ସବୁଠୁ ଦ୍ରୁତ ଭାରତ ଅର୍ଥନୀତି ଅଭିବୃଦ୍ଧି
ନୂଆଦିଲ୍ଲୀ : ବିମୁଦ୍ରାୟନର ସକରାତ୍ମକ ପ୍ରଭାବ ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ଉପରେ ପଡିଛି। ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରୀରୁ ମାର୍ଚ୍ଚ)ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ବୃଦ୍ଧି ପାଇ ୭.୭%ରେ ପହଞ୍ଚିଛି। ଏହାସହ ଭାରତ ବିଶ୍ୱର ଦ୍ରୁତ ଅର୍ଥନୀତି ଅଭିବୃଦ୍ଧି ରାଷ୍ଟ୍ର ସ୍ଥାନ ବଜାୟ ରଖିଛି। ଏହି ତ୍ରୟମାସ ମଧ୍ୟରେ ଚୀନ ଜିଡିପି ଅଭିବୃଦ୍ଧି ହାର ୬.୮%କୁ ଅତିକ୍ରମ କରି ଭାରତ ଜିଡିପି ଅଭିବୃଦ୍ଧି ହାର ୭.୭%ରେ ପହଞ୍ଚିଛି। ୨୦୧୭-୧୮ ପ୍ରଥମ ତ୍ରୟମାସ (ଅପ୍ରେଲ-ଜୁନ)ରେ ଭାରତ ଜିଡିପି ଅଭିବୃଦ୍ଧି ହାର ୫.୭%, ଦ୍ୱିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ଜିଡିପି ଅଭିବୃଦ୍ଧି ହାର ୬.୫%, ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର)ରେ ଜିଡିପି ଅଭିବୃଦ୍ଧି ହାର ୭.୨% ଥିଲା। ଶେଷ ତଥା ଚତୁର୍ଥ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇ ୭.୭%ରେ ପହଞ୍ଚିଛି। ସବୁକୁ ମିଶାଇ ପୂର୍ଣ୍ଣ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ହାର ୬.୭% ରହିଛି। ୨୦୧୬-୧୭ ପ୍ରଥମ ତ୍ରୟମାସ (ଅପ୍ରେଲ-ଜୁନ)ରେ ଜିଡିପି ଅଭିବୃଦ୍ଧି ହାର ୮.୧% ପରେ ୨୦୧୭-୧୮ ଚତୁର୍ଥ ତ୍ରୟମାସର ଜିଡିପି ଅଭିବୃଦ୍ଧି ହର ଦ୍ୱିତୀୟ ସର୍ବୋଚ୍ଚ ରହିଛି। ୨୦୧୭- ୧୮ ତୃତୀୟ ତ୍ରୟମାସ (ଅକ୍ଟୋବର- ଡିସେମ୍ବର)ରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୧%, ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୮.୫% ଥିଲା। ଚତୁର୍ଥ ତ୍ରୟମାସ (ଜାନୁଆରୀରୁ ମାର୍ଚ୍ଚ)ରେ କୃଷି ଅଭିବୃଦ୍ଧି ହାର ବୃଦ୍ଧି ପାଇ ୪.୫% ଏବଂ ବିନିର୍ମାଣ ଅଭିବୃଦ୍ଧି ହାର ବୃଦ୍ଧି ପାଇ ୯.୧%ରେ ପହଞ୍ଚିଛି। ସେହିପରି ଏହି ତ୍ରୟମାସରେ କନଷ୍ଟ୍ରକସନ୍ (ନିର୍ମାଣ) କ୍ଷେତ୍ରରେ ଅଭିବୃଦ୍ଧି ହାର ୧୧.୫%, ଅର୍ଥ ଲଗାଣ, ରିଏଲ ଇଷ୍ଟେଟ୍, ବୀମା କ୍ଷେତ୍ରରେ ଅଭିବୃଦ୍ଧି ହାର ୫%, ଖଣି କ୍ଷେତ୍ରରେ ୨.୭% ଏବଂ ସାମାଜିକ ପ୍ରଶାସନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩.୩% ରହିଛି।
୨୦୧୬-୧୭ ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୧% ଥିଲା ଓ ୨୦୧୭-୧୮ରେ ପୂର୍ଣ୍ଣ ଆର୍ଥକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ୬.୭%ରେ ପହଞ୍ଚିଛି। ୨୦୧୬-୧୭ରେ ମୁଣ୍ଡ ପିଛା ଆୟ ୮୨,୨୨୯ ଟଙ୍କା ଥିଲାବେଳେ ୨୦୧୭-୧୮ରେ ଏହା ବୃଦ୍ଧି ପାଇ ୮୬,୬୬୮ ଟଙ୍କାରେ ପହଞ୍ଚିଛି। ଅର୍ଥାତ ମୁଣ୍ଡ ପିଛା ଆୟ ୫.୪% ବୃଦ୍ଧି ପାଇଛି।