ଗଣେଶ ପୂଜା ଓ ନୂଆଖାଇକୁ ନେଇ ଉତ୍ସବ ମୁଖର ସାରା ଓଡ଼ିଶା

ଭୁବନେଶ୍ୱର : ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅର୍ଥାତ କାଲି (ସୋମବାର) ବିଦ୍ୟାଦାତା ଶ୍ରୀଗଣେଶଙ୍କ ଆଗମନ । ଏଥିପାଇଁ  ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ । ସେହିପରି ଟୁଇନ ସିଟିରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାରେ ଯେପରି ବାଧାବିଘ୍ନ ନ ହୁଏ ସେଥିପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଗଣେଶଙ୍କ ମୂର୍ତ୍ତି, ପୂଜାସାମଗ୍ରୀ, ପୋଷାକ, ମିଠାଦୋକାନ ମାନଙ୍କରେ ଲୋକମାନଙ୍କ ବେଶ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁଙ୍କ ଭିନ୍ନ ଭିନ୍ନ ମୁଦ୍ରାର ମୂର୍ତ୍ତି ସହ ସାଜସଜ୍ଜା ଆକର୍ଷଣର କେନ୍ଦ୍ର ପାଲଟିଛି। ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟରେ ମଧ୍ୟ ଗଣେଶ ପୂଜା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।

ସେହିପରି ଗଣେଶ ପୂଜାର ପରଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ କରିବାକୁ ସମ୍ବଲପୁରରେ ଏହାର ପ୍ରସ୍ତୁତି ଜୋରଦାର ଚାଲିଛି। ନୂଆ ଅନ୍ନ ସାଙ୍ଗକୁ ନୂଆ ବସ୍ତ୍ର ପିନ୍ଧି ଆନନ୍ଦ ଉଲ୍ଲାସର ସହ ପଶ୍ଚିମ ଓଡ଼ିଶାବାସୀ ପ୍ରସିଦ୍ଧ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳନ ହେବ। ଦୂରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଛୁଟି ନେଇ ନିଜ ଘରକୁ ଫେରୁଛନ୍ତି। ବଜାରରେ ଲୋକଙ୍କ ବେଶ ଭିଡ଼ ଜମୁଛି।
ଗଣପର୍ବ ନୂଆଖାଇ ପାଇଁ ନିତୀ ନିର୍ଘଣ୍ଟ:
ସମ୍ବଲପୁରରେ ମା’ସମଲେଇଙ୍କ ମନ୍ଦିରରେ ନୂଆଖାଇ ଦିନ ବିଶେଷ ପୂଜାର୍ଚ୍ଚନା କରାଯାଏ। ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶାର ଆରାଧ୍ୟ୍ୟ ଦେବୀ ମା’ସମଲେଶ୍ୱରୀଙ୍କ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଶନିବାର ଝାଡ଼ୁଆପଦାର ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ନୂଆଖାଇ ପାଇଁ ଲଗ୍ନ ସ୍ଥିର କରାଯାଇଛି। ସେପ୍ଟେମ୍ବର ୩ ତାରିଖ ସକାଳ ୧୦.୦୫ ରୁ ୧୦.୨୦ ମଧ୍ୟରେ ମା’ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ନେଇ ସମୟ ସ୍ଥିର କରାଯାଇଛି।

Comments are closed.