିହର ସୂତାର ଏହି କର୍ମଶାଳାରେ ଯୋଗଦେଇ ଆଦିମ ଜନଜାତି ଜୁଆଙ୍ଗ ମହିଳାଙ୍କୁ ତାଲିମ ପ୍ରଦାନ ସହ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ସ୍ଥାନୀୟ ତଳଚମ୍ପେଇ ସରପଞ୍ଚ ସୁଜାତା ମୁଣ୍ଡା ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କାଗଜ ହସ୍ତ ଶିଳ୍ପୀ ଶ୍ରୀ ସୂତାର, ସରପଞ୍ଚ ଶ୍ରୀମତୀ ସୁଜାତା ମୁଣ୍ଡା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ମହାନ୍ତି, ଡାକ୍ତର ରାଜଶ୍ରୀ ଉପାଧ୍ୟାୟ ଓ ଡାକ୍ତର ଜ୍ୟୋତିପ୍ରଜ୍ଞା ଦାସଙ୍କୁ ମଞ୍ଚାସୀତ ଅତିଥିଗଣ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିିତ କରିଥିଲେ। ଏଥିସହ ପ୍ରଶିକ୍ଷଣରେ ଯୋଗ ଦେଇଥିବା ୩୦ଜଣ ଶିକ୍ଷାନବୀଶଙ୍କୁ ମଧ୍ୟ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୋପବନ୍ଧୁ ସେବାକେନ୍ଦ୍ର ସଂଯୋଜିକା ରାଜଶ୍ରୀ ଉପାଧ୍ୟାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳା ଆୟୋଜନ ଓ ପରିଚାଳନାରେ ସଦସ୍ୟା ବୈଶାଳୀ ପ୍ରିୟଦର୍ଶିର୍ନୀ, ପ୍ରଣତୀ ରାଉତ, ରୂପଶ୍ରୀ ଗନ୍ତାୟତ, ସଦସ୍ୟ ଡାକ୍ତର ଉମାକାନ୍ତ ପତ୍ରୀ, ବିଶ୍ୱଜିତ ବଳ, ପ୍ରମୋଦ ନାୟକଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ସହଯୋଗ କରିଥିବା ବେଳେ ଶେଷରେ ସଦସ୍ୟ ଉତ୍କ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.