ଖେଳାଳିରୁ ଖଳନାୟକ !
ଦେଶ ପାଇଁ ଏକଦା ଗୌରବ ଆଣିଥିବା ଖେଳାଳି ପରବର୍ତ୍ତୀ ସମୟରେ ସମାଜରେ ଆତଙ୍କ ଖେଳାଉଛନ୍ତି । ଖେଳ ଛାଡି ଅପରାଧିକ ଦୁନିଆରେ ସେମାନେ ପାଦ ରଖୁଛନ୍ତି । ଚୋରି, ହତ୍ୟା, ବଳାତ୍କାର ଓ ଡ୍ରଗ୍ସ ଚାଲଣ ଭଳି ଅପରାଧରେ ଜଡ଼ିତ ହେବା ସହ ନିଜକୁ ଅସାମାଜିକ ବ୍ୟକ୍ତି ବା ଗ୍ୟାଙ୍ଗଷ୍ଟର ଭାବେ ଗଢି ତୋଳୁଛନ୍ତି । ଏହା ସହ ନିଜର ଶାରିରୀକ ଦକ୍ଷତାର ପ୍ରଦର୍ଶନ ପାଇଁ ଖେଳ ପଡ଼ିଆ ବଦଳରେ ରାଜନୀତି ଓ ଅପରାଧିକ କ୍ଷେତ୍ରକୁ ବାଛି ନେଇଛନ୍ତି । ଏହି ଅପରାଧିକ ଦୁନିଆ ସେମାନଙ୍କ ବଞ୍ଚିବାର ରାହା ବା ରୋଜଗାରର ପନ୍ଥା ପାଲଟିଛି ।
କେବଳ ଖେଳାଳି ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ମଧ୍ୟ ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏଠାରେ ପ୍ରଶ୍ନ ଉଠେ କାହିଁକି ଖେଳାଳିମାନେ ଏକ ଗୌରବ ଓ ଉଜ୍ଜ୍ୱଳମୟ ମଞ୍ଚରୁ କଳଙ୍କିତ ଓ ଅନ୍ଧାକାରର ସାମ୍ରାଜ୍ୟକୁ ବାଛି ନେଉଛନ୍ତି । ଏହା ପଛରେ କ’ଣ ରହିଛି କାରଣ?
ଗୋଟିଏ କିମ୍ବା ଦୁଇଟି କାରଣ ନୁହେଁ ବରଂ ଏହା ପଛରେ ଅନେକ ଗୁଡିଏ କାରଣ ରହିଛି । ଏହି ସବୁ କାରଣର ଉପରେ ନଜର ପକାଇବା ପୂର୍ବରୁ କେଉଁ ଖ୍ୟାତନାମା ଖେଳାଳିମାନେ ଖେଳ ପଡ଼ିଆ ଛାଡି ଅପରାଧ ଦୁନିଆରେ ପାଦ ରଖିଛନ୍ତି । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ,ପଞ୍ଜାବ ଓ ହରିୟାଣା ରାଜ୍ୟର ଅଧିକାଂଶ ଖେଳାଳିଙ୍କ ଏଭଳି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ରହିଛି ।
ଜଗଦୀଶ ଭୋଲା: ପଞ୍ଜାବର ଡ୍ରଗ୍ ରକେଟର କିଙ୍ଗପିନ୍ ଭାବେ କୁଖ୍ୟାତି ଅର୍ଜନ କରିଥିବା ଜଗଦୀଶ ଭୋଲା ଏକଦା ୧୯୯୧ ଏସିଆନ୍ ଗେମ୍ରେ ଭାରତ ପାଇଁ ରୌପ୍ୟ ପଦକ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିଲେ । କେବଳ ସେତିକି ନୁହେଁ ତାଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିବା ସହିତ ଡିଏସ୍ପି ପଦରେ ନିଯୁକ୍ତି ଦେଇଥିଲେ । ୨୦୦୮ରେ ଡ୍ରଗ୍ସ କାରବାର ମାମଲାରେ ସେ ଧରାପଡ଼ି ଜେଲ୍ ଯିବା ପରେ ତାଙ୍କଠାରୁ ଅର୍ଜୁନ ପୁରସ୍କାର ପ୍ରତ୍ୟାହାର କରି ନିଆଯାଇଥିଲା ।
ହର୍ଜିନ୍ଦର ସିଂହ: ପଞ୍ଜାବ ମୁକ୍ତସର ଜିଲା ସରୱନ ବୋଦଲା ଗାଁର କ୍ରୀଡ଼ାବିତ୍ ହର୍ଜିନ୍ଦର ସିଂ । ୨୦୦୪ରେ ଜାତୀୟସ୍ତରର ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ହର୍ଜିନ୍ଦର । ୨୦୧୦ରେ ସେ ଅପରାଧିକ ଦୁନିଆରେ ପାଦ ଥାପିବା ପରେ ସେ ଭିକି ଗୋଣ୍ଡର ନାମରେ କୁଖ୍ୟାତି ଅର୍ଜନ କରିଥିଲେ। ୨୦୧୬ରେ ନାଭା ଜେଲ ଭାଙ୍ଗି ୨ ଜଣ ଆକ୍ରମଣକାରୀ ଓ ୪ ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଫେରାର କରିବାରେ ଭିକି ଗୋଣ୍ଡର ମାଷ୍ଟାର ମାଇଣ୍ଡ ଥିଲା। ସେହି ବର୍ଷ ଜାନୁୟାରୀ ୨୬ରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲା ।
ପ୍ରେମ ଲୋହରିଆ: ପଞ୍ଜାବ ଓ ହରିୟାଣର ବିଶିଷ୍ଟ କ୍ରୀଡ଼ାବିତ୍ ପ୍ରେମ ଲୋହରିଆ ପରବର୍ତ୍ତୀ ସମୟରେ ମଦ ମାଫିଆ ହୋଇଥିବା ଦେଖାଯାଇଛି । ସେରାଖୁବାନ୍, ଜସବିନ୍ଦର ରକି ସହିତ ମିଶି ସେ ଏକ ଅପରାଧ ସାମ୍ରାଜ୍ୟ ଗଠନ କରିଥିଲେ ।
ଜୟପାଲ୍ ସିଂହ: ଉତ୍ତର ଭାରତର ଫିରୋଜପୁର ଚତୁର ଅପରାଧୀ ଜୟପାଲସିଂହ ଭୁଲାର ଏକଦା ତାଙ୍କ ରାଜ୍ୟ ପଞ୍ଜାବ ପାଇଁ କ୍ରୀଡ଼ାରେ ଗୌରବ ଆଣିଥିଲେ । ଏହି ଜାତୀୟସ୍ତରର କ୍ରୀଡାବିତ୍ ପଞ୍ଜାବ ପୁଲିସର ମୋଷ୍ଟ ୱଣ୍ଟେଡ୍ ୍ତାଲିକାର ପ୍ରଥମରେ ଥିଲେ । ତାଙ୍କ ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଥିଲା ।
ତିରଥ୍ ଧିଲୱାନ୍: କବାଡି ଖେଳାଳି ତିରଥ୍ ଧିଲୱାନ(୩୫)ଙ୍କ ଅପରାଧିକ ଜୀବନ ଡ୍ରଗ୍ସ କାରବାରରୁ ଆରମ୍ଭ ହୋଇଥିଲା । ପରେ ସେ କାରଚୋରି, ଡକାୟତି, ଅପହରଣ ଏବଂ ଘରୋଇବିବାଦ ଭଳି ୧୫ରୁ ଅଧିକ ମାମଲାରେ ଜଡ଼ିତ ହୋଇଯାଇଥିଲେ । ପାକିସ୍ତାନକୁ ଡ୍ରଗ୍ସ ଚାଲଣ ମାମଲାରେ ଗତବର୍ଷ ଗିରଫ ହୋଇଥିଲେ ।
ରାକେଶ ମଲ୍ଲିକ୍: ମୁଷ୍ଟିଯୁ୍ଦ୍ଧ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ସ୍ୱର୍ଣ୍ଣପଦକ ଓ ଜାତୀୟ ସ୍ତରରେ କାଂସ୍ୟ ପଦକ ଜିତିଥିବା ହରିୟାଣାର ରାକେଶ ମଲ୍ଲିକ ଓରଫ ମୋଖରିଆ(୩୭)ରୋହତକ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୧୭ରେ ଜଣେ ମଦ ବେପାରୀଙ୍କୁ ହତ୍ୟା ମାମଲାରେ ସେ ଗିରଫ ହୋଇଥିବା ଜଣାପଡିଛି ।
ଏଭଳି ଅନେକ ସ୍ୱନାମଧନ୍ୟ ଖେଳାଳି ପରବର୍ତ୍ତୀ ସମୟରେ କୁଖ୍ୟାତ ଅପରାଧୀ ହେଉଥିବା ନଜିର ରହିଛି । ଏହା ପଛର କାରଣକୁ ନେଇ ବିଭିନ୍ନ ବ୍ୟକ୍ତି ଭିନ୍ନଭିନ୍ନ ମତ ଦେଇଛନ୍ତି ।
ପଞ୍ଜାବ ପୁଲିସ ତାଲିମ୍ ଏକାଡେମୀର ଅବସରପ୍ରାପ୍ତ ମନସ୍ତତ୍ତ୍ୱବିତ୍ ଡଃ ଡି.ଜେ ସିଂହଙ୍କ କହିବା ଅନୁଯାୟୀ ବିଭିନ୍ନ ପ୍ରତିଯୋଗିତାରେ ବିଫଳ ହେବା ବା କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନ ପାରିବା ଜନିତ ହତାଶା ହିଁ କ୍ରୀଡ଼ାବିତ୍ଙ୍କୁ ପରବର୍ତ୍ତୀ ସମୟରେ ଅପରାଧୀ ହେବା ପାଇଁ ବାଧ୍ୟ କରିଛି । ଏହା ସହ ପ୍ରୋତ୍ସାହନ ଅଭାବରୁ ମଧ୍ୟ ହତୋତ୍ସାହ ହୋଇ କ୍ରୀଡ଼ାବିତ୍ ମାନେ ନିଜ ଜୀବନର ଗତିପଥ ପରିର୍ବତ୍ତନ କରୁଛନ୍ତି ।
ଅଲମ୍ପିକ୍ ଖେଳାଳି ତଥା ପୂର୍ବତନ ଭାରତୀୟ ହକି ଦଳର କ୍ୟାପଟେନ୍ ପର୍ଗତ ସିଂହଙ୍କ କହିବା ଅନୁଯାୟୀ, ଅସଫଳତା କାରଣ ଯୋଗୁଁ ଏବଂ ସହଜ ଉପାୟରେ ଟଙ୍କା ରୋଜଗାର ପାଇଁ କ୍ରୀଡ଼ାବିତ୍ମାନେ ଏଭଳି ପନ୍ଥା ଆପଣାଉଛନ୍ତି । ପ୍ରଥମେ ନିଜେ ଡ୍ରଗ୍ସ ନେବା ସହ ପରେ ଡ୍ରଗ୍ସ ଚାଲଣ ଓ ଅପରାଧରେ ସମ୍ପୃକ୍ତ ହେଉଛନ୍ତି ।
ଶିକ୍ଷାର ଅଭାବ ଏହାର ଅନ୍ୟ କାରଣ ବୋଲି ପୂର୍ବତନ ବକ୍ସର ତଥା ହରିୟାଣାରେ ଡିଏସପି ଭାବେ କାର୍ଯ୍ୟରତ ଅଖିଲ କୁମାର କହିଛନ୍ତି । ପୂର୍ବରୁ କ୍ରୀଡ଼ାବିତ୍ମାନେ ଶିକ୍ଷା ଓ ଫିଟ୍ନେସ୍ ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ବର୍ତ୍ତମାନ ପିଢ଼ିର ଖେଳାଳିଙ୍କ ମଧ୍ୟରେ କେବଳ ପ୍ରତିଯୋଗିତାମୂଳକ ଓ ସଫଳ ହେବାର ମନୋବୃତ୍ତି ରହୁଛି ।
ଏକଦା ଅପରାଧିକ ଦୁନିଆରେ ଜଡ଼ିତ ଥିବା ସମାଜସେବୀ ତଥା କବାଡ଼ି ଖେଳାଳି ଲାଖା ସିଧାନା ଏଥିପାଇଁ ସିଧାସଳଖ ରାଜନେତାଙ୍କୁ ଦାୟୀ କରିଛନ୍ତି। କ୍ରୀଡ଼ାବିତ୍ଙ୍କ ନିକଟରେ ଥିବା ଶକ୍ତି ଓ ସ୍ଫୂର୍ତ୍ତିକୁ ରାଜନେତାମାନେ ସେମାନଙ୍କ ସ୍ୱାର୍ଥସାଧନ ଓ ଅପରାଧିକ କାର୍ଯ୍ୟକଳାପରେ ନିୟୋଜିତ କରୁଛନ୍ତି । ଏହାବଦଳରେ ସେମାନଙ୍କୁ ଅର୍ଥ ଓ ସୁଖୀ ଜୀବନର ଲୋଭ ଦେଖାଉଛନ୍ତି । ଏଥିଯୋଗୁଁ ପ୍ରତିଯୋଗିତାରେ ବିଫଳ ହୋଇଥିବା ଅନେକ କ୍ରୀଡ଼ାବିତ୍ କ୍ରମଶଃ ଅପରାଧିକ ଦୁନିଆକୁ ଚାଲି ଯାଉଛନ୍ତି ।
ସେହିପରି ରୋହତକ୍ ଆଇଜି ନବଦୀପ ସିଂହ ବିର୍କଙ୍କ କହିବା ଅନୁଯାୟୀ ହରିୟାଣାରେ ବିଗତ ୨୦ ବର୍ଷ ପୂର୍ବରୁ ଏହି ଧାରା ସୃଷ୍ଟି ହୋଇଛି । ହରିଆଣାରେ କ୍ରୀଡ଼ାବିତ୍ଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ସଫଳତା ମିଳିବା ସମ୍ଭାବନା କମ୍ । ତେଣୁ ଖେଳାଳିମାନେ ହତୋତ୍ସାହିତ ହୋଇ ରୋଜଗାର ଆଶାରେ ଅପରାଧିକ ଦୁନିଆକୁ ଚାଲିଯାଉଛନ୍ତି ।
ମଇଦାନରେ ଖେଳୁଥିବା ସମସ୍ତଙ୍କ ଖେଳାଳିଙ୍କ ଭାଗ୍ୟରେ ଜିତିବା ସମ୍ଭବ ନ ଥାଏ । ଉତ୍ଥାନ ପତନ ଜୀବନର ଏକ ଅଂଶ ହୋଇ ଥିବା ବେଳେ କେହି କେହି ଏହାକୁ ସହଜରେ ଗ୍ରହଣ କରିପାରି ନ ଥାନ୍ତି । ଖୁବ୍ କମ୍ ସମୟରେ ଲକ୍ଷ୍ୟ ହାସଲ କରିବା ନିଶାରେ ଅନେକେ ପଥଭ୍ରଷ୍ଟ ହୋଇଥାଆନ୍ତି । କିଛି ସମୟ ପାଇଁ ସଫଳତାର ସ୍ୱାଦଚାଖିଥିବା ଖେଳାଳିମାନେ ପରେ ମୁହୂର୍ତ୍ତରେ ଅନ୍ଧକାରର ଗର୍ଭକୁ ଠେଲି ହୋଇଯାଏ ।
ପ୍ରସ୍ତୁତି ବୈଜୟନ୍ତୀ ନାୟକ